Latest Odisha News

BREAKING NEWS

ଏବେବି ରହସ୍ୟ ଘେରରେ ନେତାଜୀଙ୍କ ମୃତ୍ୟୁ !

ଭୁବନେଶ୍ୱର: ଆଜିକୁ ୭୪ ବର୍ଷ ବିତିଯାଇଥିଲେ ମଧ୍ୟ ଏବେବି ରହସ୍ୟ ଘେରରେ ରହିଛି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ମୃତ୍ୟୁ । “ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ୱାଧୀନତା ଦେବି” ଏହି ଉକ୍ତିଟିକୁ କହିଥିବା ଭାରତର ଏହି ମହାନ୍ ସ୍ୱାଧୀନତା ସଂଗ୍ରାମୀଙ୍କ ଆଜି ପୁଣ୍ୟତିଥି ।

୧୯୪୫ ମସିହା ଅଗଷ୍ଟ ମାସ ୧୮ ତାରିଖରେ ତାଇୱାନରେ ଘଟିଥିବା ଏକ ବିମାନ ଦୁର୍ଘଟଣାରେ ତାଙ୍କର ଦେହାନ୍ତ ହୋଇଥିଲା ।

ତେବେ ନେତାଜୀଙ୍କ ଏଭଳି ରହସ୍ୟଜନକ ଭାବେ ଉଭାନ୍ ହୋଇଯିବା ଘଟଣା ତଥା ତାଙ୍କ ମୃତ୍ୟୁକୁ ନେଇ ଆଜିବି ଅନେକ ଲୋକ ଭିନ୍ନଭିନ୍ନ ପ୍ରକାର ମତ ପ୍ରକାଶ କରିଥାନ୍ତି ।

ତାଙ୍କର ଏପରି ଗାଏବ ହୋଇଯିବା ଘଟଣାକୁ ମନେ ପକାଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଟ୍ୱିଟ୍ କରିଛନ୍ତି।

ଆଜିର ଦିନରେ ନେତାଜୀ ତାଇୱାନର ଏକ ଏୟାରପୋର୍ଟରୁ ବିମାନରେ ଉଡାଣ ଭରିଥିବା ବେଳେ ସେହିଦିନଠାରୁ ସେ କେଉଁଆଡେ ଉଭାନ ହୋଇଗଲେ । ଯାହା ଆଜି ଯାଏଁ ରହସ୍ୟ ହୋଇ ରହିଛି । ମାଟି ମା’ର ଏହି ସୁପୁତ୍ରଙ୍କ ସହ କ’ଣ ଘଟିଲା, ତାହା ଜାଣିବା ଦେଶବାସୀଙ୍କ ସମ୍ପୂର୍ଣ୍ଣ ଅଧିକାର ବୋଲି ତାଙ୍କ ଟ୍ୱିଟରେ ଉଲ୍ଲେଖ କରିଛନ୍ତି ।

ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ନେତାଜୀଙ୍କ ନିଖୋଜ ହେବା ରହସ୍ୟ ଉନ୍ମୋଚନ ଲାଗି ୩ଟି ଯାଞ୍ଚ କମିଶନ ଗଠନ କରାଯାଇଥିଲା ।

ସୁପ୍ରିମକୋର୍ଟର ଅବସରପ୍ରାପ୍ତ ଜଜ୍ ଏମକେ ମୁଖାର୍ଜୀଙ୍କ ଅଧ୍ୟକ୍ଷତାରେ ୧୯୯୯ ମସିହାରୁ ଆରମ୍ଭ ହୋଇଥିବା ମୁଖାର୍ଜୀ କମିଶନଙ୍କ ତଦନ୍ତ ପାଖାପାଖି ୬ ବର୍ଷ ତଥା ୨୦୦୫ ଯାଏଁ ଚାଲିଥିଲା । ତାଙ୍କ ରିପୋର୍ଟନୁଯାୟୀ ନେତାଜୀଙ୍କୁ ବଞ୍ଚାଇବା ଲାଗି ଏଭଳି ଦୁର୍ଘଟଣା ରଚାଯାଇଥିଲା ।

ପରେ ୨୦୦୬ ମସିହାରେ ଏହି ରିପୋର୍ଟକୁ କଂଗ୍ରେସ ସରକାର ଖାରଜ କରିଦେଇଥିଲେ ।

ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ପଶ୍ଚିମବଙ୍ଗ ସରକାର ୨୦୧୫ ମସିହାରେ ନେତାଜୀଙ୍କ ସମ୍ପର୍କିତ ପାଖାପାଖି ୬୪ଟି ଫାଇଲ୍ ଉପରୁ ପ୍ରତିବନ୍ଧକ ହଟାଇଥିଲେ ।

ସେହିପରି ପରବର୍ତ୍ତୀ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ନେତାଜୀଙ୍କ ସମ୍ପର୍କିତ କିଛି ଦସ୍ତାବିଜକୁ ସାର୍ବଜନୀନ କରିଥିଲେ ।

ଉଲ୍ଲେଖଯୋଗ୍ୟ, ସୁଭାଷ ବୋଷ ତଥା ନେତାଜୀ ସୁଭାଷ ବୋଷ ଭାବରେ ପରିଚିତ ମହାନାୟକଙ୍କ ଜନ୍ମ ୧୮୯୭ ମସିହା ଜାନୁଆରୀ ୨୩ ତାରିଖରେ କଟକ ଜିଲ୍ଲାରେ ହୋଇଥିଲା ।

ଭାରତକୁ ସ୍ୱାଧୀନତା ପ୍ରଦାନ କରିବା ଦିଗରେ ତାଙ୍କର ମଧ୍ୟ ଅନନ୍ୟ ଭୂମିକା ରହିଛି । ଏପରିକି ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଇଂରେଜମାନଙ୍କ ବିରୋଧରେ ଲଢେଇ କରିବା ଲାଗି ଜାପାନ ସହାୟତାରେ ସେ ‘ଆଜାଦ ହିନ୍ଦ ଫୌଜ’ ଗଠନ କରିଥିଲେ ।

 

Leave A Reply

Your email address will not be published.