କଟକ:ଜଗତପୁର ଥାନା ଅନ୍ତର୍ଗତ ଆଇବି ରୋଡ୍ସ୍ଥିତ ବିରୂପା ନଦୀରୁ ମିଳିଲା ନିଖୋଜ ଯୁବକଙ୍କ ମୃତଦେହ। ଆଜି ସକାଳେ ମୃତଦେହ ଉଦ୍ଧାର ହୋଇଛି। ଅଗ୍ନିଶମ ଟିମ୍ ମୃତଦେହ ଉଦ୍ଧାର କରିଛନ୍ତି । ଗତକାଲି ବିରୂପା ନଦୀକୁ ଖସିପଡ଼ିଥିଲା କାର । ଭାରସାମ୍ୟ ହରାଇ ନଦୀକୁ ଖସିପଡ଼ିଥିଲା କାର୍ । ମୃତକ ହେଲେ ଭୁବନେଶ୍ୱର ଧଉଳି ଥାନା ଅନ୍ତର୍ଗତ ଲିଙ୍ଗିପୁର ଅଞ୍ଚଳର ଅତୁଲ ଓରଫ ଉଦିତ ନାରାୟଣ ସାହୁ(୨୨)। ତାଙ୍କ ସହିତ ଥିବା ଲିଙ୍ଗିପୁର ଅଞ୍ଚଳର ଅଂଶୁମାନ ପଣ୍ଡାଙ୍କୁ ନିମପୁର ବସ୍ତିର ଯୁବକମାନେ ଉଦ୍ଧାର କରିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ।
ବିଳମ୍ବିତ ରାତିରେ କାର୍ଟିକୁ(ଧଳା ରଙ୍ଗର ଈଭି କାର୍ -OD33-AM-2002) ନଈ ଭିତରୁ ଉଦ୍ଧାର କରାଯାଇଥିଲା । କିନ୍ତୁ କାର୍ ଭିତରେ ଉଦିତ ନଥିବା ଜଣାପଡ଼ିଥିଲା । ରାତି ୧୨ଟା ପର୍ଯ୍ୟନ୍ତ ସର୍ଚ୍ଚ ଅପରେସନ ଜାରି ରହିଥିଲା। ରାତିରେ ସର୍ଚ୍ଚ ଅପରେସନ କଷ୍ଟସାଧ୍ୟ ହୋଇଥିବାରୁ, ସର୍ଚ୍ଚ ଅପରେସନ ବନ୍ଦ କରାଯାଇଥିଲା। ନିଖୋଜ ଯୁବକଙ୍କ ପରିବାର ଲୋକଙ୍କ ସହ କଥା ହେବାପରେ, ପୁଣି ସର୍ଚ୍ଚ ଅପରେସନ ସକାଳୁ ଆରମ୍ଭ ହୋଇଥିଲା।
ସୂଚନା ମୁତାବକ, ଭୁବନେଶ୍ୱରରୁ ୫ଜଣ ସାଙ୍ଗ କାର୍ ଯୋଗେ ଗତକାଲି କଟକ ଆସିଥିଲେ। ଚାଉଳିଆଗଞ୍ଜରେ ଏକ ରେଷ୍ଟୁରାଣ୍ଟ ଉଦ୍ଘାଟନ କାର୍ଯ୍ୟକ୍ରମରେ ସେମାନେ ଯୋଗ ଦେଇଥିଲେ। କୌଣସି କାରଣରୁ ସେମାନେ ଚାଉଳିଆଗଞ୍ଜରୁ ଜଗତପୁର ବିରୂପା ନଦୀକୂଳରେ ପହଞ୍ଚିଥିଲେ । ସେଠାରେ ୩ଜଣ ସାଙ୍ଗ ପ୍ରଥମେ ଓହ୍ଲାଇ ପଡ଼ିଥିଲେ । ଅତୁଲ ଓ ଅଂଶୁମାନ ପୁଣି କାର୍ ଯୋଗେ ଆଇ.ବି. ରୋଡ୍ ନାରାୟଣବିହାରରେ ଥିବା ଏକ ଦୋକାନକୁ ଯାଇ କିଣାକିଣି କରିଥିଲେ। ଅତୁଲ ଓ ଅଂଶୁମାନ ପୁଣି ଉକ୍ତ ନଦୀତୁଠକୁ ଆସିବା ବେଳେ ନିୟନ୍ତ୍ରଣ ହରାଇ କାର୍ଟି ନଦୀ ମଧ୍ୟକୁ ପଶିଯାଇଥିବା ଆଶଙ୍କା କରାଯାଉଛି । ସ୍ଥାନୀୟ ବସ୍ତିର କେତେକ ସାହସୀ ଯୁବକ ଅଂଶୁମାନଙ୍କୁ ନଦୀପାଣିରୁ ଉଦ୍ଧାର କରିଥିଲେ ।
କେଉଁ ପରିସ୍ଥିତିରେ ଏବଂ କେମିତି ଗାଡ଼ିଟି ନଦୀ ଭିତରକୁ ଖସି ପଡିଲା ତାହାର ସଠିକ କାରଣ ଜଣା ପଡି ନଥିଲେ ବି, ଭାରସାମ୍ୟ ହରାଇ ଗାଡ଼ି ନଦୀ ମଧ୍ୟକୁ ଖସି ପଡିଥିବା କୁହାଯାଉଛି।
Comments are closed.