ପୁରୀ : ପବିତ୍ର ଅନଙ୍ଗ ତ୍ରୟୋଦଶୀ ତିଥିରେ ଶ୍ରୀମନ୍ଦିରରେ ଦୟଣା ଚୋରି ନୀତି ଅନୁଷ୍ଠିତ ହୋଇଯାଇଛି । ମହାପ୍ରଭୁ ଦୟଣା ଗଛ ଚୋରି କରି ଶ୍ରୀଦେବୀ, ଭୂଦେବୀଙ୍କ ସହ ବନ୍ଧା ପଡିଛନ୍ତି । ଗତକାଲି ସନ୍ଧ୍ୟାରେ ଘଣ୍ଟ ଛତା କାହାଳି ପଟୁଆରରେ ରାମକୃଷ୍ଣ ପାଲିଙ୍କିରେ ଶ୍ରୀଜଗନ୍ନାଥ ବଲ୍ଳବ ମଠକୁ ବିଜେ କରିଥିଲେ । ସେଠାରେ ଦୟଣା ଚୋରି କରିବା ପାଇଁ ବଗିଚାକୁ ଯାଇ ଦୟଣା ଚୋରି ନୀତି ସମାପନ କରିବା ପରେ ଠାକୁର ମାନେ ଶ୍ରୀମନ୍ଦିରକୁ ବାହୁଡା ବିଜେ କରିଥିଲେ ।
ପୁରାଣରେ ବର୍ଣ୍ଣିତ ଅଛି ଯେ , ପୂର୍ବେ ଦମନକ ନାମରେ ଗୋଟିଏ ଅସୁର ଥିଲା। ସେ ସମୁଦ୍ର ଜଳରେ ବାସ କରୁଥିଲା। ଦୈତ୍ୟର ଅତ୍ୟାଚାର ବଢିବାରୁ ପୃଥିବୀକୁ ଏହାର ଦାଉରୁ ରକ୍ଷା କରିବାକୁ ଦେବତାମାନେ ଭଗବାନଙ୍କୁ ପ୍ରାର୍ଥନା କରିଥିଲେ। ଭଗବାନ ମୀନ ଅବତାର ଧାରଣ କରି ସମୁଦ୍ର ମଧ୍ୟରେ ପ୍ରବେଶ କରି ସେହି ଅସୁରକୁ ବଧ କରିଥିଲେ। ଏହି ଦିନ ଚୈତ୍ର ଶୁକ୍ଳ ଚତୁର୍ଦଶୀ ଥିଲା। ହେଲେ ମୃତ୍ୟୁ ପରେ ଉକ୍ତ ଦାନବର ଦେହ ଭୂମିରେ ପଡି ଏକ ସୁଗନ୍ଧିତ ତୃଣରେ ପରିଣତ ହୋଇଥିଲା। ଏହା ଦେଖି ଭଗବାନ ଚକିତ ହେଲେ। ଏହି ସୁଗନ୍ଧିତ ତୃଣ ଦୟାଣାର ସୁଗନ୍ଧରେ ତୃପ୍ତ ହୋଇ ତାକୁ ନିଜର ବନମାଳାରେ ସ୍ଥାନ ଦେଇ ନିଜ ଗଳାରେ ଧାରଣ କରିଥିଲେ। ଏହି ସ୍ମୃତିକୁ ମନେ ରଖିବାକୁ ଶ୍ରୀମନ୍ଦିରରେ ଦୟଣା ଚୋରି ନୀତି ପାଳିତ ହୁଏ । ତେବେ ଆଜି ଚତୁର୍ଦଶୀ ତିଥିରେ ଦୋଳମଣ୍ଡପ ସାହି ଆଖେଡା ପକ୍ଷରୁ ଲଙ୍କାପୋଡି ନୀତି ସମ୍ପର୍ଣ୍ଣ କରାଯିବ ।
Comments are closed.