ଭୁବନେଶ୍ୱର: ଷଷ୍ଠ ଡିଏଭି ୟୁନାଇଟେଡ୍ ଫେଷ୍ଟିଭାଲ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ କହିଛନ୍ତି, ସ୍ୱାମୀ ଦୟାନନ୍ଦ ସରସ୍ୱତୀ ଭାରତୀୟ ଶିକ୍ଷା ବ୍ୟବସ୍ଥାର ଏକ ସ୍ତମ୍ଭ ଥିଲେ। ସମାଜ ନିର୍ମାଣ ପାଇଁ ସେ ଶିକ୍ଷାକୁ ଏକ ମାଧ୍ୟମ କରିଥିଲେ। ଡିଏଭି ଭାରତୀୟ ଶିକ୍ଷା ବ୍ୟବସ୍ଥାର ସମାନ ପରମ୍ପରାକୁ ଆଗକୁ ବଢ଼ାଇଛି। ଡିଏଭି ଗବେଷଣା ଆଜି ଜାତୀୟ ଶିକ୍ଷା ନୀତି ମାଧ୍ୟମରେ ରାଷ୍ଟ୍ରୀୟ ନୀତିର ଏକ ଅଂଶ ହୋଇଛି ବୋଲିକେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ।
ସେ ଆହୁରି କହିଛନ୍ତି, ଡିଏଭି ଏକ ଭଲ ମଣିଷ ତିଆରି କାରଖାନା। ଦେଶରେ ସ୍କୁଲ ଶିକ୍ଷା ତଥା ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବାରେ ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ଡିଏଭି କାମ କରୁଛି। ଛାତ୍ରଛାତ୍ରୀଙ୍କ ପାଠପଢା, ବିଜ୍ଞାନ ପ୍ରତି ଆକର୍ଷଣ ବଢ଼ାଇବା, ଖେଳ ସହ ସାଂସ୍କୃତିକ ବ୍ୟକ୍ତିତ୍ଵ ତିଆରି କରିବାରେ କାମ କରୁଛି ଡିଏଭି । ବର୍ତ୍ତମାନ ଓଡ଼ିଶାରେ ୬୦ଟି ଡିଏଭି ସ୍କୁଲ ଚାଲୁଛି । ୨୦୩୬ ସୁଦ୍ଧା ଓଡ଼ିଶା ଭାଷା ଭିତ୍ତିକ ରାଜ୍ୟ ଭାବରେ ୧୦୦ ବର୍ଷ ପୂରଣ କରିବା ଅବସରରେ ଓଡ଼ିଶାରେ ଡିଏଭି ସ୍କୁଲ ସଂଖ୍ୟା ୧୦୦ରେ ପହଞ୍ଚିବା ପାଇଁ ଶିକ୍ଷା ମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ସ୍କୁଲ ସଂଖ୍ୟା ବୃଦ୍ଧି ପାଇଲେ ଦୁର୍ଗମ ଅଞ୍ଚଳରେ ଗରିବ ଘରର ପିଲାମାନେ ମଧ୍ୟ ଡିଏଭି ସ୍ତରର ପାଠପଢ଼ାର ସୁଯୋଗ ପାଇ ପାରିବେ।
ଡିଏଭି ସ୍କୁଲକୁ ପ୍ରାଧାନ୍ୟ ଦେଇ ସେ କହିଛନ୍ତି ଯେ ଆମେ ଏକ ଗୁରୁତ୍ୱପୂର୍ଣ୍ଣ ସମୟରେ ଅଛୁ । ଆଗାମୀ ଦିନମାନଙ୍କରେ ଜ୍ଞାନ ପ୍ରଗତିର ମୂଳ ଆଧାର ହେବାକୁ ଯାଉଛି । ଆଗାମୀ ୨୫ ରୁ ୫୦ ବର୍ଷ ମଧ୍ୟରେ ଭାରତର ଯୁବଶକ୍ତି ଓ ଡେମୋଗ୍ରାଫିକ୍ ଡିଭିଡେଣ୍ଡ୍ ଏକ ବଡ଼ ଭୂମିକା ଗ୍ରହଣ କରିବ। ଆଗାମୀ ଦିନରେ ଡିଏଭି ଜାତୀୟ ଶିକ୍ଷା ନୀତିକୁ ଅଧିକ ବ୍ୟବହାରିକ ଶୈଳୀରେ କାର୍ଯ୍ୟକାରୀ କରିବାର ଦାୟିତ୍ୱ ନେବ, ଏହା ମୋର ବିଶ୍ୱାସ । ଯୁବପିଢିଙ୍କୁ କେବଳ ନିଯୁକ୍ତି ଅନ୍ୱେଷଣ ଭାବରେ ନୁହେଁ ବରଂ ନିଯୁକ୍ତି ଦାତା ବନାଇବାକୁ ହେବ ।
ଆମକୁ ଆଜିର ସମୟ ଅନୁଯାୟୀ ଶିକ୍ଷା ବ୍ୟବସ୍ଥା ଗଠନ କରିବାକୁ ପଡିବ । ଓଡ଼ିଶାରେ ଡିଏଭି ଶିକ୍ଷାର ଦ୍ୱିତୀୟ ବିଶ୍ୱବିଦ୍ୟାଳୟ ଖୋଲିବା ନେଇ ଡିଏଭିର ମ୍ୟାନେଜମେଣ୍ଟ୍ ଘୋଷଣା କରିବା ସ୍ୱାଗତଯୋଗ୍ୟ । ନୂଆ ଯୁଗର ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ କେନ୍ଦ୍ର ଓ ଓଡ଼ିଶା ସରକାରଙ୍କ ତରଫରୁ ଯଥାସମ୍ଭବ ସହଯୋଗ ଯୋଗାଇ ଦିଆଯିବ।
ଭୁବନେଶ୍ୱର ଭଳି ସାଂସ୍କୃତିକ ସହରରେ ଡିଏଭି ୟୁନାଇଟେଡ ଫେଷ୍ଟିଭାଲ ଆୟୋଜନ ହେବା ଖୁସିର ବିଷୟ । ଡିଏଭି ୨୦୪୭ର ଭାରତ ଏବଂ ୨୦୩୬ର ଓଡ଼ିଶାର ଲକ୍ଷ୍ୟ ପୂରଣ କରିବାରେ ଏକ ବଡ଼ ଭୂମିକା ଗ୍ରହଣ କରିବ ବୋଲି ସେ କହିଛନ୍ତି। ଏହି ଅବସରରେ ଶ୍ରୀ ପ୍ରଧାନ ଛାତ୍ରଛାତ୍ରୀଙ୍କୁ ମାତୃଭାଷାରେ ଶିକ୍ଷା ପ୍ରଦାନ ସହ ଇଂରାଜୀକୁ ଅତିରିକ୍ତ ବିଷୟ ଭାବେ ଗ୍ରହଣ କରିବା ପାଇଁ ଡିଏଭିକୁ ପରାମର୍ଶ ଦେଇଛନ୍ତି।