Latest Odisha News

ବିଶିଷ୍ଟ ଶିକ୍ଷାବିତ୍‌ ଓ ସ୍ତମ୍ଭକାର ଡକ୍ଟର ପାବକ କାନୁନଗୋଙ୍କ ପରଲୋକ

କଟକ: ପଦ୍ମଶ୍ରୀ ବିନୋଦ କାନୁନ୍‌ଗୋଙ୍କ ଜ୍ୟେଷ୍ଠପୁତ୍ର ବିଶିଷ୍ଟ ଶିକ୍ଷାବିତ୍‌ ଓ ସ୍ତମ୍ଭକାର ଡକ୍ଟର ପାବକ କାନୁନ୍‌ଗୋ (୭୮)ଙ୍କର ବୁଧବାର ରାତିରେ ମର୍କତନଗର (ସିଡିଏ)ସ୍ଥିତ ବାସଭବନରେ ହୃଦଘାତରେ ପରଲୋକ ହୋଇଯାଇଛି। ସେ ଖ୍ରୀଷ୍ଟ କଲେଜ ରାଜନୀତି ବିଜ୍ଞାନ ବିଭାଗର ପ୍ରାଧ୍ୟାପକ ତଥା ମୁଖ୍ୟ ପଦରୁ ଅବସର ନେଇଥିଲେ।

ଡକ୍ଟର କାନୁନ୍‌ଗୋ ‘ଆମ ଜାତିସଂଘ’, ‘ଓଡ଼ିଶା ଓ ଗାନ୍ଧି’ ଇତ୍ୟାଦି ପୁସ୍ତକ ରଚନା କରି ଓଡ଼ିଆ ପ୍ରବନ୍ଧ ସାହିତ୍ୟକୁ ପୁଷ୍ଟ କରିଛନ୍ତି। ଶେଷୋକ୍ତ ଗ୍ରନ୍ଥ ପାଇଁ ସେ ଓଡ଼ିଶା ସାହିତ୍ୟ ଏକାଡ଼େମୀଦ୍ଵାରା ୨୦୦୧ ମସିହାରେ ପୁରସ୍କୃତ ହୋଇଥିଲେ। ତାଙ୍କ ରଚିତ ପ୍ରବନ୍ଧମାନ ବିଭିନ୍ନ ସମ୍ବାଦପତ୍ରରେ ନିୟମିତ ରୂପେ ପ୍ରକାଶ ପାଉଥିଲା। ସେ କେନ୍ଦୁପତ୍ର ଓ ଓଡ଼ିଶା ରାଜନୀତି ଉପରେ ଗବେଷଣା କରି ଉତ୍କଳ ବିଶ୍ଵବିଦ୍ୟାଳୟରୁ ‘ଡକ୍ଟରେଟ’ ପାଇଥିଲେ।

୧୬ ଜାନୁୟାରୀ ୧୯୪୭ରେ ପାବକ କାନୁନ୍‌ଗୋ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପିତା ସଂଗ୍ରାମୀ ବିନୋଦ କାନୁନ୍‌ଗୋ ଥିଲେ । ତାଙ୍କ ମାତାଙ୍କ ନାମ ଶଶିବାଳା କାନୁନ୍‌ଗୋ ଥିଲା । ଲେଖକ , ଗବେଷକ, ସ୍ତମ୍ଭକାର ଓ ପ୍ରବୀଣ ଅଧାପକରୂପେ ସୁପରିଚିତ ଡ଼କ୍ଟର ପାବକ କାନୁନ୍‌ଗୋ ଗାନ୍ଧୀ- ଦର୍ଶନର ଜଣେ ବ୍ୟାଖ୍ୟାକାର ଭାବରେ ନିଜକୁ ପ୍ରତିଷ୍ଠିତ କରିପାରିଛନ୍ତି । ମୁକ୍ତି ସଂଗ୍ରାମର ଚିରନ୍ତନ ଗରିମା-ଆଧାରିତ ମୂଲ୍ୟବୋଧକୁ ନିଜର ଲେଖା ଜରିଆରେ ଜନସାଧାରଣଙ୍କ ମଧ୍ୟରେ ପ୍ରସାର କରିବା ତାଙ୍କର ଲକ୍ଷ୍ୟ ଥିଲା ।

ଡକ୍ଟର କାନୁନ୍‌ଗୋଙ୍କର ଅଗଣିତ ଛାତ୍ର ଆଜି ସମାଜର ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠା ଲାଭ କରିଛନ୍ତି। ତାଙ୍କ ବିୟୋଗରେ ବିଶିଷ୍ଟ ଶିକ୍ଷାବିତ୍‌ ପ୍ରଫେସର ଦେବକାନ୍ତ ମିଶ୍ର, ପ୍ରଫେସର ପ୍ରକାଶ ଚନ୍ଦ୍ର ଷଡ଼ଙ୍ଗୀ, ପ୍ରଫେସର ଯୁଗଳ କିଶୋର ମିଶ୍ର, ଦାଶ ବେନହୁର, ଡକ୍ଟର ନାରାୟଣ ମହାନ୍ତି, ଡକ୍ଟର ସନାତନ ପ୍ରଧାନ, ଡକ୍ଟର ରଶ୍ମୀ ମିଶ୍ର, ‘ସମାଜ’ର ମୁଦ୍ରାକର ଓ ପ୍ରକାଶକ ଡକ୍ଟର ପ୍ରଭାସ ଆଚାର୍ଯ୍ୟ, ‘ନିର୍ଭୟ’ର ସମ୍ପାଦକ ନବୀନ ଦାସ, ଡକ୍ଟର ସତ୍ୟ ରାୟ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.