ପାରାଦୀପ: ପାରାଦୀପରେ ଅଭାବନୀୟ ଘଟଣା ଘଟିଛି । ଗତକାଲି ବାଲୁକା ପୂଜା କରିବା ପାଇଁ ଯାଇ ପାରାଦୀପ ଅଠରବାଙ୍କି ନଦୀରେ ଭାସିଯାଇ ଜଣେ ନାବାଳିକା ନିଖୋଜ ହୋଇଯାଇଥିଲେ । ହେଲେ ଆଜି ସକାଳୁ ତାଙ୍କର ମୃତଦେହ ଉଦ୍ଧାର ହୋଇଛି । ବାଲିପ୍ଲଟ ନିକଟରୁ ନାବାଳିକାର ମୃତଦେହ ଉଦ୍ଧାର କରାଯାଇଛି। ମୃତକ ପାରାଦୀପ ସବ୍ଷ୍ଟେସନ ବୃନ୍ଦାବନ କଲୋନୀର ବାସିନ୍ଦା ଆରତି ମଲିକ ବୋଲି ଜଣାପଡିଛି । ଆରତି ନବମ ଶ୍ରେଣୀରେ ପାଠ ପଢ଼ୁଥିଲେ। ଆରତିଙ୍କ ମୃତଦେହ ମିଳିବା ବେଳେ ପୁରା ପରିବାରରେ ଶୋକର ଛାୟା ଖେଳିଯାଇଛି।
ସୂଚନା ଅନୁସାରେ ଗତକାଲି ଖୁଦୁରୁକୁଣୀ ଓଷା ଥିଲା। ଆରତି଼ ଓଷା କରିଥିଲେ। ଏଥିପାଇଁ ସକାଳୁ ନିଜର ବଡ଼ମା’ ଓ ସାଙ୍ଗମାନଙ୍କ ସହ ଅଠରବାଙ୍କୀ ନଦୀକୁ ଗାଧୋଇବାକୁ ଯାଇଥିଲେ। ଗାଧୋଇଲା ବେଳେ ହଠାତ୍ ଆରତି ବୁଡ଼ିଯାଇଥିଲେ। ବଡ଼ ମା’ ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଠା କରିଥିଲେ। କିନ୍ତୁ ସେ ବି ବୁଡ଼ି ଯାଇଥିଲେ। ହେଲେ ସେଠାରେ ଥିବା ଜଣେ ପିଲା ତାଙ୍କୁ ଉଦ୍ଧାର କରିଥିଲା। ଅନ୍ୟପକ୍ଷରେ କିନ୍ତୁ ଆରତିଙ୍କର କୌଣସି ପତ୍ତା ମିଳିନଥିଲା। ଗତକାଲି ସ୍ଥାନୀୟ ଲୋକେ ଓ ଅଗ୍ନିଶମ ବାହିନୀ ଆରତିଙ୍କୁ ବହୁ ଖୋଜାଖୋଜି କରିଥିଲେ ହେଲେ ନିରାଶ ହୋଇଥିଲେ । ଆଜି ସକାଳୁ ପୁଣି ଅଗ୍ନିଶମ ବାହିନୀ ଖୋଜାଖୋଜି କରିଥିଲେ। ବାଲିପ୍ଲଟ ନିକଟରୁ ତାଙ୍କ ମୃତଦେହ ମିଳିଥିଲା।
Comments are closed.