Latest Odisha News

BREAKING NEWS

ଆଜି ବିଶ୍ୱ ସଂସ୍କୃତ ଦିବସ: ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

Today is World Sanskrit Day

ଭୁବନେଶ୍ୱର: ଆଜି ହେଉଛି ବିଶ୍ୱ ସଂସ୍କୃତ ଦିବସ । ବିଶ୍ୱ ଦରବାରରେ ସଂସ୍କୃତ ଭାଷାର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି । ଏହା ଏକ ପ୍ରାଚୀନ ଭାଷା ରୂପେ ବିଶ୍ୱ ବିକ୍ଷାତ ।  ଆମର ବେଦ,  ଉପନିଷଦ୍‌, ଶାସ୍ତ୍ର, ପୁରାଣ ଓ ଅନେକ ପ୍ରାଚୀନ ଗ୍ରନ୍ଥ ଗୁଡ଼ିକ ସଂସ୍କୃତ ଭାଷାରେ ରଚିତ । ଏଣୁ ସଂସ୍କୃତକୁ ଆମ ସଂସ୍କୃତିର ଏକ ବଳିଷ୍ଠ ମାଧ୍ୟମ ବୋଲି କୁହାଯାଏ । ଏହାର ଚମତ୍କାର ପ୍ରୟୋଗାତ୍ମକ ବ୍ୟାପକତା, ଶବ୍ଦ ସମ୍ଭାର, ବ୍ୟାକରଣ ବିଜ୍ଞାନ ଓ ବିନ୍ୟାସଗତ ନମନୀୟତା ସଂସ୍କୃତକୁ ଏକ ସମୃଦ୍ଧ ଓ ବଳିଷ୍ଠ ଭାଷାର ପରିଚୟ ଦେଇଥାଏ । ‘ସଂସ୍କୃତ’, ମାନବୀୟ ସଞ୍ଚାରର ସବୁଠାରୁ ପ୍ରଭାବୀ ମାଧ୍ୟମ ବୋଲି ଗବେଷକମାନେ ମତ ଦିଅନ୍ତି । ଏହାକୁ ମଧ୍ୟ ଚେତନାର ଭାଷା ବୋଲି କୁହାଯାଏ । ତେଣୁ ଏହାର ସାଂସ୍କୃତିକ ବିଶେଷତ୍ବ ତଥା ଏହାର ଗୁରୁତ୍ବ ସମ୍ବନ୍ଧରେ ସଚେତନତା ସୃଷ୍ଟି କରିବା ପାଇଁ ୧୯୬୯ ମସିହାରେ ଭାରତ ସରକାରଙ୍କ ଦ୍ୱାରା ସଂସ୍କୃତ ଦିବସ ପାଳନର ନିଷ୍ପତ୍ତି ନିଆଯାଇଥିଲା । ଆଜି  ବିଶ୍ବ ସଂସ୍କୃତ ଦିବସ ଅବସରରେ  ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।  ଏହି ଦିବସକୁ ପାଳନ କରିବାକୁ ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି ପ୍ରଧାନମନ୍ତ୍ରୀ ।

ପ୍ରତିବର୍ଷ ଶ୍ରାବଣ ପୂର୍ଣ୍ଣିମା‌ ଦିନ ସଂସ୍କୃତ ଦିବସ ପାଳିତ ହୋଇଥାଏ ।  ଭାରତର ପ୍ରାଚୀନ ସଂସ୍କୃତିରେ ଏହାକୁ ବିଦ୍ୟାରମ୍ଭର ସମୟ ବୋଲି କୁହାଯାଏ । ‘ସଂସ୍କୃତ’ ସବୁ ଭାଷାର ଜନନୀ ବୋଲି ସଂସ୍କୃତ ପଣ୍ଡିତମାନେ ମତ ଦିଅନ୍ତି । ତେବେ ସେମାନେ ଏପରି କହିବାର କାରଣ ହେଉଛି, ସଂସ୍କୃତ ଭାଷାର ବ୍ୟାକରଣଗତ ବିଶାଳତା, ସମୃଦ୍ଧ ଶବ୍ଦ କୋଷ ସାଙ୍ଗକୁ ଏହାର ଐତହାସିକ ଓ ସାଂସ୍କୃତିକ ମହତ୍ତ୍ବ ।

ସାରା ବିଶ୍ୱରେ ସଂସ୍କୃତର ଏକ ସ୍ୱତନ୍ତ୍ର ସ୍ଥାନ ରହିଥିବାବେଳେ ଭାଷାବିଜ୍ଞାନ, ଦର୍ଶନଶାସ୍ତ୍ର ଓ ବିଜ୍ଞାନ ଆଦି କ୍ଷେତ୍ର ସଂସ୍କୃତର ବିଭିନ୍ନ ବୈଭବ ଦ୍ବାରା ପ୍ରଭାବିତ। ସଂସ୍କୃତ ବ୍ୟକ୍ତିର ବୌଦ୍ଧିକ ବିକାଶକୁ ତ୍ବରାନ୍ବିତ କରିଥାଏ ।  ଯାହା ଦ୍ୱାରା ସାଂସ୍କୃତିକ ସମ୍ବେଦନା ସୃଷ୍ଟି ହେବା ସହିତ ଏହା ବ୍ୟକ୍ତିତ୍ବର ପୂର୍ଣ୍ଣାଙ୍ଗ ବିକାଶ ଦିଗରେ ସହାଯ୍ୟ କରିଥାଏ । କଳା, ସାହିତ୍ୟ, ସଙ୍ଗୀତ ଓ ଦର୍ଶନ ଶାସ୍ତ୍ର ମାଧ୍ୟମରେ ସଂସ୍କୃତ ସବୁବେଳେ ଆମ ସଂସ୍କୃତିକୁ ପ୍ରଭାବିତ କରିଆସୁଅଛି।

ସତ୍ୟ ସନାତନରୁ ସଂସ୍କୃତର ଶୃଷ୍ଟି ହୋଇଥିବାବେଳେ ଅନେକ ପ୍ରାଚୀନ ଗ୍ରନ୍ଥ, ପୁରାଣ, ବେଦ, ଉପନିଷଦ୍‌ ଆଦି ସଂସ୍କୃତରେ ଲେଖାଯାଇଛି। ଉଦାହରଣ ସ୍ୱରୁପ ଯୁଗ ଯୁଗାନ୍ତରରୁ ଶୃଷ୍ଟିରେ ବିଦ୍ୟମାନ ଥିବା ୪ଟି ବେଦ (ଋଗ୍ ବେଦ, ସାମ୍ ବେଦ, ଯଜୁର୍ବେଦ, ଅଥର୍ବ ବେଦ), ୧୮ ଖଣ୍ଡ ମହାପୁରାଣ, ରାମାୟଣ, ମହାଭାରତ ଆଦି ସଂସ୍କୃତରେ ରଚନା କରାଯାଇଥିଲା ।

 

Leave A Reply

Your email address will not be published.