ଭୁବନେଶ୍ଵର: ସକାଳୁ ସକାଳୁ ଟ୍ଵିନସିଟିରେ ଘନ କୁହୁଡ଼ି । ଭୁବନେଶ୍ବର, ପୁରୀ, କଟକର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ଦେଖିବାକୁ ମିଳିଛି । କୁହୁଡି ଯୋଗୁଁ ଦେଖାଯାଉନି ରାସ୍ତାଘାଟ । ଫଳରେ ଯାତାୟାତ ବାଧାପ୍ରାପ୍ତ ହେଉଛି । ଦୃଶ୍ୟମାନ ଦୂରତା ମାତ୍ର ୩୦ ମିଟର। ଗତକାଲି ଭୁବନେଶ୍ୱରରେ ରାତି ସାଢେ ୯ଟା ସମୟରେ ଘନକୁହୁଡି ଯୋଗୁଁ ଦୃଶ୍ୟମାନ ଦୂରତା ହଜାର ମିଟର ଥିଲା। କିନ୍ତୁ ରାତି ୧୧ଟା ବେଳକୁ ଦୃଶ୍ୟମାନ ଦୂରତା ମାତ୍ର ୩୦ମିଟରରେ ପହଞ୍ଚିଥିଲା ।
ସୂଚନା ଅନୁସାରେ, ଆସନ୍ତା ୨୭ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ଘନ କୁହୁଡ଼ି ପାଇଁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଆଜି ପାଇଁ ୧୧ଟି ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଛି ବିଭାଗ । ସେହିପରି ୨୬ ଓ ୨୭ ତାରିଖ ପାଇଁ ସୁନ୍ଦରଗଡ଼, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ପାଣିପାଗ ବିଭାଗର ଆକଳନ ଅନୁସାରେ, ଘନକୁହୁଡ଼ି କରଣରୁ ଦୃଶ୍ୟମାନ ଦୂରତା ୫୦ରୁ ୨୦୦ ମିଟର ମଧ୍ୟରେ ରହିବ। ଏହି ସମୟରେ ଗମନାଗମନ କରୁଥିଲେ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ ।
ସେପଟେ ମାଘ ମାସରେ ବାଘ ଭଳି ଶୀତ ଅନୁଭୁତ ହୋଇଥାଏ । ମାତ୍ର ମାଘ ମାସରେ ଶୀତ ପରିବର୍ତ୍ତେ ରାଜ୍ୟବାସୀଙ୍କୁ କଲବଲ କରୁଛି ଘନ କୁହୁଡି ସାଙ୍ଗକୁ ଦିନର ତାପମାତ୍ରା । ଏବେଠାରୁ ଉପରମୁହାଁ ହେଲାଣି ପାରଦ। ଉପକୂଳରୁ ଆଭ୍ୟନ୍ତର, ସବୁଠି ତାତି ବଢିଲାଣି। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବା ସହ ତାପମାତ୍ରା ବୃଦ୍ଧି ହେବ। ୨ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।
Comments are closed.