ଭୁବନେଶ୍ୱର: ଓଡ଼ିଶାରେ ବସବାସ କରୁଥିବା ୬୨ ପ୍ରକାର ଜନଜାତିଙ୍କ ମଧ୍ୟରୁ ଡଙ୍ଗରିଆ କନ୍ଧ ଅନ୍ୟତମ । ଏମାନେ କୁଇ ଭାଷା କହିବା ସହ ସେମାନଙ୍କ ପୋଷାକ ଓ ଚାଲି ଚଳଣି ଅନ୍ୟମାନଙ୍କ ଠାରୁ ଭିନ୍ନ । ଏମାନେ ଘଞ୍ଚ ଜଙ୍ଗଲରେ ରୁହନ୍ତି । ନିୟମଗିରି ପାହାଡ଼ରେ ବସବାସ କରନ୍ତି ।
ହେଲେ ଏହି ଆଦିମ ଆଦିବାସୀଙ୍କ ଜାତି ଓ ସମ୍ପ୍ରଦାୟକୁ ନେଇ ଏବେ ଉଠିଛି ପ୍ରଶ୍ନ । ଗତ ୨୪ ତାରିଖରେ ଓଡ଼ିଶା କ୍ୟାବିନେଟ୍ ୨୨ ଗୋଟି ଜାତି/ସମ୍ପ୍ରଦାୟକୁ ସାମାଜିକ ଓ ଶିକ୍ଷାଗତ ପଛୁଆ ବର୍ଗ (SEBC) ତାଲିକାରେ ସାମିଲ୍ ନେଇ ଓଡ଼ିଶା ରାଜ୍ୟ ପଛୁଆ ବର୍ଗ ଆୟୋଗ ଅଧିନିୟମ ୧୯୯୩ର ସଂଶୋଧନ ସମ୍ବନ୍ଧୀୟ ଅଧ୍ୟାଦେଶ ପ୍ରସ୍ତାବକୁ ଅନୁମୋଦନ ଦେଇଥିଲା ।
ଓଡ଼ିଶାର ୨୨ ଗୋଟି ଜାତି/ ସମ୍ପ୍ରଦାୟ ଏବଂ ଏହାର ସମାର୍ଥକ ଜାତିଗୁଡ଼ିକ ରାଜ୍ୟର ସାମାଜିକ ଓ ଶିକ୍ଷାଗତ ପଛୁଆ ବର୍ଗ (SEBC) ତାଲିକାରେ ଅନ୍ତର୍ଭୁକ୍ତ ହେବେ। ଏ ନେଇ #OdishaCabinet ପକ୍ଷରୁ ଓଡ଼ିଶା ରାଜ୍ୟ ପଛୁଆବର୍ଗ ଆୟୋଗ ଅଧିନିୟମ ୧୯୯୩ର ସଂଶୋଧନ ସମ୍ବନ୍ଧୀୟ ଅଧ୍ୟାଦେଶର ଘୋଷଣା ପ୍ରସ୍ତାବ ଅନୁମୋଦିତ ହୋଇଛି। pic.twitter.com/zmCWw9QgUQ
— CMO Odisha (@CMO_Odisha) April 24, 2023
ଏ ସମ୍ପର୍କିତ ଏକ ଟ୍ୱିଟ୍ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କରାଯାଇଥିବା ବେଳେ ସେଥିରେ ଡଙ୍ଗରିଆ କନ୍ଧଙ୍କ ଫଟୋ ରହିଛି । ଯେଉଁମାନେ କି ଆଦିମ ଆଦିବାସୀ । ଡଙ୍ଗରିଆ କନ୍ଧ ଆଦିମ ଆଦିବାସୀ ହୋଇଥିବା ବେଳେ ସାମାଜିକ ଓ ଶିକ୍ଷାଗତ ପଛୁଆ ବର୍ଗ ନେଇ ସିଏମଓ କରିଥିବା ଟ୍ୱିଟରେ କାହିଁକି ଡଙ୍ଗରିଆ କନ୍ଧଙ୍କ ଫଟୋ ରଖାଗଲା ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଆଦିବାସୀ ନେତା ।
କୁଇ ସମାଜର ସାଧାରଣ ସମ୍ପାଦକ ଲମ୍ବୋଦର କହଁର, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଏଭଳି ଟ୍ୱିଟ୍ ଓ ଫଟୋକୁ ନେଇ ପ୍ରତିବାଦ କରିବା ସହ ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି । ଲମ୍ବୋଦର କହଁର କହିଛନ୍ତି, ସରକାର ତୁରନ୍ତ ତ୍ରୁଟି ସୁଧାରନ୍ତୁ । ଡଙ୍ଗରିଆ କନ୍ଧ ହେଉଛନ୍ତି ଆଦିମ ଆଦିବାସୀ, ଏସଇବିସି ନୁହଁନ୍ତି । ଏଭଳି କରିବା ଆମ ପ୍ରତି, ଆଦିବାସୀଙ୍କ ପ୍ରତି ଅପମାନ । ସରକାର ଭୁଲ୍ ନ ସୁଧାରିଲେ ପ୍ରତି ଜିଲ୍ଲାରେ ଆନ୍ଦୋଳନ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି ।
ସେହିଭଳି ଆଦିବାସୀ ନେତା ସୋନୁ ଅନୁଗୁ କହିଛନ୍ତି, ଡଙ୍ଗରିଆ କନ୍ଧ ଏସଇବିସି ନୁହଁନ୍ତି । ସେମାନେ ହେଉଛନ୍ତି ଆଦିମ ଆଦିବାସୀ । ସିଏମଓ ପକ୍ଷରୁ ଏଭଳି କରାଯିବା ଗ୍ରହଣୀୟ ନୁହେଁ । ଏଭଳି କରି ଡଙ୍ଗରିଆ କନ୍ଧଙ୍କୁ ଅସମ୍ମାନ କରାଯାଉଛି ।
ତେବେ ପ୍ରଶ୍ନ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ କଣ ଜାଣି ପାରୁନି ଡଙ୍ଗରିଆ କନ୍ଧ କେଉଁ ସମ୍ପ୍ରଦାୟର ? ନା ଅଜାଣତରେ ଏଭଳି ଭୁଲ୍ ହୋଇଛି । ଯଦି ଅଜାଣତରେ ଭୁଲ୍ ହୋଇଛି ତେବେ କାହିଁକି ୪୮ ଘଣ୍ଟା ପରେ ବି ତ୍ରୁଟି ସୁଧାରୁନି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ?
Comments are closed.