ଲଣ୍ଡନ: କାନାଡାର ଡ୍ୟାନିୟଲ ମ୍ୟାକଗେହେ ପ୍ରଥମ ଟ୍ରାନ୍ସଜେଣ୍ଡର ଭାବେ ଆନ୍ତର୍ଜାତୀୟ କ୍ରିକେଟ ଖେଳିବାକୁ ଯାଉଛନ୍ତି । ବାଂଲାଦେଶ ବିପକ୍ଷ ଟି୨୦ ବିଶ୍ୱକପ କ୍ୱାଲିଫାୟର୍ସରେ ସେ ଏହି କୀର୍ତିମାନ ସ୍ଥାପନ କରିବାକୁ ଯାଉଛନ୍ତି । ୨୯ ବର୍ଷୀୟା ମ୍ୟାକଗେହେଙ୍କୁ କାନାଡା ମହିଳା ଟିମରେ ଚୟନ କରାଯାଇଛି । ଆଇସିସିର ସମସ୍ତ ମାନଦଣ୍ଡରେ ସେ ଉନ୍ନୀତ ହୋଇଥିବାରୁ କୌଣସି ପ୍ରକାରର ଅସୁବିଧା ନାହିଁ ବୋଲି କାନାଡା ବୋର୍ଡ ପକ୍ଷରୁ କୁହାଯାଇଛି । କ୍ୱାଲିଫାଇଂ ଟୁର୍ଣ୍ଣାମେଂଟ ଲସ ଆଞ୍ଜେଲ୍ସରେ ୪ରୁ ୧୧ ସେପ୍ଟମ୍ବର ପର୍ଯ୍ୟନ୍ତ ଆୟୋଜିତ ହେବ । ଆର୍ଜେଂଟିନା, ବ୍ରାଜିଲ ଓ ଆମେରିକା ସହ କାନାଡାକୁ ମୁକାବିଲା କରିବାକୁ ପଡିବ ।
ମ୍ୟାକଗେହେ ଫେବୃୟାରୀ ୨୦୨୦ରେ ଅଷ୍ଟ୍ରେଲିଆରୁ କାନାଡା ଆସିଥିଲେ । ଏହା ପରେ ନଭେମ୍ବରରେ ସେ ଅପରେଶନ ସହାୟତାରେ ପୁରୁଷକୁ ମହିଳା ହୋଇଥିଲେ । ମେ ୨୦୨୧ରେ ତାଙ୍କ ମେଡିକାଲ ପରିବର୍ତନ ହୋଇଥିଲା । ଟେଷ୍ଟୋଷ୍ଟୋରେନ ସ୍ତର ଜାଣିବା ପାଇଁ ସେ ୨ ବର୍ଷ ଧରି କ୍ରମାଗତ ଭାବେ ପରୀକ୍ଷା କରି ଆସୁଥିଲେ । ମୁଁ ଟ୍ରାନ୍ସଜେଣ୍ଡର ସମୁଦାୟ ପାଇଁ ପ୍ରତିନିଧିତ୍ୱ କରୁଥିବାରୁ ଗର୍ବିତ ଅନୁଭବ କରୁଛି ବୋଲି କହିଛନ୍ତି । ଆଥଲେଟିକ୍ସ, ସାଇକ୍ଲିଂ ଓ ସନ୍ତରଣ ପ୍ରତିଯୋଗିତା ପାଇଁ ଟ୍ରାନ୍ସଜେଣ୍ଡର ନୀତିରେ ଅନେକ ପରିବର୍ତନ କରାଯାଇଛି । କ୍ରିକେଟରେ ଏହା ପ୍ରଥମ ଘଟଣା ହୋଇଥିବାରୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଉଛି ।
Comments are closed.