Latest Odisha News

BREAKING NEWS

ସାଂସଦଙ୍କ ଝିଅଙ୍କ ନାଁରେ ହିଟ୍ ଆଣ୍ଡ ରନ୍ ମାମଲା, ତୁରନ୍ତ ମିଳିଲା ଜାମିନ

ଚେନ୍ନାଇ: ରାସ୍ତାକଡରେ ଶୋଇଥିବା ବ୍ୟକ୍ତିଙ୍କ ଉପରେ ଚଢାଇଲେ ଗାଡି । ସାଂସଦଙ୍କ ଝିଅ ହୋଇଥିବାରୁ ଛାଡିଦେଲା ଚେନ୍ନାଇ ପୋଲିସ । ମଙ୍ଗଳବାର ଜୁନ୍ ୧୮ ତାରିଖରେ, ସାଂସଦ ଜଗନ ମୋହନ ରେଡ୍ଡିଙ୍କ ଓ୍ବାଇଏସଆର କଂଗ୍ରେସ ପାର୍ଟିର ରାଜ୍ୟସଭା ସାଂସଦ ବୀଡା ମସ୍ତାନ୍ ରାଓଙ୍କ ଝିଅ ମାଧୁରୀଙ୍କୁ ଏକ ହିଟ୍-ରନ୍ ମାମଲାରେ ଗିରଫ କରାଯାଇଥିଲା । ମାତ୍ର ଗିରଫର କେଇଟା ଘଣ୍ଟା ଭିତରେ ତାଙ୍କୁ ଷ୍ଟେସନ୍ ଜାମିନରେ ଚେନ୍ନାଇ ପୋଲିସ ମୁକ୍ତ କରିଛି |

ତେବେ କୁହାଯାଏ ଆଇନର ନିୟମ ହେଉଛି ଗଣତନ୍ତ୍ରର ମୂଳଦୁଆ। ଏହାର ଅର୍ଥ କୌଣସି ବି ବ୍ୟକ୍ତି ଆଇନଠାରୁ ଉର୍ଦ୍ଧ୍ୱରେ ନୁହଁନ୍ତି । ସେ ରାଜନୈତିକ ନେତା ହେଉ କି ସରକାରୀ ଅଧିକାରୀ କିମ୍ବା ସାଧାରଣ ନାଗରିକ ସମସ୍ତଙ୍କ ପାଇଁ ଆଇନ ସମାନ । କିନ୍ତୁ ବେଳେ ବେଳେ କିଛି ବ୍ୟକ୍ତି ଆଇନକୁ ନିଜ ହାତର କଣ୍ଡେଇ ବୋଲି ଭାବନ୍ତି । ସବୁଠୁ ବେଶୀ ନିଜ ପଦବୀକୁ ନେଇ ଆଇନର ଅପବ୍ୟବହାର କରନ୍ତି କିଛି ପାଓ୍ବାର ଫୁଲ ନେତା । ଯାହାର ଏକ ଜ୍ବଳନ୍ତ ଉଦାହରଣ ହେଉଛି ଏହି ମାମଲା ।

ମିଳିଥିବା ସୂଚନା ଅନୁଯାୟୀ, ଜୁନ୍ ୧୭ ତାରିଖ ସନ୍ଧ୍ୟାରେ ସାଂସଦଙ୍କ ଝିଅ ମାଧୁରୀ ଚେନ୍ନାଇ ସହର ରାସ୍ତାରେ ବିଏମଡବ୍ଲୁ କାର ନିଜେ ଚଲାଉଥିବା ବେଳେ ଜଣେ ବ୍ୟକ୍ତିଙ୍କ ଉପରେ କାରଟିକୁ ମଡାଇଦେଇଥିଲେ । ଫଳରେ ଗୁରୁତର ଆହତ ଅବସ୍ଥାରେ ବ୍ୟକ୍ତିଟିର ମୃତ୍ୟୁ ଘଟିଛି  । ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ଜମା ହୋଇଥିଲେ । ଏହା ପରେ ସାଂସଦଙ୍କ ଝିଅ ମାଧୁରୀ ଓ ତାଙ୍କ ସାଙ୍ଗ ସ୍ଥାନୀୟ ଲୋକଙ୍କ ସହ ଯୁକ୍ତି କରି ସେଠାରୁ ଖସି ପଳାଇଥିଲେ ।

ପରେ ଏହି ଘଟଣାର ସିସିଟିଭି ଫୁଟେଜ୍ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଥିଲା । ଯେଉଥିରେ କି ମାଧୁରୀ  ଓ ତାଙ୍କ ସାଙ୍ଗ ଲୋକଙ୍କ ସହ ଯୁକ୍ତି କରିବା ସହିତ ସେମାନେ ଆମ୍ବୂଲାନ୍ସକୁ ଡାକିଛନ୍ତି ବୋଲି କହିଥିଲେ । ଏହା ପରେ ଦୁଇଜଣ ସେଠାରୁ ଚାଲିଯାଇଥିଲେ । ଯାହାକୁ ଆଧାର କରି ମାଧୁରୀଙ୍କ ବିରୋଧରେ ମାମଲା ରୁଜ୍ଜୁ କରିଥିଲା ଜେ-୫ ଶାସ୍ତ୍ରୀ ନଗର ପୋଲିସ । ଏହା ସହିତ ପ୍ରାଥମିକ ତଦନ୍ତରେ ଉକ୍ତ ବିଏମଡବ୍ଲୁ କାରଟି ବିଏମଆର (ବିଡା ମସ୍ତାନ ରାଓ) ଗୋଷ୍ଠୀର ବୋଲି ଜଣାପଡିଛି । ଯାହା ପୁଡୁଚେରୀରେ ପଞ୍ଜୀକୃତ ହୋଇଥିଲା । ସେପଟେ ମାମଲା ରୁଜ୍ଜୁ କରି ଗିରଫ କରିବାର କିଛି ସମୟ ପରେ ମାଧୁରୀଙ୍କୁ ଛାଡିଦେଇଥିଲା ପୋଲିସ । ଯାହାକୁ ନେଇ ଏବେ ବଢୁଛି ଚର୍ଚ୍ଚା । ଦୋଷୀ ହୋଇ ମଧ୍ୟ ଷ୍ଟେସନ ଜାମିନ ମାଧୁରୀ ପାଇଲେ କେମିତି ?  ନା ସାଂସଦଙ୍କ ଝିଅ ବୋଲି ତାଙ୍କୁ କ୍ଷମା କରାଯାଇଛି । ଯାହାକୁ ନେଇ ଏବେ ଜୋର ଧରିଛି ଆଲୋଚନା ।

ସୂଚନାଯୋଗ୍ୟ, ମୃତକ ଜଣଙ୍କ ହେଉଛନ୍ତି ସୂର୍ଯ୍ୟ । ପେଶାରେ ଜଣେ ଚିତ୍ରକାର ବୋଲି ଜଣାପଡିଛି । ଏହାସହିତ ମୃତ ବ୍ୟକ୍ତ ଜଣଙ୍କ ମଦ ପିଇ ରାସ୍ତାର କଡରେ ଶୋଇଥିବା ଅବସ୍ଥାରେ ଏଭଳି ଘଟଣା ଘଟିଛି । ଜଗନ୍ ମୋହନ ରେଡ୍ଡୀଙ୍କ ପାର୍ଟି ସାଂସଦ ବିଡା ମସ୍ତାନ୍ ରାଓଙ୍କ ଝିଅ ମାଧୁରୀ ତାଙ୍କ ସାଙ୍ଗଙ୍କ ସହ ଉକ୍ତ ରାସ୍ତାରେ ଯାଉଥିବା ସମୟରେ ୨୪ ବର୍ଷୀୟ ଯୁବକଙ୍କ ଉପରେ ଗାଡି ଚଢାଇଦେଇଥିଲେ । ଯାହାଫଳରେ ଆହତ ଅବସ୍ଥାରେ ଯୁବକଙ୍କର ମୃତ୍ୟୁ ଘଟିଥିଲା ।

Comments are closed.