ଡଙ୍ଗରିଆଙ୍କ ଶାଲ ଓ ଲାଂଜିଆ ସଉରାଙ୍କ ଇଡିତାଲ୍କୁ ମିଳିବ ଜିଆଇ ଟ୍ୟାଗ ମାନ୍ୟତା : କେନ୍ଦ୍ର ସରକାର ଜାରି କଲେ ବିଜ୍ଞାପନ
ରାୟଗଡା : ଓଡିଶାର ସ୍ୱତନ୍ତ୍ର ସାତୋଟି ଉତ୍ପାଦ ସାମଗ୍ରୀକୁ ଜିଆଇ ଟ୍ୟାଗ ପାଇବା ପାଇଁ ପଦକ୍ଷେପ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏହି କ୍ରମରେ ରାୟଗଡା ଜିଲ୍ଳାର ନିୟମଗିରି ପାହାଡର ପାଦ ଦେଶରେ ରହୁଥିବା ଡଙ୍ଗରିଆ କନ୍ଧ ଆଦିମ ଜନଜାତି ମହିଳାମାନଙ୍କ ଦ୍ୱାରା ବୁଣାଯାଉଥିବା ଆର୍କଷଣୀୟ ଏମ୍ବ୍ରୋଇଡରୀ ଶାଲ୍ ‘କପଡାଗୁନ୍ଦା’କୁ ଏବେ ଜିଆଇ ଟ୍ୟାଗ ମାନ୍ୟତା ମିଳିବାକୁ ଯାଉଛି ।
ନିୟମଗିରି ଡଙ୍ଗରିଆ କନ୍ଧ ୱେଭେର୍ସ ଆସୋସିଏସନ ରାଜ୍ୟ ସରକାରଙ୍କ ଅନୁସୂଚିତ ଜାତି ଓ ଜନଜାତି ଗବେଷଣା ଏବଂ ପ୍ରଶିକ୍ଷଣ ଅନୁଷ୍ଠାନ ବିଭାଗ ସ୍ୱତନ୍ତ୍ର ସଚିବ ତଥା ନିର୍ଦ୍ଦେଶକଙ୍କ ଦ୍ୱାରା ‘କପଡାଗୁନ୍ଦା ’କୁ ଜିଆଇ ଟ୍ୟାଗ ମିଳିବା ନିମନ୍ତେ ଆବେଦନ କରାଯାଇଥିଲା । ସେହିପରିି ଗୁଣପୁର ଉପଖଣ୍ଡରେ ରହୁଥିବା ପୁଟାସିଂ ଅଂଚଳର ଲାଜିଂଆ ସଉରାଙ୍କ ଦ୍ୱାରା କାନ୍ଥଗୁଡିକରେ ଅଙ୍କା ଯାଉଥିବା ସୁନ୍ଦର ‘ଇଡିତାଲ’ ଚିତ୍ରକୁ ଜିଆଇ ଟ୍ୟାଗ ମିଳିବା ପାଇଁ ଆବେଦନ କରାଯାଇଥିଲା । ୨୦୨୦-୨୧ ମସିହାରେ ଡଙ୍ଗରିଆ କନ୍ଧଙ୍କ ବାନ୍ଧ କଳା ‘କପଡାଗୁନ୍ଦା ’ ଶାଲ୍ ଜିଆଇ ଟ୍ୟାଗ ମାନ୍ୟତା ପାଇବା ନିମନ୍ତେ ଆବେଦନ କରାଯାଇଥିବା ବେଳେ ୨୦୨୧-୨୨ ମସିହାରେ ଲାଂଜିଆ ସଉରାଙ୍କ ‘ଇଡିତାଲ’ ଚିତ୍ର ନିମନ୍ତେ ଆବେଦନ କରାଯାଇଥିଲା ।
କେନ୍ଦ୍ର ସରକାରଙ୍କ ଜିଆଇ ଟ୍ୟାଗ ଜୋର୍ନାଲରେ ମାଧ୍ୟମରେ ‘କପଡାଗୁନ୍ଦା’ ଏବଂ ‘ଇଡିତାଲ’ ଚିତ୍ରକୁ ନେଇ କାହାର କିଛି ଅଭିଯୋଗ ଥାଏ ତାହାହେଲେ ଅଭିଯୋଗ ପାତ୍ର ଦାଖଲ ପାଇଁ ବିଜ୍ଞାପନ ପ୍ରକାଶିତ ହୋଇଛି । ‘କପଡାଗୁନ୍ଦା ’ ଶାଲର ଚାହିଦା ଆନ୍ତର୍ଜାତୀୟ ବଜାରରେ ଅଧିକ ରହିଥିବା ବେଳେ ଇଡିତାଲ ଚିତ୍ର ମଧ୍ୟ ବିଶ୍ୱସ୍ତରରେ ପ୍ରସିଦ୍ଧ ଲାଭ କରିଛି । ତେବେ ଉଭୟ ଲାଞ୍ଜିଆ ସଉରା ଏବଂ ଡ଼ଙ୍ଗରିଆ କାନ୍ଧ ଭଳି ଆଦିମ ଜନଜାତି ଜିଆଇ ଟ୍ୟାଗ ପାଇଁ ଦୀର୍ଘବର୍ଷ ଧରି ଦାବି କରି ଆସୁଛନ୍ତି । ବର୍ତ୍ତମାନ ଚେନ୍ନାଇଭିତ୍ତିକ ଭୌଗୋଳିକ ସୂଚକାଙ୍କ ରେଜିଷ୍ଟ୍ରି ଜିଆଇ ପଞ୍ଜିକରଣ ପାଇଁ ଜାତୀୟ ସଂସ୍ଥା ନିକଟରେ ଓଡିଶା ନୟାଗଡର କଂଟେଇମୁଣ୍ଡି ବାଇଗଣ, କୋରାପୁଟର କଳାଜୀରା , ରାୟଗଡାର ‘କପଡାଗୁନ୍ଦା ’ ଏବଂ ‘ଇଡିତାଲ’ ସମେତ ୭ଟି ଉତ୍ପାଦ ପାଇଁ ବିଜ୍ଞାପନ ଜାରି କରିଛି । ଯଦି କେହି ଏହି ୭ଟି ଉତ୍ପାଦକୁ ବିରୋଧ ନ କରନ୍ତି ତେବେ ଏଗୁଡିକ ଜିଆଇ ମାନ୍ୟତା ପାଇବ ।
ଏହି ସମସ୍ତ ଉତ୍ପାଦଗୁଡିକ ଖାଦ୍ୟ,ହସ୍ତତନ୍ତ ଏବଂ କୃଷି ବିଭାଗ ଅଧିନରେ ଅନ୍ତର୍ଭୁକ୍ତ । ତେବେ ଜିଆଇ ଟ୍ୟାଗ ମାନ୍ୟତା ମିଳିବା ପାଇଁ ଆହୁରି ୪ରୁ ୫ମାସ ସମୟ ଲାଗିପାରେ ବୋଲି ଜଣାପଡିଛି । ଏଥି ପୂର୍ବରୁ ଜିଆଇ ରେଜିଷ୍ଟ୍ରର ବିଶେଷଜ୍ଞ ଗୋଷ୍ଠୀ ଆବେଦନକାରୀଙ୍କୁ ରାଜ୍ୟ ତଥା ଦେଶର ଅନ୍ୟାନ୍ୟ ଭାଗରେ ଏଭଳି ଉତ୍ପାଦିତ ଅନନ୍ୟତା ପ୍ରତିଷ୍ଠା କରୁଥିବା ଏକ ତୁଳନାତ୍ମକ ବିଶ୍ଳେଷଣ ରିପୋର୍ଟ ଦାଖଲ କରିବାକୁ କୁହାଯାଇଥିଲା ।
ରାୟଗଡା ଜିଲ୍ଳାର ଏହି ଦୁଇଟି ସାମଗ୍ରୀକୁ ଜିଆଇ ଟ୍ୟାଗ ମିଳିବା ଖବର ପ୍ରସାରିତ ହେବା ପରେ ଜିଲ୍ଳାରେ ଖୁସିର ଲହରି ଖେଳିଯାଇଛି । କପଡାଗନ୍ଦା ଓ ଇଡିତାଲକୁ ଜିଆଇ ଟ୍ୟାଗ ମିଳିବା ପରେ ଏହାର ପ୍ରଚାର , ପ୍ରସାର ସହ ବଜାରୀକରଣ ନିମନ୍ତେ ରାୟଗଡା ଜିଲ୍ଳା ପ୍ରଶାସନ ତରପରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ରାୟଗଡ଼ା ଜିଲ୍ଲାପାଳ ସ୍ୱଧା ଦେବ ସିଂ । ତତ୍ ସଙ୍ଗେ ସଙ୍ଗେ ଏହାଦ୍ୱାରା ଆଦିମ ଜନଜାତିଙ୍କ ଆର୍ôଥକ ଅଭିବୃଦ୍ଧିରେ ଏହି ଜିଆଇ ଟ୍ୟାଗ ସହାୟକ ହେବ ବୋଲି ସେ ଆଶାବାଦୀ ଥିବା କହିଛନ୍ତି ।
Comments are closed.