Latest Odisha News

BREAKING NEWS

ରାଜ୍ୟରେ ଚାଲିଛି ସ୍ୱଚ୍ଛତା ହିଁ ସେବା ଅଭିଯାନ, କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଛନ୍ତି ଲକ୍ଷାଧିକ ଲୋକ

ଭୁବନେଶ୍ଵର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନକ୍ରମେ ଆରମ୍ଭ ହୋଇଥିବା ସ୍ୱଚ୍ଛ ଭାରତ ଅଭିଯାନକୁ ଇତି ମଧ୍ୟରେ ୯ ବର୍ଷ ପୁରିବାକୁ ଯାଉଛି । ଏହି କ୍ରମରେ ଗତ ସେପ୍ଟେମ୍ବର ୧୫ ତାରିଖ ଠାରୁ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ପର୍ଯ୍ୟନ୍ତ ଭାରତ ସରକାରଙ୍କ ଜଳ ଶକ୍ତି ମନ୍ତ୍ରଣାଳୟ ଅଧୀନ ପାନୀୟ ଜଳ ଓ ସ୍ୱଚ୍ଛତା ବିଭାଗ ଏବଂ ଆବାସ ଓ ସହରାଞ୍ଚଳ ମନ୍ତ୍ରଣାଳୟ ପକ୍ଷରୁ ସ୍ୱଚ୍ଛତା ହିଁ ସେବା ଅଭିଯାନ କାର୍ଯ୍ୟକାରୀ କରାଯାଉଛି । ଅଭିଯାନ ଅନ୍ତର୍ଗତ ଓଡ଼ିଶାର ବିଭିନ୍ନ ସ୍ଥାନରେ ସ୍ୱଚ୍ଛତା କାର୍ଯ୍ୟକ୍ରମ କରାଯାଉଛି । ଏଥିରେ ବହୁସଂଖ୍ୟାରେ ସାଧାରଣ ଲୋକ ସାମିଲ ହେଉଥିବା ଦେଖାଯାଉଛି ।

ମୟୂରଭଞ୍ଜ, ଗଜପତି, ମାଲକାନଗିରି, ବାଲେଶ୍ଵର ଆଦି ଜିଲ୍ଲାର ବିଭିନ୍ନ ସ୍ଥାନରେ ଘରକୁ ଘର ବୁଲି ଅଳିଆ ସଂଗ୍ରହ କରାଯାଇଛି । ଜଳାଶୟ, ନାଳନର୍ଦ୍ଦମା, ଅଧିକ ବର୍ଜ୍ୟବସ୍ତୁ ଏକତ୍ରିତ ହେଉଥିବା ସ୍ଥାନ, ଧାର୍ମିକ ସ୍ଥାନ, ବିଭିନ୍ନ ପ୍ରତିଷ୍ଠାନ, ବଜାର ଘାଟ, ସ୍ୱଚ୍ଛ ଭାରତ ମିଶନରେ ନିର୍ମିତ ପ୍ରକଳ୍ପ, ପୁଷ୍କରିଣୀ ଆଦି ସଫେଇ କରାଯାଇଛି । ବିଭିନ୍ନ ସଂଗଠନ ଓ ସ୍ଥାନୀୟ ଲୋକମାନେ ସ୍ୱତଃପ୍ରବୃତ ଭାବେ ଶ୍ରମଦାନ କରି ସଫେଇ କରିଛନ୍ତି । ଏହାଛଡ଼ା ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ସ୍ୱଚ୍ଛତାକୁ ନେଇ ସଚେତନତା ଶୋଭାଯାତ୍ରା ଆୟୋଜିତ ହେଉଛି । ବିଭିନ୍ନ ବିଦ୍ୟାଳୟରେ ସ୍ୱଚ୍ଛତା ଶପଥପାଠ, ପ୍ରଶ୍ନୋତ୍ତର ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ ହୋଇଯାଇଛି ।

ଏବେ ସୁଦ୍ଧା ୭ ଲକ୍ଷ ୧୭ ହଜାର ୨୮୫ ଜଣ ଲୋକ ଜନ ସଚେତନତା କାର୍ଯ୍ୟକ୍ରମରେ ଭାଗ ନେଇଥିବା ବେଳେ ଗ୍ରାମାଞ୍ଚଳର ୧୧ ଲକ୍ଷ ୫୬ ହଜାର ୧୯୦ ଜଣ ଲୋକ ଏବଂ ଜିଲ୍ଲାସ୍ତରୀୟ ଅଧିକାରୀମାନେ ସ୍ୱଚ୍ଛତା ହିଁ ସେବା ଅଭିଯାନ ଅନ୍ତର୍ଗତ ଶ୍ରମଦାନ କରି ବିଭିନ୍ନ ସ୍ଥାନରେ ସଫେଇ କରିଛନ୍ତି । ରାଜ୍ୟର ଗ୍ରାମାଞ୍ଚଳରେ ସ୍ୱଚ୍ଛ ଭାରତ ମିଶନ -ଗ୍ରାମୀଣ ଅଧୀନରେ ନିର୍ମିତ ସମ୍ପତ୍ତିର ରଙ୍ଗ ଓ ସୌନ୍ଦର୍ଯ୍ୟକରଣ କାମରେ ୭୨ ହଜାର ୬୯୩ ଲୋକ ଭାଗ ନେଇଛନ୍ତି ।

Leave A Reply

Your email address will not be published.