Latest Odisha News

BREAKING NEWS

କାର୍ତ୍ତିକରେ ମହାପ୍ରଭୁଙ୍କ ଦର୍ଶନ ହେବ ସହଜ…

ପୁରୀ: ଆସନ୍ତା କାର୍ତ୍ତିକ ମାସ ପରେ ମହାପ୍ରଭୁଙ୍କ ଦର୍ଶନ ଆହୁରି ସୁବିଧା ଓ ସହଜ ହେବ । ଏନେଇ ଆଜି ଶ୍ରୀମନ୍ଦିର ଛତିଶାନିଯୋଗ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଇଛି । ଗତ ପରିଚାଳନା କମିଟି ବୈଠକରେ ଓବିସିସି ଦ୍ୱାରା ନାଟମଣ୍ଡପରୁ ଶୃଙ୍ଖଳିତ ଦର୍ଶନ ନେଇ ଆଲୋଚନା ହୋଇଥିବା ବେଳେ ଆଜି ଛତିଶାନିଯୋଗ ବୈଠକ ଏହା ଉପରେ ମୋହର ମାରିଛି ।

ନାଟମଣ୍ଡପକୁ ସମ୍ପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ କରିବାକୁ ବୈଠକରେ ଆଲୋଚନା ହୋଇଥିବା ବେଳେ କାର୍ତ୍ତିକ ମାସ ପରେ ପୁରୁଷ ଭକ୍ତ, ଦିବ୍ୟାଙ୍ଗ ଭକ୍ତ, ମହିଳା ଭକ୍ତ, ଶିଶୁ ଓ ବୟସାଧିକ ବୃଦ୍ଧବୃଦ୍ଧାଙ୍କ ପାଇଁ ସ୍ୱତନ୍ତ୍ର ଭାବେ ଅଲଗା ଅଲଗା ଲାଇନ୍ ବା ଧାଡି ବ୍ୟବସ୍ଥା ହେବ । ଭକ୍ତମାନେ ସାତ ପାହାଚ ଦେଇ ପ୍ରବେଶ କରି ଘଣ୍ଟିଦ୍ୱାର ଦେଇ ପ୍ରସ୍ଥାନ କରିବେ ।

ସମୁଦାୟ ଛଅଟି ଲାଇନ୍ ରେ ଭକ୍ତମାନେ ପ୍ରବେଶ କରିବା ସହ କାଠ ବ୍ୟାରିକେଡ୍ ଦେଇ ଭକ୍ତମାନେ ଚତୁର୍ଦ୍ଧାବିଗ୍ରହଙ୍କୁ ଦର୍ଶନ କରିବେ । ତେଵେ ସ୍ୱତନ୍ତ୍ର କାଠ ବ୍ୟାରିକେଡ୍ ରେ ଭକ୍ତମାନେ ଦର୍ଶନ କରିବା ସମୟରେ ମହାପ୍ରଭୁଙ୍କ ନୀତିକାନ୍ତିରେ କୌଣସି ବ୍ୟାଘାତ ହେବନାହିଁ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି । କାଠ ବ୍ୟାରିକେଡ୍ କୁ ଉଚ୍ଚତା ସମ୍ପନ୍ନ କରିବା ସହ ଗରୁଡ ସ୍ତମ୍ଭ ପାଖରୁ ଭକ୍ତମାନେ ଦର୍ଶନ କରିପାରିବେ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି ।

ଛଅଟି ଲାଇନ୍ କୁ ତିନି ଭାଗରେ ବିଭକ୍ତ କରାଯାଇ ଏହି ଦର୍ଶନ ବ୍ୟବସ୍ଥା ଆଗାମୀ ଦିନରେ ହେବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ପ୍ରତିକ୍ରିୟା ରଖିଛନ୍ତି । ସେପଟେ ଏହି ସ୍ୱତନ୍ତ୍ର ବ୍ୟବସ୍ଥା ଯୋଗୁଁ ଭକ୍ତଙ୍କ ଦର୍ଶନ ଶୃଙ୍ଖଳିତ ହେବ ଓ ଆଗାମୀ ଦିନରେ ଏହାକୁ ନେଇ ତ୍ରୁଟି ଦେଖାଗଲେ ଏହାର ନିରାକରଣ ପାଇଁ ଚେଷ୍ଟା କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି ।

Leave A Reply

Your email address will not be published.