ବ୍ରହ୍ମପୁର: ଗଞ୍ଜାମ ଜିଲା ଶେରଗଡ଼ ଥାନା ଅନ୍ତର୍ଗତ ବନ୍ଧାଗୁଡ଼ା ଗ୍ରାମର ତ୍ରିନାଥ ପାତ୍ରଙ୍କ ଶବକୁ ମାଟି ତଳୁ ଜବତ କରିଛି ଶେରଗଡ଼ ଥାନା ପୋଲିସ । ତ୍ରିନାଥ ନିଖୋଜ ହୋଇଥିବା ନେଇ ତାଙ୍କ ଭାଇ ଚନ୍ଦ୍ରୁ ପାତ୍ର ଶେରଗଡ଼ ଥାନାରେ ଏତଲା ଦେଇଥିଲେ।
ପୋଲିସ ତଦନ୍ତ ବେଳେ ଅନନ୍ତନଗର ତୋଟାରେ ମାଟି ତଳୁ ତ୍ରିନାଥଙ୍କ ଶବ ମିଳିଛି । ପୋଲିସ ଏବଂ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି।
ଗୁଣି ଗାରେଡ଼ି ସନ୍ଦେହରେ ତାଙ୍କୁ ହତ୍ୟା କରାଯାଇଥିବା ପୋଲିସ ଆଶଙ୍କା କରୁଛି । ଆସିକା ଏସ୍ଡିପିଓ ଉମାଶଙ୍କର ସିଂଙ୍କ କହିବାନୁଯାୟୀ, ବୃଦ୍ଧ ଜଣକ ଭିକ୍ଷାବୃତ୍ତି କରି ଚଳୁଥିଲେ । ପ୍ରାୟ ଦୁଇ ଦିନ ତଳେ ଗାଁକୁ ଭିକ୍ଷା ମାଗିବାକୁ ଆସିଥିଲେ ।
ଜଣେ ଯୁବତୀଙ୍କୁ ଟଣାଓଟରା କରିଥିଲେ । ସେଠାରେ କେତେକ ଲୋକ ହୋଇ ତାଙ୍କୁ ମାର୍ପିଟ୍ କରିଥିଲେ । ଏଣୁ ମାଡ଼ରେ ମୃତ୍ୟୁ ପରେ ତାଙ୍କୁ ପୋତି ଦେଇଥିବା ସନ୍ଦେହ କରାଯାଉଛି । ଜଣକୁ ଅଟକ ରଖାଯାଇ ପଚରାଉଚରା କରାଯାଉଛି ।
ତଦନ୍ତ ପରେ ହିଁ ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ସେ ପ୍ରକାଶ କରିଛନ୍ତି । ଶବ ବ୍ୟବଚ୍ଛେଦ ପାଇଁ ଆସିକା ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଯାଇଛି । ତେବେ ଅଞ୍ଚଳବାସୀଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଗୁଣିଗାରେଡ଼ି ସନ୍ଦେହରେ ତ୍ରିନାଥଙ୍କୁ ହତ୍ୟା କରାଯାଇଥିବା ଆଶଙ୍କା କରାଯାଉଛି ।
ତ୍ରିନାଥଙ୍କ ଗୋଟିଏ ପୁଅ ଏବଂ ଗୋଟିଏ ଝିଅ ମଧ୍ୟରୁ ଝିଅ ବାହାଘର ସାରିଥିବା ବେଳେ ପୁଅ ମାନସିକ ଅନାଗ୍ରସର। ବହୁ ବର୍ଷ ପୂର୍ବରୁ ସ୍ତ୍ରୀଙ୍କ ମୃତ୍ୟୁ ହୋଇଯାଇଛି ।
Comments are closed.