Latest Odisha News

BREAKING NEWS

ଅପରାଧମୁକ୍ତ ଭୁବନେଶ୍ବର ପ୍ରତି ପ୍ରାଥମିକତା: ଡିସିପି

ଭୁବନେଶ୍ୱର: ଆଉ ଚଳିବ ନାହିଁ ପୁଲିସକୁ ଚକମା ଦେଇ ବାହାରେ ବୁଲୁଥିବା ଅପରାଧୀଙ୍କ ଥାଟବାଟ । ଯେଉଁଠି ଥିଲେ ବି ଥାନାକୁ ଖୋଜି ଆଣିବ କମିଶନରେଟ ପୋଲିସ୍ । ଏଥିପାଇଁ ନୂଆ ଡିସିପି ପ୍ରତୀକ ସିଂହ ନିର୍ଦ୍ଦେଶ ଦେଇଛନ୍ତି ।

ବର୍ତ୍ତମାନ ସହରାଞ୍ଚଳ ପୁଲିସ ଅଧୀନରେ ଥିବା ୨୦୦୦ରୁ ଅଧିକ ଜାମିନବିହୀନ ପରୱାନା ଜାରି ହୋଇଥିବା ଅପରାଧୀ ବୁଲୁଛନ୍ତି । ଏମାନଙ୍କୁ କାବୁ କରିବାକୁ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିଛନ୍ତି ଡିସିପି।

ରାଜଧାନୀରେ ଅପରାଧ ସଂଖ୍ୟା ଦିନକୁ ଦିନ ବଢିଚାଲିଛି । ଏପରି ସ୍ଥିତିରେ ମୂଳରୁ ଅପରାଧ ମୁକ୍ତ କରିବାକୁ ଯାଇ ଡିସିପି ଏପରି ଅଭିଯାନ ଆରମ୍ଭ କରିଥିବା ଜଣାପଡିଛି।

ମଙ୍ଗଳବାର ଗଣମାଧ୍ୟମକୁ ସୂଚନା ଦେଇ ପ୍ରତୀକ ସିଂହ କହିଛନ୍ତି, “ମୁଁ ଏଠାରେ ଯୋଗ ଦେବା ସମୟରେ ୨୦୦୦ ଏନବିଡବ୍ଲ୍ୟୁ ପଡ଼ି ରହିଥିଲା। ଆମେ ଅଧିକରୁ ଅଧିକ ଏନବିଡବ୍ଲ୍ୟୁଙ୍କୁ ଧରିବାକୁ ଏକ ଅଭିଯାନ ଆରମ୍ଭ କରିଛୁ। ବର୍ତ୍ତମାନ ସୁଦ୍ଧା ୧୫୮ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛୁ । ଏଇ ଗୁରୁବାର ସୁଦ୍ଧା ଏହି ଅଭିଯାନ ଶେଷ ହେବ ।”

ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା କେବଳ ୧୫୮ ଏନବିଡବ୍ଲୁଙ୍କୁ ଗିରଫ କରାଯାଇଛି। ନୟାପଲ୍ଲୀ ଥାନାରେ ସର୍ବାଧିକ ୩୯୯ ଜଣ ଏନବିଡବ୍ଲ୍ୟୁ, ବଡଗଡ ଥାନାରେ ୧୪୭ ଓ ସହିଦ ନଗର ଥାନାରେ ୧୪୫ ଜଣ ଏନବିଡବ୍ଲ୍ୟୁ ରହିଛନ୍ତି।

ବିଭିନ୍ନ ସମୟରେ ଏପରି ଏନବିଡବ୍ଲୁଧାରୀଙ୍କୁ ପୋଲିସ କାହିଁକି ଗିରଫ କରୁନି ବୋଲି ସ୍ବାଭାବିକ ଭାବେ ପ୍ରଶ୍ନ ଉଠେ । ପୋଲିସ ସହିତ ଭଲ ସମ୍ପର୍କ ରଖିଥିବା ବ୍ୟକ୍ତିଙ୍କୁ ହାତଗୁଞ୍ଜା ଦେଇ ଏପରି ଅପରାଧୀ ଥାନାର ଚାରି କାନ୍ଥ ଭିତରୁ ମୁକ୍ତି ପାଇବାରେ ସଫଳ ହୁଅନ୍ତି ବୋଲି ଅନେକ ସମୟରେ ଚର୍ଚ୍ଚା ହୁଏ।

ଏଇ ମାସ ୪ ତାରିଖରେ ଭୁବନେଶ୍ୱରର ନୂଆ ଡିସିପି ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ପ୍ରତୀକ ସିଂହ, ଭୁବନେଶ୍ୱର ସହରାଞ୍ଚଳ ଅଧିନରେ ଥିବା ସମସ୍ତ ଥାନା ଆଇଆଇସି ଓ ଏସିପିଙ୍କ ସହ ଆଲୋଚନା କରିଥିଲେ।

Leave A Reply

Your email address will not be published.