Latest Odisha News

BREAKING NEWS

ଜ୍ୱରରେ ଆକ୍ରାନ୍ତ ଶ୍ରୀଜିଉ ମାନଙ୍କୁ ଲାଗି ହେଲା ଦଶମୂଳ ମୋଦକ

ପୁରୀ: ଅଣସର ଘରେ ରହି ଚାଲିଛି ମହାପ୍ରଭୁଙ୍କ ନୀତିକାନ୍ତି । ମହାପ୍ରଭୁଙ୍କୁ ସୁସ୍ଥ କରିବା ପାଇଁ ଚାଲିଛି ଗୁପ୍ତସେବା । ଆଜି ଏକାଦଶୀ ତିଥିରେ ମହାପ୍ରଭୁଙ୍କୁ ଲାଗି ହୋଇଛି ଦଶମୂଳ ମୋଦକ । ରାଜବୈଦ ଏହି ଦଶମୂଳ ମୋଦକ ପ୍ରସ୍ତୁତ କରି ମହାପ୍ରଭୁଙ୍କୁ ଲାଗି କରିଛନ୍ତି । ନୀଳାଦିଅ ମହୋଦୟ ଶାସ୍ତ୍ର ଅନୁସାରେ ଦିତା ସେବକ, ସୁନା ଗୋସେଇଁ ସେବକମାନେ ଅଣସରକାଳୀନ ଏହି ଗୁପ୍ତନୀତି ସଂପାଦନ କରୁଛନ୍ତି । ଏକବସ୍ତ୍ର ହୋଇ ଅଣସର ବାସଠାରୁ ମହାପ୍ରଭୁଙ୍କ ସେବାରେ ଲାଗିଛନ୍ତି ।

ବିଧିମୁତାବକ, ଶ୍ରୀବିଗ୍ରହ ଚକାବିଜେ ପରେ ଏକାଦଶୀ ତିଥିରେ ଏହି ‘ଦଶମୂଳ’ ମୋଦକ ମହାପ୍ରଭୁଙ୍କଠାରେ ଲାଗି ହୋଇଥାଏ । ମହାପ୍ରଭୁଙ୍କ ସଂପୂର୍ଣ୍ଣ ସୁସ୍ଥ ପାଇଁ ପୁରୀ ଗଜପତିଙ୍କ ନିର୍ଦ୍ଦେଶକ୍ରମେ ରାଜବୈଦ ଦଶମୂଳ ମୋଦକ ପ୍ରସ୍ତୁତ କରି ଦଶମୀ ତିଥିରେ ଶ୍ରୀମନ୍ଦିରକୁ ଆଣିଥାନ୍ତି। ତାଳପୂର୍ଣ୍ଣି , ଗମ୍ଭାରୀ, ବଲ୍ଲ, ପଣପଣା, ଗୋଖରା ଆଦି ଚୂର୍ଣ୍ଣ କରି ସେଥିରେ ଖୁଆ, ଘିଆ ମହୁ ଆଦି ଗୋଳାଇ ଏହି ଦଶମୂଳ ମୋଦକ ପ୍ରସ୍ତୁତ କରାଯାଇଥାଏ । ଆଉ ଏହି ମୋଦକକୁ ଏକାଦଶୀ ଦିନ ପତି ମହାମାତ୍ରସେବକ ମହାପ୍ରଭୁଙ୍କୁ ସମର୍ପି ଦେଇଥାନ୍ତି । ଆଉ ଏହି ଦଶମୂଳ ସେବନ ପରେ ମହାପ୍ରଭୁ ସଂପୂର୍ଣ୍ଣ ଭାବେ ସୁସ୍ଥ ହୋଇଯାଆନ୍ତି । ଦ୍ୱାଦଶ ଦିନ ମହାପ୍ରଭୁଙ୍କ ସୁସ୍ଥ ହେବା ଖବର ଗଜପତି ମହାରାଜଙ୍କୁ ପ୍ରଦାନ କରାଯାଇଥାଏ । ଏହାପରେ ପ୍ରଥମ କରି ଅଣସରରେ ଥିବା ମହାପ୍ରଭୁଙ୍କୁ ତୁଳସୀ ଲାଗି କରାଯିବ । ମହାପ୍ରଭୁଙ୍କୁ ଚନ୍ଦନ ଲାଗି ସହିତ ନୂଆ ଖଣ୍ଡୁଆ ମଧ୍ୟ ଲାଗି କରାଯିବ ।

ଅନ୍ୟପଟେ ଜ୍ୱରରେ ପୀଡିତ ଜଗନ୍ନାଥଙ୍କ ପାଇଁ ମାମୁଁ ଘର ନିଆଳିରୁ ଶ୍ରୀମନ୍ଦିର ଆସିଲା ଅଣସର ଭାର । ମହାବାହୁ ସୁସ୍ଥ ହେବା ପାଇଁ ଔଷଧ ସହିତ ପଥି ସେବନ କରିଥାନ୍ତି ।‌ ସେହି ପଥି ପାଇଁ ଶ୍ରୀଜିଉଙ୍କ ମାମୁଁ ଘର କଟକ ଜିଲ୍ଲା ନିଆଳି ବ୍ଳକର ମାଧବାନନ୍ଦଜୀୟୁଙ୍କ ପୀଠରୁ ଅଣସରର ଭାର ଯାଇଛି ।‌ ଏକାଦଶୀରେ ଫଳ ଭୋଗ ହୋଇଥାଏ ।‌ ଏହି ତିଥିରେ ମାଧବାନନ୍ଦଜୀୟୁଙ୍କ ମନ୍ଦିର ଟ୍ରଷ୍ଟ ଓ ଅଞ୍ଚଳର ଶ୍ରଦ୍ଧାଳୁମାନଙ୍କ ପକ୍ଷରୁ ରାଜ୍ଯ ବାହାରୁ ଏବଂ ରାଜ୍ୟର ବିଭନ୍ନ ପ୍ରାନ୍ତରୁ ଫଳମୂଳ ସଂଗ୍ରହ କରାଯାଇ ଶ୍ରୀଜିଉଙ୍କ ଉଦ୍ଦେଶ୍ୟରେ ପଠାଯାଇଛି ।

 

 

 

 

Leave A Reply

Your email address will not be published.