Latest Odisha News

BREAKING NEWS

ସେନା ଅଧିକାରୀଙ୍କୁ ଦୁର୍ବ୍ୟବହାରରେ ଡିସିପିଙ୍କ ପ୍ରତିକ୍ରିୟା: କିନ୍ତୁ ଭିଡିଓ କହୁଛି ଅଲଗା କଥା

ଭୁବନେଶ୍ବର: ଭରତପୁର ଥାନାରେ ଯେଉଁଭଳି ଭାବେ ଜଣେ ସେନା ଅଧିକାରୀ ଓ ତାଙ୍କ ମହିଳା ଅଧିକାରୀଙ୍କୁ ନିର୍ଯାତିତ କରାଯାଇଛି ତାହାର ବର୍ବରତା ଏବେ ସବୁ ସୀମା ଟିପିଛି । ସେନା ଅଧିକାରୀଙ୍କ ଘଟଣାକୁ ନେଇ ବୟାନ, ଗୋଟେ ପଟେ ପୋଲିସ ପ୍ରତି ଆକ୍ରୋଶ ଓ ବିରୋଧ ବଢାଇଥିବା ବେଳେ ଏବେ ଭୁବନେଶ୍ବର ଡିସିପି ପ୍ରତୀକ ସିଂଙ୍କ ବୟାନ ଏହାକୁ ଆହୁରି ତେଜିଛି । ଡିସିପି ଓଲଟା ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କ ବିରୋଧରେ ଅଭିଯୋଗ ଉଠାଇଛନ୍ତି । ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀ କାଳେ ଥାନାରେ ହଙ୍ଗାମା କରିଥିଲେ, ପୋଲିସଙ୍କୁ ଗାଳି ଗୁଲଜ କରିଥିଲେ ।

ତେବେ ଗୁରୁବାର ମେଡିକାଲ ଡିସଚାର୍ଜ ହେବା ପରେ ସେନା ଅଧିକାରୀଙ୍କ ବାନ୍ଧବୀ ଗଣମାଧ୍ୟମକୁ କୋହଭରା କଣ୍ଠରେ କହିଥିଲେ, ଯେ ତାଙ୍କୁ କିଭଳି ପୋଲିସ ଶୋଷଣ କରିଥିଲେ । ପୋଲିସ ଥାନାରେ ଏକାଧିକ ପୋଲିସ୍ ମାଡ ମାରିଥିଲେ । ତାଙ୍କୁ ଗୋଇଠା ବିଧା ମାରିବା ସହିତ ଯୌନ ନିର୍ଯାତନା ମଧ୍ୟ ଦେଇଥିଲେ । ପରେ ତାଙ୍କୁ ବାନ୍ଧିକି ରୁମ୍ ଭିତରେ ପକାଇ ଦେଇଥିଲେ । ସକାଳୁ ଆଇଆଇସି ଆସି ତାଙ୍କୁ ଯୌନ ନିର୍ଯାତନା ଦେବାର ଉଦ୍ୟମ ମଧ୍ୟ କରିଥିଲେ ବୋଲି ପୀଡିତା କହିଥିଲେ ।

ହେଲେ ପୂର୍ବରୁ ଏହି ଘଟଣାର ସମ୍ପୂର୍ଣ୍ଣ ଓଲଟା କାହାଣୀ ବଖାଣିଛନ୍ତି ଭୁବନେଶ୍ବର ଡିସିପି ପ୍ରତୀକ ସିଂ । ଏନେଇ ଗତ ୧୭ ତାରିଖରେ ଖବର ସରବରାହ ସଂସ୍ଥା ଏଏନଆଇକୁ ପ୍ରତିକ୍ରିୟା ଦେଇ ଡିସିପି କହିଛନ୍ତି, ଥାନାରେ ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀ ହଙ୍ଗାମା କରିଥିଲେ । ପୋଲିସ୍ ଅଧିକାରୀଙ୍କୁ ଗାଳି ଗୁଲଜ କରିବା ସହିତ ଦୁର୍ବ୍ୟବହାର କରିଥିଲେ । ମହିଳା ପୋଲିସଙ୍କୁ ମଧ୍ୟ ମାଡ ମାରିଥିଲେ ବୋଲି କହିଛନ୍ତି ପ୍ରତୀକ ସିଂ । ଏଥିସହିତ ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀ ନିଶାଗ୍ରସ୍ତ ଥିବା ମଧ୍ୟ ଅଭିଯୋଗ କରିଥିଲେ ପ୍ରତୀକ ସିଂ । ପୀଡିତାଙ୍କ ବୟାନ ପରେ ଡିସିପିଙ୍କ ଏଭଳି ମନ୍ତବ୍ୟ ଉପରେ ଏବେ ପ୍ରଶ୍ନ ଉଠିଛି । ହେଲେ ଏ ପର୍ଯ୍ୟନ୍ତ ସ୍ଥାନୀୟ ଗଣମାଧ୍ୟମକୁ କିଛି ବି ପ୍ରତିକ୍ରିୟା ଦେଇନାହାନ୍ତି ଡିସିପି ।

କିନ୍ତୁ ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ବର୍ତ୍ତମାନ ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀ ରିପୋର୍ଟ ଲେଖାଇବାର ଦିନର ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ସ୍ପଷ୍ଟ ଚିତ୍ର ଆସିଛି ଯେ, ଉଭୟ ଶୃଙ୍ଖଳାର ସହିତ ଲିଖିତ ଅଭିଯୋଗ କରୁଛନ୍ତି । ଏଥିସହିତ ପୋଲିସର ବେପୁରୁଆ ଢଙ୍ଗ ଯୋଗୁଁ ସେନା ଅଧିକାରୀଙ୍କ ବାନ୍ଧବୀ ତାଙ୍କୁ ପ୍ରଶ୍ନ କରୁଥିବାର ମଧ୍ୟ ଦୃଶ୍ୟ ରହିଛି । ଯାହା ପ୍ରତୀକ ସିଂଙ୍କ ବୟାନର ସତ୍ୟତା ନେଇ ଏବେ ବଡ ପ୍ରଶ୍ନ ସୃଷ୍ଟି କରିଛି । କିଏ ସତ କହୁଛି ସେନେଇ ତ ତଦନ୍ତ ପରେ ଜଣାପଡିବ ।

Leave A Reply

Your email address will not be published.