ନୂଆଦିଲ୍ଲୀ: ବର୍ଡର-ଗାଭାସ୍କର ଟେଷ୍ଟ ସିରିଜ୍ରେ ଭାରତ ବିପକ୍ଷରେ ଅଷ୍ଟ୍ରେଲିଆ ଲଗାତର ଦୁଇଥରେ ପରାସ୍ତ ହେବା ପରେ ଏବେ ଟିମ୍କୁ ଆହତ ସମସ୍ୟା ଅଡ଼ୁଆରେ ପକାଇଛି। ଟିମ୍ରେ ଗୋଟିଏ ପରେ ଗୋଟିଏ ଖେଳାଳି ଆହତ ହେଉଛନ୍ତି। ପ୍ରଥମେ ଜୋଶ ହେଜେଲ୍ଉଡ ଆହତ ହୋଇ ଭାରତ ବିପକ୍ଷ ସିରିଜ୍ରୁ ବାଦ ପଡ଼ିଥିବା ବେଳେ ଏବେ ଡେଭିଡ ୱାର୍ଣ୍ଣରଙ୍କର ସମାନ ଅବସ୍ଥା ହୋଇଛି। ୱାର୍ଣ୍ଣର ଆହତ ହେବା କାରଣରୁ ତାଙ୍କୁ ଟେଷ୍ଟ ସିରିଜର ବାକି ୨ଟି ଶୃଙ୍ଖଳାରୁ ବାଦ୍ ଦିଆଯାଇଛି।
ୱାର୍ଣ୍ଣର ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ଖେଳୁଥିବା ବେଳେ ମହମ୍ମଦ ସିରାଜଙ୍କର ଏକ ବଲ୍ ତାଙ୍କ ବାମହାତ କହୁଣୀରେ ବାଜିଥିଲା। ଯନ୍ତ୍ରଣା ହେବାରୁ ୱାର୍ଣ୍ଣରଙ୍କୁ ମ୍ୟାଚ୍ ଅଧାରୁ ବାଦ୍ ଦେଇ ତାଙ୍କ ସ୍ଥାନରେ ମାଥ୍ୟୁ ରେନ୍ଶଙ୍କୁ ଖେଳାଯାଇଥିଲା। ଏବେ ଯାଞ୍ଚ କରିବା ୱାର୍ଣ୍ଣର କହୁଣିର ହେୟାରଲାଇନ ଫାଟିଥିବା ଜଣାପଡ଼ିଛି। ଏଥିପାଇଁ ତାଙ୍କୁ ବାକି ୨ଟି ଟେଷ୍ଟରୁ ବାଦ ଦିଆଯାଇଛି ବୋଲି ଅଷ୍ଟ୍ରେଲିଆ କ୍ରିକେଟ ପକ୍ଷରୁ ସୂଚନା ଦିଆଯାଇଛି।
ମ୍ୟାଚ୍ରୁ ବାଦ ପଡ଼ିବା ପରେ ୱାର୍ଣ୍ଣର ଅଷ୍ଟ୍ରେଲିଆ ଫେରିଯିବେ। ଚିକିତ୍ସିତ ହୋଇ ସୁସ୍ଥ ହେବା ପରେ ଭାରତ ବିପକ୍ଷ ଦିନିକିଆ ସିରିଜ୍ ବେଳକୁ ସେ ଫିଟ ହୋଇ ପୁଣି ଖେଳ ଆରମ୍ଭ କରିବେ ବୋଲି ଅଷ୍ଟ୍ରେଲିଆ ଟିମ ମ୍ୟାନେଜମେଣ୍ଟ ଆଶା ରଖିଛି ବୋଲି ଟିମ୍ ପକ୍ଷରୁ ସୂଚନା ଦିଆଯାଇଛି।
ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜର ତୃତୀୟ ମ୍ୟାଚ୍ ମାର୍ଚ୍ଚ ୧ରୁ ଆରମ୍ଭ ହେବ। ଏହାପରେ ୪ର୍ଥ ଟେଷ୍ଟ ଖେଳାଯିବ। ଟେଷ୍ଟ ସିରିଜ ପରେ ମାର୍ଚ୍ଚ ୧୭ରେ ଦୁଇ ଦଳ ମଧ୍ୟରେ ଦିନିକିଆ ଲଢ଼େଇ ଆରମ୍ଭ ହେବ।
ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ଚାରି ମ୍ୟାଚ୍ ବିଶିଷ୍ଟ ବର୍ଡର-ଗାଭାସ୍କର ଟେଷ୍ଟ ସିରିଜର ପ୍ରଥମ ଦୁଇଟି ମ୍ୟାଚ୍ରେ ଭାରତ ଠାରୁ ଲଜ୍ଜାଜନକ ଭାବେ ପରାଜିତ ହୋଇଛି ଅଷ୍ଟ୍ରେଲିଆ। ଫଳରେ ଟିମ୍ ନିଜ ଦେଶରୁ ହିଁ କଡ଼ା ସମାଲୋନାର ଶିକାର ହୋଇଛି। ଅଷ୍ଟ୍ରେଲିଆର ଅନେକ ବରିଷ୍ଠ ଖେଳି ଟିମ୍ର ଏଭଳି ନୈରାଶ୍ୟଜନକ ପ୍ରଦର୍ଶନ ପାଇଁ ଖେଳାଳିମାନଙ୍କୁ ସମାଲୋଚନା କରିଛନ୍ତି। ଅନ୍ୟପଟେ ଭାରତ ଏହି ଶୃଙ୍ଖଳାରେ ୨-୦ରେ ଆଗୁଆ ରହିଛି। ତେବେ ତୃତୀୟ ଓ ଚତୁର୍ଥ ମ୍ୟାଚ୍ ଜିତି ଅଷ୍ଟ୍ରେଲିଆ ପୁଣିଥରେ ସମ୍ମାନ ଫେରିପାଇବାକୁ ଚେଷ୍ଟା କରିବ। ହେଲେ ଖେଳାଳିଙ୍କ ଆହତ ହେବା ଟିମ୍କୁ ଅଡ଼ୁଆରେ ପକାଇଛି।
Comments are closed.