Latest Odisha News

BREAKING NEWS

ଚିତ୍ତରଞ୍ଜନ ପଲେଇ ମୃତ୍ୟୁ ମାମଲା: ୪ ଜଣଙ୍କର ଚାଲିଛି ଲାଏ ଡିଟେକସନ୍ ଟେଷ୍ଟ

ପୁରୀ: ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମାଙ୍କ ପ୍ରାଇଭେଟ୍ ପିଏସଓ ଚିତ୍ତରଞ୍ଜନ ପଲେଇ ହତ୍ୟା ମାମଲାରେ ଖୋଳତାଡ କରୁଛି କ୍ରାଇମବ୍ରାଞ୍ଚ । ଆଜି ୪ ଜଣଙ୍କର ଲାଏ ଡିଟେକସନ୍ ଟେଷ୍ଟ କରାଉଛି କ୍ରାଇମବ୍ରାଞ୍ଚ । ଏଥିପାଇଁ ସେମାନଙ୍କୁ ଭୁବନେଶ୍ୱର ସ୍ଥିତ ଷ୍ଟେଟ୍ ଫରେନସିକ୍ ଲାବକୁ ଅଣାଯାଇଛି ।

ଏହାରି ଭିତରେ ତଦନ୍ତକାରୀ ଟିମ୍ ପାଖରେ ପହଞ୍ଚିଛି ପୋଷ୍ଟମର୍ଟମ ରିପୋର୍ଟ । ଯେଉଁଥିରେ ଚିତ୍ତରଞ୍ଜନ ପାଣିରେ ବୁଡି ପ୍ରାଣ ହରାଇଥିବା ଉଲ୍ଲେଖ ରହିଛି । ଏହାକୁ ଯାଞ୍ଚ ପାଇଁ ରାଜ୍ୟ ଫରେନସିକ୍ ଲାବକୁ ପଠାଯାଇଛି । ଏହି ସୂଚନା ଦେଇଛନ୍ତି ପୁରୀ ସିଡିଏମଓ ଦାୟିତ୍ୱରେ ଥିବା ଏଡିଏମଓ ଡାକ୍ତର ପ୍ରଣବ ଶଙ୍କର ଦାସ ।

ଏବେ ଫରେନସିକ୍ ଲାବ ରିପୋର୍ଟକୁ ଅପେକ୍ଷା କରାଯାଇଛି । ପୂର୍ବରୁ ଭିସେରା ଓ ରକ୍ତ ନମୁନା ଯାଞ୍ଚ ପାଇଁ ପଠାଯାଇଥିଲା । ପୋଷ୍ଟମର୍ଟମ ରିପୋର୍ଟର ତର୍ଜମା କରୁଛି କ୍ରାଇମବ୍ରାଞ୍ଚ । ସମସ୍ତ ଦିଗକୁ ଦୃଷ୍ଟିରେ ରଖି ଖୋଳତାଡ ଚାଲିଛି । ନିଜେ କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା କିଛି ଦିନ ତଳେ ମୃତଦେହ ମିଳିଥିବା ଗଡ଼ମୃଗଶିରା ଓ ବାଇକ୍ ପଡ଼ିଥିବା ସ୍ଥାନକୁ ଯାଇ ସରଜମିନ ତଦନ୍ତ କରିଥିଲେ ।

ଚିତ୍ତରଞ୍ଜନ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ୫ ଜଣଙ୍କୁ ଜେରା କରିବା ସହ ବୟାନ ରେକର୍ଡ କରିଛି । ପରିବାର ଲୋକଙ୍କୁ ବି ହୋଇଛି ପଚରଉଚରା । ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଜଗନ୍ନାଥ ଷଡ଼ଙ୍ଗୀକୁ ବି ମାରାଥନ୍ ଜେରା ହୋଇଛି । ମାଟିଆପଡ଼ାରେ ଜଗା ଘରେ ବି ଖୋଳତାଡ ହୋଇଛି ।

ଗତ ୧୧ ତାରିଖର ରାତିରେ ଜଗା ଘରେ ଭୋଜି ହୋଇଥିଲା । ତାପରଠୁ ଆଉ ଘରକୁ ଫେରି ନଥିଲେ ଚିତ୍ତରଞ୍ଜନ । ମୋବାଇଲ୍ ବନ୍ଦ ରହିଥିଲା । ଦୁଇ ଦିନ ପରେ ଅର୍ଥାତ ୧୩ ତାରିଖରେ ପୁରୀ ନୂଆନଈ ନିକଟରୁ ଚିତ୍ତରଞ୍ଜନଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଶରୀରରେ କ୍ଷତ ଚିହ୍ନ ଥିବାରୁ ହତ୍ୟା ଅଭିଯୋଗ କରିଥିଲେ ପରିବାର ଲୋକ । ପ୍ରଥମେ ପୋଲିସ ଓ ପରେ କ୍ରାଇମବ୍ରାଞ୍ଚକୁ ତଦନ୍ତ ଦାୟିତ୍ୱ ଦେଇଛନ୍ତି ପୋଲିସ ଡିଜି ।

Comments are closed.