Latest Odisha News

BREAKING NEWS

ଜଳେଶ୍ବରରେ ଗୋରୁ ଗାଡି ପୋଡି ଘଟଣା: ବଜରଙ୍ଗଦଳର ୪ ଯୁବକଙ୍କୁ ଅଟକ ରଖିବା ପ୍ରତିବାଦରେ ଥାନା ଘେରାଉ

ଜଳେଶ୍ବର: ଗୋରୁ ଗାଡ଼ି ପୋଡ଼ି ଘଟଣାରେ ଥାନା ଘେରାଉ। ଗତକାଲି ଗୋରୁ ଚୋରା ଚାଲାଣ ବେଳେ ଦୁଇଟି ପିକଅପ ଭ୍ୟାନରେ ନିଆଁ ଲଗାଇଦେଇଥିଲେ ଉତ୍ତ୍ୟକ୍ତ ଲୋକେ । ଏପରିକି ଗୋସୁରକ୍ଷାକାରୀ ବଜରଙ୍ଗ ଦଳର ୪ ଜଣ ଯୁବକଙ୍କୁ ଅଟକ ରଖିଥିଲା ବସ୍ତା ପୋଲିସ। ଏହାର ପ୍ରତିବାଦରେ ଗତକାଲି ରାତିରୁ ସ୍ଥାନୀୟ ଲୋକ କମର୍ଦ୍ଦା ଥାନା ଘେରାଉ କରିବା ସହ ରାସ୍ତା ଅବରୋଧ କରିଥିଲେ। ଏସପିଙ୍କ ସହ ଫୋନରେ ଆଲୋଚନା ପରେ ରାସ୍ତାରୋକ ହଟିଥିଲା। ଗତକାଲି ୨ଟି ଗୋରୁ ବୋଝେଇ ଗାଡ଼ିରେ ନିଆଁ ଲଗାଇ ଦେଇଥିଲେ ଲୋକେ। ବାଲିଆପାଳ ତାରିଣୀ ଛକ ନିକଟରେ ପିକଅପ ଭ୍ୟାନକୁ ଜାଳିଦେଇଥିଲେ। ୧୦୦ରୁ ଉର୍ଦ୍ଧ୍ବ ଗୋରୁ ପଶ୍ଚିମବଙ୍ଗକୁ ଚାଲାଣ ହେଉଥିବାବେଳେ ସେମାନଙ୍କୁ ଗାଡ଼ିରୁ ଓହ୍ଲାଇଦେଇଥିଲେ। ଏହାପରେ ଗାଡିରେ ନିଆଁ ଲଗାଇ ଦେଇଥିଲେ।

ସୂଚନା ଅନୁଯାୟୀ ବାଲେଶ୍ବର ଜିଲ୍ଲା କମର୍ଦ୍ଦା ଥାନା ଅନ୍ତର୍ଗତ ବାଲିଆପାଳ – କମର୍ଦ୍ଦା ମୁଖ୍ୟ ରାସ୍ତା ର ତାରିଣୀ ଛକ ନିକଟରେ ଗତ ଶନିବାର ବିଳମ୍ବିତ ରାତିରେ ୩ ଟି ପିକଅପ ଭ୍ୟାନରେ ୬୦ରୁ ଉର୍ଦ୍ଧ୍ୱ  ଗୋରୁ ବୋଝେଇ ହୋଇ ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିବା ବେଳେ କମର୍ଦ୍ଦା – ବାଲିଆପାଳ ମୁଖ୍ଯ ରାସ୍ତା ର ତାରିଣୀ ଛକ ନିକଟରେ ବଜରଙ୍ଗ ଦଳର କର୍ମୀ ଏବଂ କିଛି ସ୍ଥାନୀୟ ଲୋକେ ଗୋରୁ ଗାଡି ଗୁଡିକ ଅଟକାଇଥିଲେ । ଫଳରେ  ସେଠାରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା ।  ଏହାପରେ ଗୋରୁ ମାଫିଆ ସମେତ ଗାଡିର ଡ୍ରାଇଭର ଏବଂ ହେଲପର ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିଲେ । ତେବେ ପ୍ରତ୍ୟେକ ଦିନ ରାତିରେ ଗୋ ମାଫିଆମାନେ ଓଡିଶାରୁ ପଶ୍ଚିମବଙ୍ଗକୁ ଗୋରୁ ଚୋରା ଚାଲାଣ କରି ମାଲାମାଲ ହେଉଛନ୍ତି । ତେବେ ବସ୍ତା, ସିଙ୍ଗଲା, ବାଲିଆପାଳ ଥାନା ଅଞ୍ଚଳରେ ପୋଲିସର ପାଟ୍ରୋଲିଂ ହେଉଥିବା ବେଳେ କିପରି ଗୋରୁ ଗାଡି ଆସିଲା , ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି  ।

 

Leave A Reply

Your email address will not be published.