ରାୟଗଡ଼ା: ଦୁଇଟି ଅପରାଧିକ ମାମଲାରେ ନିର୍ଦ୍ଦୋଷରେ ଖଲାସ ହେଲେ ମାଓ ନେତା ସବ୍ୟସାଚୀ ପଣ୍ଡା । ଆଜି କଡା ସୁରକ୍ଷା ମଧ୍ୟରେ ମାଓନେତା ସବ୍ୟସାଚୀ ପଣ୍ଡାଙ୍କୁ ରାୟଗଡ଼ା ଜିଲ୍ଲା ଗୁଣୁପୁର ଏଡିଜେ କୋର୍ଟରେ ହାଜର କରାଯାଇଥିଲା । ସେଠାରେ ବିଚାର କରି ଦୁଇଟି ଅପରାଧିକ ମାମଲାରେ ନିର୍ଦ୍ଦୋଷରେ ଖଲାସ ନେଇ ରାୟ ପ୍ରକାଶ କଲେ ଗୁଣପୁର ଏଡିଜେ କୋର୍ଟ ।
ସୂଚନା ମୁତାବକ, ୧୩ ତାରିଖ ଅଗଷ୍ଟ ମାସ ୨୦୦୪ ମସିହାରେ ଚନ୍ଦ୍ରପୁର ବ୍ଲକ ଅଧକ୍ଷ ଡାକୁମାଝୀଙ୍କୁ ହତ୍ୟା କରାଯାଇଥିଲା । ଡାକୁମାଝୀ ବ୍ଲକ୍ ରୁ କାମ ସାରି ବାଇକ୍ ରେ ଫେରୁଥିବା ବେଳେ ମୁଖ୍ୟ ରାସ୍ତା ଉପରେ ମୁଖା ପିନ୍ଧା ନକ୍ସଲ ଗୁଳି ମାରିଥିଲେ । ସେଠାରେ ଡାକୁ ମାଝୀ ତଳେ ପଡିଯାଇଥିଲେ ଏହାପରେ ନକ୍ସଲ ଡାକୁ ମାଝୀଙ୍କ ବେକକୁ ଧାରୁଆ ଅସ୍ତ୍ରରେ କାଟି ଦେଇଥିଲେ । ଡାକୁ ମାଝୀଙ୍କ ସହ ବାଇକ୍ ରେ ଅନ୍ୟ ଦୁଇଜଣ ଆସୁଥିଲେ ସେମାନଙ୍କୁ ମଧ୍ୟ ଗୁଳି କରାଯାଇଥିଲା । ଘଟଣାସ୍ଥଳରେ ଡାକୁ ମାଝୀଙ୍କ ମୃତ୍ୟୁ ଘଟିଥିଲା । ଅନ୍ୟ ଦୁଇ ଜଣ ଚନ୍ଦ୍ରପୁର ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହୋଇଥିଲେ ।
ହତ୍ୟାକାଣ୍ଡ ନେଇ ସବ୍ୟସାଚୀଙ୍କ ନାମରେ ମାମଲା ବିଚାରଧୀନ ଥିଲା । ଏହି ମାମଲାରେ ୧୮ ଜଣଙ୍କର ସାକ୍ଷ୍ୟ ପ୍ରମାଣ କୋର୍ଟ ଗ୍ରହଣ କରିଥିଲେ । ସାକ୍ଷ୍ୟ ପ୍ରମାଣ ଅଭାବରୁ ଏହି ମାମଲାରେ ସବ୍ୟସାଚୀଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିବା ନେଇ ରାୟ ପ୍ରକାଶ ପାଇଛି । ପୁର୍ବରୁ ଏହି ମାମଲାରେ ୫ ଜଣ ନିର୍ଦ୍ଦୋଶରେ ଖଲାସ ହୋଇଛନ୍ତି ।
ସେହିଭଳି ଅନ୍ୟ ଏକ ଅପରାଧିକ ମାମଲା ହେଉଛି ଚନ୍ଦ୍ରପୁର ଥାନା ରେ ୨୯ ତାରିଖ ଅଗଷ୍ଟ ମାସ ୨୦୦୩ ମସିହାରେ ମରିଚଗୁଡା ଗାଁରେ ପୋଲିସ୍ ଇନଫରମର ସନ୍ଦେହରେ ପ୍ରାସ୍କା ସିମନ ମାଝୀଙ୍କ ଘରେ ନକ୍ସଲ ବିସ୍ଫୋରଣ କରି ପୋଡା ଜଳା କରିଥିଲେ । ଏନେଇ ଚନ୍ଦ୍ରପୁର ଥାନାରେ ମାମଲା ରହିଥିଲା । ଏହି ମାମଲାରେ ୧୫ ଜଣଙ୍କ ସାକ୍ଷ୍ୟ ଗ୍ରହଣ ହୋଇଥିଲା । ସାକ୍ଷ୍ୟ ପ୍ରମାଣ ଅଭାବରୁ ସବ୍ୟସାଚୀ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି ।
ପୁର୍ବରୁ ଏହି ମାମଲାରେ ୯ ଜଣ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି । ଦୁଇଟି ମାମଲାରେ ସବ୍ୟସାଚୀଙ୍କୁ ନିର୍ଦ୍ଦୋଷ କରିଥିବା ନେଇ ଗୁଣପୁର ଏଡିଜେ କୋର୍ଟରେ ରାୟ ପ୍ରକାଶ ପାଇଛି । ଏନେଇ ସୂଚନା ଦେଇଛନ୍ତି ସବ୍ୟସାଚୀଙ୍କ ଓକିଲ ବ୍ରହ୍ମାନନ୍ଦ ପଟ୍ଟନାୟକ ।