ଉତ୍ତରପ୍ରଦେଶ: ଆଜିକାଲିର ବ୍ୟସ୍ତତାପୁର୍ଣ୍ଣ ଜୀବନ ଭିତରେ ବାହାର ଖାଦ୍ୟ ଖାଇବା ପ୍ରାୟତଃ ଲୋକ ମାନଙ୍କର ଅଭ୍ୟାସ ପାଲଟିଗଲାଣି । ଲୋକେ ଘର ଖାଦ୍ୟକୁ ସମ୍ପୁର୍ଣ୍ଣ ଭାବରେ ଯେପରି ଭୁଲି ଗଲେଣି । କିନ୍ତୁ ଏହାକୁ ଆପଣ ଅଣଦେଖା କରିପାରିବେନି ଯେ ଘରେ ଯେଉଁଭଳି ଭାବରେ ଆମେ ଖାଦ୍ୟ ସ୍ଵଚ୍ଛତାର ସହ ପ୍ରସ୍ତୁତ କରିଥାଉ ସେପରି ଭାବରେ ଖାଦ୍ୟ ପ୍ରସ୍ତୁତି ବାହାରେ କରାଯାଇନଥାଏ । ବେଳେବେଳେ ବାହାର ଖାଦ୍ୟ ଆମ ସ୍ଵାସ୍ଥ୍ୟ ପାଇଁ ଏତେ ଖରାପ ସାବ୍ୟସ୍ତ ହୋଇଥାଏ ଯେ ଲୋକେ ଖାଉ ଖାଉ ଫୁଡ ପଏଜନିଂର ଶିକାର ହୋଇଥାନ୍ତି । କେତେବେଳେ ଖାଦ୍ୟରୁ କୀଟ-ପତଙ୍ଗ ବାହାରିଲାଣି ତ କେତେବେଳେ ଖାଦ୍ୟରେ ଅପମିଶ୍ରଣ କରାଗଲାଣି । ଏଭଳି ଖବର ଏବେ ପ୍ରାୟତଃ ଶୁଣିବାକୁ ମିଳୁଛି ।
ନିକଟରେ ମୁମ୍ବାଇର ଏକ ରେଷ୍ଟୁରାଣ୍ଟରୁ ଜଣେ ବ୍ୟକ୍ତି ଖାଦ୍ୟ ଖାଇବା ବେଳେ ଚିକେନ ତରକାରୀରୁ ମଲା ମୂଷା ବାହାରିବା ଘଟଣା ସମଗ୍ର ଅଞ୍ଚଳରେ ଚହଳ ପକାଇଥିଲା । ସେହିପରି ଏକ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ହାପୁରଠାରେ । ଲୋକାଲ ମାର୍କେଟରୁ ସିଙ୍ଗଡା ଖାଇ ଦୁଇ ବାପ ଝିଅ ବର୍ତ୍ତମାନ ଡାକ୍ତରଖାନରେ ଭର୍ତ୍ତି ହୋଇଛନ୍ତି । ଏହାର ପ୍ରକୃତ କାରଣ ଜାଣିଲେ ଆପଣଙ୍କର ମଧ୍ୟ ବାହାର ଖାଇବା ପ୍ରତି ଗୋଟେ ପ୍ରକାରର ବିତୃଷ୍ଣା ଭାବ ଆସିଯିବ । ପ୍ରକୃତ କଥା ଟି ହେଉଛି ଏପରି ।
ହାପୁର ସହରର ଚଣ୍ଡୀ ରୋଡରେ ଅବସ୍ଥିତ ଏକ ମିଠା ଦୋକାନରୁ ମୋହଲ୍ଲା ନ୍ୟୁ ଆର୍ଯ୍ୟ ନଗର ନିବାସୀ ମନୋଜ ପୁରା ଘର ପାଇଁ ସିଙ୍ଗଡ଼ା ଆଣିଥିଲେ । ସିଙ୍ଗଡାକୁ ପ୍ରଥମେ ତାଙ୍କ ୧୩ ବର୍ଷର ଝିଅ ଖାଇଥିଲା । ପରେ ମନୋଜ ସେହି ସିଙ୍ଗଡା ଖାଇଥିଲେ । ସିଙ୍ଗଡା ଖାଇବା କ୍ଷଣି ତାଙ୍କ ପାଟିକୁ କିଛି ଅଜବ ସ୍ଵାଦ ଲାଗିଥିଲା । ପରେ ସେ ସିଙ୍ଗଡାକୁ ଖୋଲି ଯାହା ଦେଖିଲେ ସେଥିରେ ତାଙ୍କ ପାଦ ତଳୁ ମାଟି ଖସିଯାଇଥିଲା । କାରଣ ସିଙ୍ଗଡା ଭିତରେ ମଲା ଝିଟିପିଟି ଥିଲା । ସେପଟେ ସିଙ୍ଗଡା ଖାଇ ତାଙ୍କ ୧୩ ବର୍ଷର ଝିଅ ମଧ୍ୟ ଅସୁସ୍ଥ ହୋଇପଡିଥିଲା । ପରେ ପରେ ମନୋଜଙ୍କ ସ୍ଵାସ୍ଥ୍ୟବସ୍ଥା ମଧ୍ୟ ବିଗିଡିବାରେ ଲାଗିଥିଲା ।
ଏହାପରେ ଉଭୟ ବାପ-ଝିଅଙ୍କୁ ଲୋକାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ପୀଡିତାଙ୍କ ପରିବାର ପୋଲିସ କଣ୍ଟ୍ରୋଲ ରୁମକୁ ଏନେଇ ସୂଚନା ଦେଇଥିଲେ । ପୀଡିତାଙ୍କ ପରିବାର ଏନେଇ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି । ସେପଟେ ପୋଲିସ ଉକ୍ତ ଦୋକାନୀକୁ ପଚରାଉଚରା କରିବା ବେଳେ ଦୋକାନୀ ମାଲିକ ତାଙ୍କ ଭୁଲକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହଁନ୍ତି । ଏନେଇ ଦୋକାନ ମାଲିକ କହିଛନ୍ତି ଯେ, ସିଙ୍ଗଡ଼ାର ଆଳୁ ଭର୍ତ୍ତି କରିବା ଯାଗାରେ ଝିଟିପିଟି ଆସିବାର କୌଣସି ପ୍ରଶ୍ନ ଉଠୁନାହିଁ । ତେବେ ବର୍ତ୍ତମାନ ବାପ-ଝିଅଙ୍କ ସ୍ଵାସ୍ଥ୍ୟବସ୍ଥା ସ୍ଥିର ଥିବା ବେଳେ ପୋଲିସ ଏନେଇ ତଦନ୍ତ ଚଲାଇଛି ।
Comments are closed.