ପୁରୀ: ସମସ୍ୟା ଭିତରକୁ ଟାଣି ନେଉଛି ଗଙ୍ଗୁଆ ପାଣି । ଦୟା ନଦୀର ପ୍ରଦୂଷିତ ଜଳ ବ୍ୟବହାର କରି କଣାସ ବ୍ଲକର ଶତାଧିକ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ମଧ୍ୟ ଲାଗିଛି । ଏଯାବତ୍ ଝାଡାବାନ୍ତିରେ ୪ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏବେ ପୁଣି ୧୫ ଜଣ ଆକ୍ରାନ୍ତ ହୋଇଛନ୍ତି । ଏହି ୧୫ଜଣଙ୍କୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୮୮ରେ ପହଞ୍ଚିଲାଣି ।
କଣାସ ବ୍ଲକରେ ହଇଜା ନିଦ ହଜାଇଛି । ପୁଣି ଥରେ ହଇଜାରେ ଆକ୍ରାନ୍ତ ହୋଇଛନ୍ତି ୧୫ ଜଣ । ଅସୁସ୍ଥମାନେ କଣାସ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି । ଆକ୍ରାନ୍ତମାନେ ହେଉଛନ୍ତି ଦୟା ଓ ମକରା ନଦୀ କୂଳିଆ ଗ୍ରାମର । ବର୍ତ୍ତମାନ ଆକ୍ରାନ୍ତଙ୍କ ସଂଖ୍ୟା ୮୮ରେ ପହଞ୍ଚିଥିବା ବେଳେ ମଧ୍ୟରୁ ୭୩ ଜଣ ସୁସ୍ଥ ହୋଇ ନିଜ ଘରକୁ ଫେରିଛନ୍ତି। ୧୨ ଜଣ ବିଭିନ୍ନ ଡାକ୍ତରଖାନାରେ ରହି ଚିକିତ୍ସିତ ହେଉଛନ୍ତି। ସେପଟେ ଗତକାଲି ୧୫ ନୂଆ ଝାଡ଼ାବାନ୍ତି ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେଥିରୁ ୩ ଜଣ ରୋଗୀ କଣାସ ସରକାରୀ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।
କଣାସର ୪ଟି ପଞ୍ଚାୟତରେ ଏବେ ହଇଜା ବ୍ୟାପିବାରେ ଲାଗିଛି। ଡାକ୍ତରୀ ଦଳ ପହଂଚି ନମୁନା ସଂଗ୍ରହ କରିଛନ୍ତି, ପ୍ରଶାସନ ପକ୍ଷରୁ ଲୋକଙ୍କୁ ସଚେତନ କରାଯାଉଛି। ଭ୍ରାମ୍ୟମାଣ ଚିକିତ୍ସକ ଦଳ ଲୋକଙ୍କୁ ଚିକିତ୍ସା ଯୋଗାଇ ଦେଉଛନ୍ତି। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଘରକୁ ଘର ବୁଲି ସଚେତନତା ସୃଷ୍ଟି କରାଯିବା ସହ ହାଲୋଜିନ ବଟିକା, ଓଆରଏସ୍ ଓ ତରଳ ଝାଡ଼ା ପ୍ରତିଷେଧକ ଔଷଧ ବଣ୍ଟନ କରାଯାଉଛି। ଜାଗୁଳେଇପଦର ଓ ନୂଆଗାଁରେ ସ୍ୱାସ୍ଥ୍ୟ ଶିବିର ଖୋଲାଯାଇଛି। କିନ୍ତୁ ବିଡମ୍ବନାର ବିଷୟ ଏପର୍ଯ୍ୟନ୍ତ ଝାଡାବାନ୍ତିକୁ ନିୟନ୍ତ୍ରଣ କରିବାରେ ସଫଳ ହୋଇପାରିନି ପ୍ରଶାସନ।
ସେପଟେ ପୂର୍ବରୁ ଦୋକନ୍ଦା ଓ ନଈକୂଳପାଟଣା ଗାଁରେ ଲୋକଙ୍କୁ ବୁଝାସୁଝା କରି ବିବାହ ଭୋଜି ବନ୍ଦ କରିଥିଲା ପ୍ରଶାସନ । ଏବେ ଝାଡାବାନ୍ତିରେ କଣାସ ବ୍ଲକର ଅନେକ ଗାଁ ଆକ୍ରାନ୍ତ ହୋଇଛି । ତେଣୁ ସାମୁହିକ ଭୋଜିରୁ ଲୋକଙ୍କୁ ବାରଣ କରୁଛି ଜିଲ୍ଲା ପ୍ରଶାସନ ।
Comments are closed.