Latest Odisha News

BREAKING NEWS

ଯାଜପୁରରେ ରାସ୍ତା କଡରୁ ମିଳିଲା ରମାଦେବୀ ବିଶ୍ୱବିଦ୍ୟାଳୟ ଛାତ୍ରୀଙ୍କ ମୃତଦେହ, ହତ୍ୟା ସନ୍ଦେହ

ଭୁବନେଶ୍ୱର: ଯାଜପୁର ମୂଳାପାଳ ଦିଆଲଖଣ୍ଡି ରାସ୍ତା କଡ଼ରୁ ମିଳିଲା ରମାଦେବୀ ବିଶ୍ୱବିଦ୍ୟାଳୟର ଛାତ୍ରୀଙ୍କ ମୃତଦେହ । ତେବେ ତାଙ୍କୁ ହତ୍ୟା କରିବା ପରେ ମୃତଦେହ ଯାଜପୁରରେ ଫିଙ୍ଗା ଯାଇଥିବା ସନ୍ଦେହ କରାଯାଉଛି ।

ମିଳିଥିବା ସୂଚନା ଅନୁୟାୟୀ, ଛାତ୍ରୀ ଜଣଙ୍କ ରମାଦେବୀ ବିଶ୍ୱବିଦ୍ୟାଳୟରେ ଯୁକ୍ତ ତିନିରେ ପାଠ ପଢୁଥିଲେ । ତାଙ୍କ ଘର ମୟୂରଭଂଜ ଅଂଚଳରେ । ଗତ ୨୪ ତାରିଖରେ ସେ ଘରୁ ହଷ୍ଟେଲକୁ ଆସିଥିଲେ । ତେବେ ହଠାତ୍ ତାଙ୍କ ମୃତଦେହ ଯାଜପୁରରୁ ମିଳିବା ସାଧାରଣରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ତେବେ ଏକ ସିସିଟିଭି ଭିଜୁଆଲରୁ ଜଣାପଡିଛି ଯେ, ଦୁଇ ଜଣ ଯୁବକ ତାଙ୍କୁ ଏକ ସ୍କୁଟିରେ ମଝିରେ ବସାଇ ନେଉଥିବାର । ତେବେ ଏହି ଯୁବକମାନଙ୍କର ଏହି ହତ୍ୟାକାଣ୍ଡ ପଛରେ ହାତ ଥାଇପାରେ ବୋଲି ଅନୁମାନ କରାଯାଉଛି । ତେବେ ଏ ଯୁବକ ଦୁଇ ଜଣ କିଏ ସେ ନେଇ ପୋଲିସ ତଦନ୍ତ ଚଳାଇଛି ।

ଯାଜପୁରର ଅତିରିକ୍ତ ଏସପି ବିବି ବେହେରା କହିଛନ୍ତି ଯେ, ”ଆଜି ସକାଳ ୯ଟା ୧୫ରେ ଗୋଟିଏ ଝିଅର ମୃତଦେହ କେହି ଫିଙ୍ଗି ଦେଇ ଚାଲିଯାଇଥିବା ସୂଚନା ମିଳିଥିଲା । ଘଟଣା ସ୍ଥଳରେ ପହଞ୍ଚିବା ପରେ ମୃତଦେହ ନିକଟରୁ ଏକ ବ୍ୟାଗ ମିଳିଥିଲା । ଏଥିରୁ କିଛି ବହି, ଖାତା, ଡ୍ରେସ୍ ଓ ଏକ ଫୋନ ନମ୍ବର ମିଳିଥିଲା । ଏ ଫୋନ ନମ୍ବରରେ ଯୋଗାଯୋଗ କରିବାରୁ ତାଙ୍କ ବାପାଙ୍କ ସହ କଥାବାର୍ତ୍ତା ହୋଇପାରିଥିଲି । ”

ମୃତକଙ୍କ ବାପା ରମାକାନ୍ତ ନାୟକ କହିଛନ୍ତି, ”ଝିଅ ୨୪ ତାରିଖରେ ଭୁବନେଶ୍ୱର ଯିବା ପାଇଁ ବାହାରିଥିଲା । ତାକୁ ମୁଁ ବସରେ ବସାଇଫେରିଥିଲି । ସେ ତା ପରଦିନ ଭୁବନେଶ୍ୱରରେ ତାର ଜଣେ ଶିକ୍ଷକଙ୍କ ଝିଅ ଜନ୍ମ ଦିନରେ ଯୋଗ ଦେଇଥିଲା । ଗତକାଲି ଅର୍ଥାତ ୨୬ ତାରିଖ ପ୍ରାୟ ୧୧ଟା ୧୫ ମିନିଟରେ ସେହି ସାର ଝିଅକୁ ଜୟଦେବ ବିହାରରେ ବସରେ ବସାଇଥିଲେ । କିଛି ସମୟ ପରେ ମୁଁ ଝିଅକୁ କଲ କରିଥିଲି । ଝିଅ କହିଲା ଯେ ତା ଦେହ ଭଲ ଲାଗୁ ନ ଥିବାରୁ ସେ ବାଣୀବିହାର ଛକରେ ଓହ୍ଲାଇ ପଡିଛି । ପରବର୍ତ୍ତୀ ବସରେ ଘରକୁ ଫେରିବ । ପ୍ରାୟ ୩ଟା ବେଳକୁ ପୁଣି ମୁଁ କଲ କଲି । ସେ କହିଲା ତାର ଦେହ ଅଧିକ ଅସୁସ୍ଥ ଲାଗୁଥିବାରୁ ସେ ସାଙ୍ଗ ଘରେ ଅଛି । କିନ୍ତୁ ଏହା ପରେ ଫୋନ କଟିଯାଇଥିଲା ଆଉ କଲ କଲେ ବି ରିସିଭ କରି ନ ଥିଲା । ରାତି ସାରା ମୁଁ ଲଗାତାର କଲ କରିଚାଲିଥିଲି । ଆଜି ସକାଳ ସାଢେ ୯ଟାରେ ମୁଁ କୁଆଖିଆ ପୋଲିସ ନିକଟରୁ କଲଟିଏ ପାଇଲି ଆଉ ଝିଅର ମୃତ୍ୟୁ ସମ୍ପର୍କରେ ଜାଣିବାକୁ ପାଇଥିଲି । ”

ଏଥି ସହ ତାଙ୍କ ଝିଅର ଗତକିଛି ଦିନ ହେଲା ଜଣେ ପୁଅ ସାଙ୍ଗେ ମିଳାମିଶା ବଢିଥିବାରୁ ଏହି ଘଟଣା ସହ ତାର କିଛି ସଂପୃକ୍ତି ରହିଛି ବୋଲି ସେ ଅନୁମାନ କରିଛନ୍ତି ।

Leave A Reply

Your email address will not be published.