ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି ସାଂସଦ ରମେଶ ବିଧୁରୀ ସଂସଦରେ ଆପତ୍ତିଜନକ ଭାଷା କହିଥିବା ନେଇ ବିବାଦ ଜୋର ଧରିଛି । ବିଧୁରୀ ସାଂସଦରେ ଚନ୍ଦ୍ରଯାନ-୩ ଉପରେ ଚାଲିଥିବା ଚର୍ଚ୍ଚା ସମୟରେ ବହୁଜନ ସମାଜବାଦୀ ପାର୍ଟିର ସାଂସଦ ଦାନିଶ ଅଲ୍ଲୀଙ୍କ ବିରୋଧରେ ଆପତ୍ତିଜନକ ଶବ୍ଦ ପ୍ରୟୋଗ କରିଥିଲେ । ଦାନିଶ ଲୋକସଭା ସ୍ପିକରଙ୍କୁ ଚିଠି ଲେଖି ରମେଶ ବିଧୁରୀଙ୍କ ସଦସ୍ୟତା ରଦ୍ଦ ପାଇଁ ଦାବି କରିଛନ୍ତି ।
ଅନ୍ୟପକ୍ଷେ ବିଜେପି ପକ୍ଷରୁ ବିଧୁରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରି ତାଙ୍କଠାରୁ ଜବାବ ମଗାଯାଇଛି ଯେ ଦଳ ତାଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ନେବନି ? ଦଳର ଅନୁଶାସନ ସମିତି ତାଙ୍କୁ ୧୫ ଦିନ ମଧ୍ୟରେ ଜାବବ ମାଗିଛି ।
ସେପଟେ ବିଧୁରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ କଂଗ୍ରେସ ଦାବି କରିଛି । ମିଳିଥିବା ସୂଚନା ଅନୁସାରେ, ସାଂସଦ ରେମଶ ବିଧୁରୀ ଲୋକ ସଭା ସ୍ପିକର ଓମ ବିରଲାଙ୍କ ସହ ଆଲୋଚନା କରିଚନ୍ତି । ରେମଶ ବିଧୁରୀଙ୍କ ମାମଲା ସ୍ପିକର ଗୁରୁତ୍ୱର ସହ ବିଚାର କରୁଛନ୍ତି । ଏହି ମାମଲାରେ ସେ ବିରକ୍ତି ପ୍ରକାଶ କରିବା ସହ ବିଧୁରୀଙ୍କୁ ଚେତାବନୀ ବି ଦେଇଛନ୍ତି ଯେ, ଭାଷାର ମର୍ଯ୍ୟଦା ପ୍ରତି ଧ୍ୟାନ ଦିଅନ୍ତୁ ।
ଲାଲୁ ଯାଦବ ବିଧୁରୀଙ୍କ ଭାଷାକୁ ନେଇ କଡା ସମାଲୋଚନା କରି କହିଛନ୍ତି, ପ୍ରଧାନମନ୍ତ୍ରୀ ଦେଶର ସମୃଦ୍ଧ ସଂସଦୀୟ ପରମ୍ପରା ବିରୋଧରେ ଏପରି ବିକୃତ ସାମାଜିକ ରାଜନୀତିକ ସଂସ୍କୃତିକୁ ଜନ୍ମ ଦେଇଛନ୍ତି । ତାଙ୍କର ଜଣେ ସାଂସଦ ରାଷ୍ଟ୍ରପିତା ଗାନ୍ଧୀଜୀଙ୍କ ହତ୍ୟାକାରୀଙ୍କୁ ମହିମା ମଣ୍ଡନ କରୁଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଇଶାରାରେ ବିଜେପି ସାଂସଦ ପାର୍ଲାମେଣ୍ଟ ଭିତରେ ବିପକ୍ଷର ଜଣେ ସାଂସଦଙ୍କୁ ଯେପରି ମର୍ଯ୍ୟଦାହାନୀ କଲାପରି ଭାଷା ପ୍ରୟୋଗ କରିଚନ୍ତି । ଏହା ଅତ୍ୟନ୍ତ ନିନ୍ଦନୀୟ ବୋଲି ସେ କହିଛନ୍ତି ।
ସେପଟେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଭାଜପା ସଦସ୍ୟ ରମେଶ ବିଧୁରୀଙ୍କ ଦ୍ୱାରା କରାଯାଇଥିବା କିଛି ଆପତ୍ତିଜନକ ଟୀପ୍ପଣୀକୁ ନେଇ ଦୁଃଖ ପ୍ରକାଶ କରିବା ସହ କହିଛନ୍ତି, ଯଦି ସାଂସଦଙ୍କ ଟିପ୍ପଣୀରେ ବିପକ୍ଷ କଷ୍ଟ ପାଇଛନ୍ତି ତେବେ ସେଥିପାଇଁ ମୁଁ ଦୁଃଖ ପ୍ରକାଶ କରୁଛି । ଜଣେ ବିରୋଧୀ ସାଂସଦଙ୍କ ପ୍ରତି ଏପରି ଅଶାଳୀନ ବ୍ୟବହାର ଏକ ଗଣତନ୍ତ୍ର ରାଷ୍ଟ୍ରପାଇଁ ଲଜ୍ଜାଜନକ ଘଟଣା । ତେଣୁ ତାଙ୍କ ତରଫରୁ ରକ୍ଷାମନ୍ତ୍ରୀ ରାଜନାଥ ସିଂ କ୍ଷମା ମାଗିଛନ୍ତି ।
ରାଜନାଥ ସିଂହଙ୍କ ଏପରି ବକ୍ତବ୍ୟକୁ ଅନ୍ୟ ସଦସ୍ୟମାନେ ଟେବୁଲ ବାଡେଇ ପ୍ରଶଂସା କରିଥିଲେ ।
Comments are closed.