ନିମାପଡ଼ା : ସେପ୍ଟେମ୍ବର ମାସରେ ଲଗାଣ ବର୍ଷା ପାଇଁ ସୃଷ୍ଟି ହୋଇଥିଲା କ୍ରୁତ୍ରିମ ବନ୍ୟା । ଆଉ ଏବେ ବାତ୍ୟା ଜଓ୍ବାଦର ବର୍ଷା ଯୋଗୁଁ ଭାଙ୍ଗି ଯାଇଛି ଚାଷୀଙ୍କ ମେରୁଦଣ୍ଡ । ନିମାପଡ଼ା ବଳଙ୍ଗା ଅଞ୍ଚଳରେ ଧାନ ସହ କ୍ଷତିଗ୍ରସ୍ତ ହୋଇଛି ପନିପରିବା ଫସଲ । ବର୍ଷା ଯୋଗୁଁ ପ୍ରାୟ ୭୦ ପ୍ରତିଶତ ଜମିରେ ଧାନ ଫସଲ ବୁଡି ରହିଛି । ପାଣି କେବେ କମିବ, ପାଚିଲା ଧାନ କେମିତି ଅମଳ ହେବ ସେନେଇ ଚିନ୍ତାରେ ପଡିଛନ୍ତି । ଧାନ ଗଜା ହୋଇଯିବାର ଭୟ ଚାଷୀଙ୍କ ଚିନ୍ତାକୁ ଦ୍ବିଗୁଣିତ କରିଛି ।
ଧାନ ବିଲରେ ଆଣ୍ଠୁଏ ଆଣ୍ଠୁଏ ପାଣି ଜମି ରହିଛି । କିଛି କିଛଇ ଚାଷ ଜମିରେ ଧାନ ଗଛ ସବୁ ପଚିବା ସହ ପାଚିଲା ଧାନରୁ ଗଜା ବି ବାହାରିଲାଣି । ଖାଲି ଧାନ ଫସଲ ନୁହେଁ, ଜଓ୍ବାଦ ପ୍ରଭାବରେ ନିମାପଡ଼ା ବଳଙ୍ଗା ଅଞ୍ଚଳର କୋବି, ବାଇଗଣ, କଲରା, ଜହ୍ନି, ଭେଣ୍ଡି, ଲଙ୍କା, ବିମ୍ସ ଆଦି ପନିପରିବା ଗଛ ବି କ୍ଷତିଗ୍ରସ୍ତ ହୋଇଛି । ପରିବା ଚାଷ କରି ଜୀବିକା ନିର୍ବାହ କରୁଥିବା ହଜାର ହଜାର ଚାଷୀ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି । କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା ଦେବା ସହ ଋଣ ଛାଡ କରିବାକୁ ଦାବି ହୋଇଛି । କୃଷି ବିଭାଗ ପକ୍ଷରୁ କ୍ଷୟକ୍ଷତିର ଆକଳନ କରାଯାଉଛି ।
Comments are closed.