କାମାକ୍ଷାନଗର:କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ଫରେଷ୍ଟ ବିଟ୍ର ଗୋଦରବିଲି ଜଙ୍ଗଲ ନିକଟ ଚାଷଜମିରେ ଦୁଇ ହାତୀଙ୍କ ମୃତ୍ୟୁ ଘଟଣା । ଏନେଇ ଡିଏଫଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଦୁଇଜଣ ବନ ବିଭାଗ କର୍ମଚାରୀଙ୍କୁ ନିଲମ୍ବିତ କରିଛନ୍ତି ଡିଏଫଓ । ନିଲମ୍ବିତ ବନ କର୍ମଚାରୀ ହେଲେ ଅଁଳାବେରଣୀ ଫରେଷ୍ଟର ଶୁଭେନ୍ଦୁ ଭୂୟାଁ ଓ କଦଳୀପାଳ ଫରେଷ୍ଟ ଗାର୍ଡ ମନସ୍ମିତା ରାଉଳ।
ଖବରମୁତାବକ, ଶନିବାର ସକାଳେ ପ୍ରାୟ ୫୦୦ ମିଟର ବ୍ୟବଧାନରେ ଦୁଇ ମୃତହାତୀଙ୍କ ଦେହ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖି ବନ ବିଭାଗକୁ ଖବର ଦେଇଥିଲେ। ଗୋଟିଏ ୧୨ ବର୍ଷର ମାଈହାତୀ ଥିବା ବେଳେ ଅନ୍ୟ ଶିଶୁ ମାଈହାତୀର ବୟସ ମାତ୍ର ୫ରୁ ୬ ମାସ ହେବ ବୋଲି ଅନୁମାନ କରାଯାଉଛି। ସୋଲାର୍ ବାଡ଼ରୁ ନିର୍ଗତ ବିଦ୍ୟୁତ୍ ଆଘାତରେ ଉଭୟଙ୍କ ମୃତ୍ୟୁ ହୋଇଥିବା ବନ ବିଭାଗ ସନ୍ଦେହ କରୁଥିବା ବେଳେ ପ୍ରକୃତ କାରଣ ସ୍ପଷ୍ଟ ହୋଇନାହିଁ। ଚାଷୀ ରାଜ ନାଏକ ଓ ତାଙ୍କ ପୁଅ କୁମର ନାଏକଙ୍କ ବିଲ ପାଖରେ ହାତୀଙ୍କ ମୃତ୍ୟୁ ହୋଇଥିବାରୁ ବାପପୁଅଙ୍କୁ ବନ ବିଭାଗ ଅଟକ ରଖିଛି।
ଢେଙ୍କାନାଳ ଡିଏଫ୍ଓ ଲଳିତ କୁମାର ପାତ୍ର, ରେଞ୍ଜର କୈଳାସ ସାହୁ, ସୁଶାନ୍ତ ପାତ୍ରଙ୍କ ସମେତ ବନ ବିଭାଗର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି।
