Latest Odisha News

ଡାଲମିଆ ସିମେଣ୍ଟ କଂପାନୀ ଦୁର୍ଘଟଣା, ୩ ଜଣ ଶ୍ରମିକ ନିଖୋଜ

ରାଜଗାଙ୍ଗପୁର: ରାଜଗାଙ୍ଗପୁର ଡାଲମିଆ ସିମେଣ୍ଟ କଂପାନୀ ଦୁର୍ଘଟଣା। ୩ ଶ୍ରମିକ ନିଖୋଜ । ତେବେ ୩ ଜଣ ଶ୍ରମିକ ତଳେ ଚାପି ହୋଇ ରହିଥିବା ନେଇ ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଗତକାଲି କାରଖାନାରେ ସିମେଣ୍ଟ ଷ୍ଟକ୍ ରଖାଯାଉଥିବା ବେଳେ ଭୁଶୁଡ଼ି ପଡ଼ିଥିଲା କୋଇଲା ହପର।

ସୂଚନା ଅନୁସାରେ, ଗତକାଲି ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ସ୍ଥିତ ଡାଲମିଆ ସିମେଣ୍ଟ କାରଖାନାରେ ପାୱାର ପ୍ଲାଣ୍ଟର ବଏଲରକୁ କୋଇଲା ଯୋଗାଉଥିବା ହପର ଭୁଶୁଡି ପଡିବା ଫଳରେ ବଡ ଧରଣର ଅଘଟଣ ଘଟିଛି। ବଙ୍କର୍‌ ତଳେ ଶ୍ରମିକମାନେ କାମ କରୁଥିବାବେଳେ ତାହା ଭାଙ୍ଗି ସେମାନଙ୍କ ଉପରେ ପଡ଼ିଥିଲା । ବଙ୍କର୍‌ କୋଇଲା ଗୁଣ୍ଡରେ ଭର୍ତ୍ତି ହୋଇଥିବାରୁ ସେଥିରେ ୧୨-୧୪ ଜଣ ଶ୍ରମିକ ପୋତି ହୋଇଯାଇଥିଲେ। ବହୁ ସମୟ ପର୍ୟ୍ୟନ୍ତ ସେମାନେ କୋଇଲା ତଳେ ଚାପି ହୋଇ ରହିଥିଲେ । ଖବର ପାଇ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜୋରସୋରରେ ଜାରି ରହିଥିବା ବେଳେ ଅଗ୍ନିଶମ ବିଭାଗର ୬ଟି ଟିମ ସହିତ ବଡ ବଡ କ୍ରେନ୍ ମଧ୍ୟ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଛି। ସେପଟେ ଏସପି, ତହସିଲଦାର ଏବଂ ଥାନା ଅଧିକାରୀ ଉଦ୍ଧାର କାର୍ଯ୍ୟ ତଦାରଖ କରୁଛନ୍ତି। ତେବେ ଫଶି ରହିଥିବା ସମସ୍ତ ଶ୍ରମିକଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୩ଜଣ ଶ୍ରମିକ ଏବେ ନିଖୋଜ ଅଛନ୍ତି । ୩ ଜଣ ଶ୍ରମିକ ତଳେ ଚାପି ହୋଇ ରହିଥିବା ନେଇ ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି। ନିଖୋଜ ଶ୍ରମିକ ମାନେ ହେଲେ ସୁଶାନ୍ତ ରାଉତ, ଦଶରଥ ପାତ୍ର ଏବଂ ରଞ୍ଜିତ ଭୋଳ।

ସୂଚନାଯୋଗ୍ୟ, ଗତ ୨୦୨୪ ନଭେମ୍ବର ୨୬ରେ ଡାଲମିଆ ସିମେଣ୍ଟ କାରଖାନାରେ କୋଇଲା ବୋଝେଇ କନଭେୟର ବେଲ୍ଟ ଭୁଶୁଡ଼ି ପଡ଼ିଥିଲା। ‌ତେବେ ଏହି ଘଟଣାରେ କାହାର କୌଣସି କ୍ଷତି ହୋଇ ନଥିଲା। ହେଲେ ଆଜି କୋଇଲା ବୋଝେଇ ହପର୍ ଓଭରଲୋଡ ଥିଲା। ଓଭରଲୋଡିଂ କାରଣରୁ ସେନସର କାମ ନକରିବାରୁ ଏପରି ଘଟଣା ଘଟିଥିବା କୁହାଯାଉଛି। ତେବେ ଏହି କାରଖାନାରେ ବାରମ୍ବାର ଏପରି ଦୁର୍ଘଟଣା ଘଟିବା, କର୍ମଚାରୀଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Comments are closed.