ବାଲେଶ୍ବର: ମୃତ୍ୟୁ ସହିତ ଦୀର୍ଘ ୬୦ ଘଣ୍ଟାର ଲଢ଼େଇ ପରେ ସବୁଦିନ ପାଇଁ ଆଖିବୁଜିଛନ୍ତି ବାଲେଶ୍ବର ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ପୀଡ଼ିତା ଛାତ୍ରୀ ସୌମ୍ୟାଶ୍ରୀ ବିଶି(୨୦) । ସୋମବାର ରାତି ୧୧ଟା ୪୬ମିନିଟରେ ମୃତ୍ୟୁ ଘଟିଛି । ଭୁବନେଶ୍ବର ଏମ୍ସରେ ପୋଷ୍ଟମର୍ଟମ ପରେ ସ୍ଵତନ୍ତ୍ର ପୋଲିସ୍ ଏସ୍କଟ ରେ ଭୋଗରାଇ ନିଆଗଲା ସୌମ୍ୟାଶ୍ରୀଙ୍କ ମର ଶରୀର ।
ପରିବାରଙ୍କ ସହମତିରେ ଭୋଗରାଇକୁ ନିଆଗଲା ମୃତଦେହ । ବାଲେଶ୍ବର ଭୋଗରାଇରେ ହେବ ସୌମ୍ୟାଶ୍ରୀଙ୍କ ଶେଷକୃତ୍ୟ । ସୌମ୍ୟାଶ୍ରୀଙ୍କ ମରଶରୀର ପହଞ୍ଚିବା ପୂର୍ବରୁ କାନ୍ଦ ବୋବାଳିରେ ଫାଟୁଛି ଭୋଗରାଇ ପଳାସିଆ ଗାଁ । ବାହୁନି ହେଉଛନ୍ତି ପରିବାର ଓ ଜ୍ଞାତି କୁଟୁମ୍ବ । ସୌମ୍ୟାଶ୍ରୀଙ୍କ ଏକାଧିକ ପ୍ରତିଭାକୁ ଝୁରୁଛନ୍ତି ଅଞ୍ଚଳବାସୀ । ଏହି ଘଟଣା ନେଇ ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ଖେଳି ଯାଇଛି ।
ଅନ୍ୟପକ୍ଷରେ ଛାତ୍ରୀଙ୍କ ମୃତଦେହକୁ ଏମ୍ସର ପଛ ଗେଟ୍ ଦେଇ ବାହାରକୁ ନିଆଯିବାବେଳେ ସେଠାରେ ଅପ୍ରୀତିକର ପରିସ୍ଥିତି ଦେଖିବାକୁ ମିଳିଥିଲା । ବିଜେଡି ଏବଂ କଂଗ୍ରେସର ଛାତ୍ର ଓ ଯୁବନେତାମାନେ ଆମ୍ବୁଲାନ୍ସ ସମ୍ମୁଖରେ ଶୋଇ ପ୍ରତିବାଦ କରିବା ସହ ପୋଲିସ ଓ ପ୍ରଶାସନ ଲୁଚାଇ ମୃତଶରୀର ନେଇଯାଉଥିବା ଅଭିଯୋଗ କରିଥିଲେ । ହେଲେ ଏହାକୁ ଖଣ୍ଡନ କରିଥିଲେ ଡିସିପି ଜଗମୋହନ ମୀନା ।
ନିଜ ବିଭାଗର ଅଧ୍ୟାପକ(ବିଭାଗୀୟ ମୁଖ୍ୟ) ସମୀର କୁମାର ସାହୁଙ୍କ ବିରୋଧରେ ସୌମ୍ୟାଶ୍ରୀ ଯୌନ ନିର୍ଯାତନା ଅଭିଯୋଗ ଆଣିବା ପରେ ପେଟ୍ରୋଲ ଢାଳି ନିଜ ଦେହରେ ନିଆଁ ଲଗାଇ ଦେଇ ଆତ୍ମାହୁତି ଉଦ୍ୟମ କରିଥିଲେ । ଏହାପରେ ଗୁରୁତର ଅବସ୍ଥାରେ ୧୨ ତାରିଖ ଦିନ ବାଲେଶ୍ବର ଜିଲା ହସ୍ପିଟାଲରୁ ସନ୍ଧ୍ୟା ୫ଟା ସମୟରେ ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା । ତାଙ୍କୁ ଆଇସିୟୁରେ ଭେଣ୍ଟିଲେଟରରେ ରଖାଯିବା ସହ ଆବଶ୍ୟକ ଉନ୍ନତ ଚିକିତ୍ସା କରାଯାଉଥିଲା । ତେବେ ଶରୀରର ୯୫ ପ୍ରତିଶତ ପୋଡ଼ିଯାଇଥିବାରୁ ତାଙ୍କ କିଡନୀ, ଫୁସଫୁସ୍ ଓ ଲିଭର ଗୁରୁତର କ୍ଷତିଗ୍ରସ୍ତ ହୋଇଥିଲା । ଦିଲ୍ଲୀ ଏମ୍ସ ବିଶେଷଜ୍ଞଙ୍କ ପରାମର୍ଶକ୍ରମେ ତାଙ୍କର ଡାଏଲିସିସ୍ କରାଯାଉଥିଲା ।
ଏମସର ବର୍ଣ୍ଣ ବିଭାଗର ଆଇସିୟୁର ଭେଣ୍ଟିଲେଟର ଜରିଆରେ ଚିକିତ୍ସାଧୀନ ସୌମ୍ୟାଶ୍ରୀଙ୍କର ସୋମବାର ରାତି ୧୧ଟା ୪୬ମିନିଟ୍ରେ ମୃତ୍ୟୁ ଘଟିଛି ।
Comments are closed.