Latest Odisha News

BREAKING NEWS

ସୁଧ ଟଙ୍କା ଦେଇ ପାରିଲେନି ବୋଲି ମହିଳାଙ୍କୁ ନିବସ୍ତ୍ର କରି ପିଟିଲେ, ପରିସ୍ରା ପିଆଇଲେ

ପାଟଣା: ମଣିଷପଣିଆକୁ ଲଜ୍ଜା । ସାମାନ୍ୟ ଟଙ୍କା କେତେଟା ପାଇଁ ମଣିଷ ଏତେ ତଳୁ ଖସି ଯାଇପାରେ ! ଏତେ ନିର୍ଦ୍ଦୟ ଏବଂ ନୃଶଂସ ପାଲଟିଯାଏ ! ବେଶୀ ନୁହେଁ, ମାତ୍ର ୧୫୦୦ ଟଙ୍କା ପାଇଁ ବିହାରରେ ଦେଖିବାକୁ ମିଳିଛି ବର୍ବର କାଣ୍ଡ । ୧୫୦୦ ଟଙ୍କାର ଅତିରିକ୍ତ ସୁଧ ଦେଇ ନ ପାରିବାରୁ ଜଣେ ମହିଳାଙ୍କୁ ନିବସ୍ତ୍ର କରି ଦାଣ୍ଡରେ ବୁଲାଇବା ସହ ନିର୍ଦ୍ଦୟ ଭାବେ ପିଟିଛନ୍ତି ପଞ୍ଚାୟତର ଜଣେ ପ୍ରଭାବଶାଳୀ ଲୋକ । ଏମିତି ଘଟଣା ଦେଖିବାକୁ ମିଳିଛି ବିହାରରେ ।

ବିହାରର ଖୁସରୁପର ଉପଖଣ୍ଡ ମୋସିମ ପୁର ପଞ୍ଚାୟତରେ ଘଟିଛି ଏପରି ଲଜ୍ଜାଜନକ ଘଟଣା । ଧାର ନେଇଥିବା ୧୫୦୦ ଟଙ୍କାର ସୁଧ ଦେଇ ପାରିଲେନି ଜଣେ ଦଳିତ ମହିଳା । ଏହାର ଫଳ ସ୍ୱରୂପ ତାଙ୍କୁ ନିବସ୍ତ୍ର କରି ନିର୍ଦ୍ଧୁମ ପିଟିଲେ ଲାକେ । ସେତିକିରେ ମନ ସନ୍ତୁଷ୍ଟ ହେଲାନି । ତାଙ୍କ ଉପରକୁ ପରିସ୍ରା ମଧ୍ୟ କଲେ । ଏହି ବର୍ବର ଘଟଣା ଗତକାଲି ରାତି ୧୦ଟାରେ ଘଟିଥିବା କୁହାଯାଉଛି ।

ପୀଡିତା ମହିଳାଙ୍କ ନାମ ଆଶା ଦେବୀ ବୋଲି କୁହାଯାଉଛି । ତାଙ୍କର କହିବା ଅନୁଯାୟୀ, ସେ ଗତକାଲି ରାତି ପ୍ରାୟ ୧୦ଟା ସମୟରେ ପାଖ ନଳକୂପକୁ ପାଣି ଆଣିବା ପାଇଁ ଯାଇଥିଲେ । ପଞ୍ଚାୟତର ଜଣେ ପ୍ରଭାବଶାଳୀ ବ୍ୟକ୍ତି ତାଙ୍କ ସ୍ୱାମୀ ସୁବୋଧ ଦାସଙ୍କୁ ବନ୍ଧକ ରଖିଲି ବୋଲି କହି ତାଙ୍କ ଘରକୁ ନେଇଗଲା । ପ୍ରମୋଦ ସିଂହ ନାମକ ଉକ୍ତ ବ୍ୟକ୍ତି ଜଣକ ତାଙ୍କ ସ୍ୱାମୀଙ୍କୁ ନିର୍ଦ୍ଦୟ ଭାବେ ମାଡ ମାରିଥିଲା । ଏଥିସହିତ ତାଙ୍କୁ ମଧ୍ୟ ନିବସ୍ତ୍ର କରି ଲାଠିରେ ପିଟିଥିଲା । ମାଡ ଖାଇ ମହିଳାଙ୍କ ମୁଣ୍ଡ ଫାଟି ଯାଇଥିବା ସେ କହିଛନ୍ତି ।

ଏହା ପରେ ପ୍ରମୋଦ ସିଂହ ନିଜ ପୁଅ ଅଂଶୁ କୁମାରଙ୍କୁ ଲଗାଇ ତାଙ୍କ ମୁହଁ ଉପରେ ପରିସ୍ରା କରାଇଲା । କୌଣସି ପ୍ରକାରେ ସେ ନିଜ ଜୀବନ ବଞ୍ଚାଇ ଉଲଗ୍ନ ଅବସ୍ଥାରେ ନିଜ ଘରକୁ ପଳାଇ ଆସିଥିଲେ । ପରେ ପରିବାର ଲୋକେ ସ୍ଥାନୀୟ ଥାନାକୁ ଏ ନେଇ ସୂଚନା ଦେଇଥିଲେ ।

ବର୍ତ୍ତମାନ ପୀଡିତା ମହିଳାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ନ ଥିବାରୁ ତାଙ୍କୁ ଖୁସରୁପୁର ପ୍ରାଥମିକ ସ୍ୱାସ୍ଥ୍ୟକନ୍ଦ୍ରରେ ଭର୍ତ୍ତି କରାଯାଇଛି । ତାଙ୍କ ଶରୀର କ୍ଷତାକ୍ତ ହୋଇଛି । ପୋଲିସ ଡାକ୍ତରଖାନାରେ ପହଞ୍ଚି ମହିଳାଙ୍କ ବୟାନ ରେକର୍ଡ କରିଛି ।

ମହିଳାଜଣକ କହିଛନ୍ତି, ତାଙ୍କର ସ୍ୱାମୀ ୧୫୦୦ ଟଙ୍କା ଧାର ଆଣିଥିଲେ । ସେ ଏହି ଟଙ୍କା ସୁଝି ବି ସାରିଛନ୍ତି । ହେଲେ ସେ ଅଧିକ ସୁଧ ଦାବି କରି ତାଙ୍କୁ ଏପରି ନିର୍ଯାତନା ଦେଉଛନ୍ତି ।

Leave A Reply

Your email address will not be published.