Latest Odisha News

BREAKING NEWS

ହଂକଂ ଅଗ୍ନିକାଣ୍ଡରେ ୧୨୮ଜଣଙ୍କ ଗଲାଣି ଜୀବନ…ଏଥିପାଇଁ କିଏ ଦାୟୀ?

ନୂଆଦିଲ୍ଲୀ: ହଂକଂର ତାଇପୋ ଜିଲ୍ଲାରେ ଏକ ହାଉସିଂ କମ୍ପ୍ଲେକ୍ସରେ ଅଗ୍ନିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨୮ରେ ପହଞ୍ଚିଛି। ୨୮୦ ରୁ ଅଧିକ ଲୋକ ନିଖୋଜ ଅଛନ୍ତି। ଅଧିକାରୀମାନେ କହିଛନ୍ତି ଯେ ଅନେକ ଲୋକ ଏବେ ବି କୋଠାଘରେ ଫସି ରହିଥିବାରୁ ମୃତକଙ୍କ ସଂଖ୍ୟା ଆହୁରି ବଢ଼ିପାରେ। ମୋଟ ୭୬ ଜଣ ଆହତ ହୋଇଛନ୍ତି, ସେମାନଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଗୁରୁତର ରହିଛି। ସମ୍ପୂର୍ଣ୍ଣ ୩୨ମହଲା ବିଶିଷ୍ଟ ଆପାର୍ଟମେଣ୍ଟ କୋଠାଟି ପାଉଁଶ ହୋଇଯାଇଛି।

ସେଠାରେ ୪ ହଜାରରୁ ଅଧିକ ଲୋକ ବାସ କରୁଥିଲେ, ସେମାନଙ୍କ ମଧ୍ୟରୁ ଅଧିକାଂଶ ୬୫ ବର୍ଷରୁ ଅଧିକ ବୟସ୍କ ବୟସର ରହିଥିଲେ । ଏହାକୁ ଗତ ୭୦ ବର୍ଷ ମଧ୍ୟରେ ସହରର ସବୁଠାରୁ ବଡ଼ ବିପର୍ଯ୍ୟୟ ବୋଲି କୁହାଯାଉଛି।

ଗୁରୁବାର ହଂକଂ ପୋଲିସ “ଘୋର ଅବହେଳା” ସନ୍ଦେହରେ ନବୀକରଣ ପ୍ରକଳ୍ପରେ ସାମିଲ ଥିବା ତିନି ଜଣଙ୍କୁ ଗିରଫ କରିଛି।

ଜଣେ ସରକାରୀ ମୁଖପାତ୍ର କହିଛନ୍ତି ଯେ ଅଗ୍ନିଶମ କର୍ମଚାରୀମାନେ ଲଗାତାର ଦ୍ୱିତୀୟ ଦିନ ପାଇଁ ଉଚ୍ଚ ଆବାସିକ କୋଠାରେ ନିଆଁ ଲିଭା କାମରେ ନିୟୋଜିତ ଅଛନ୍ତି । କୋଠା ଭିତରେ ଏବେ ବି ନିଆଁ ଲାଗିଥିବା ଦେଖିବାକୁ ମିଳୁଛି। କିଛି କୋଠାରେ ଉଦ୍ଧାର କାର୍ଯ୍ୟ ଏବେ ବି ଜାରି ରହିଛି।

ଅଗ୍ନିଶମ ସେବା ବିଭାଗ ମୋଟ ୩୦୪ଟି ଅଗ୍ନିଶମ ଗାଡ଼ି ଏବଂ ଉଦ୍ଧାର ଗାଡ଼ି ପଠାଇଛି , ୫୭ଟି ଆମ୍ବୁଲାନ୍ସ ଏବଂ ପ୍ରାୟ ୮୮୮ ଜଣ ଉଦ୍ଧାରକାରୀ ଦଳର ସଦସ୍ୟଙ୍କୁ ନିୟୋଜିତ କରାଯାଇଛି । ନିଆଁ ଲିଭାଇବାକୁ ଚେଷ୍ଟା କରିବା ସମୟରେ ଆହତ ହୋଇ ୩୭ ବର୍ଷୀୟ ଅଗ୍ନିଶମ କର୍ମଚାରୀ ହୋ ୱାଇ-ହୋଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । ତାପ ସ୍ତର ନିରୀକ୍ଷଣ କରିବା ପାଇଁ ଡ୍ରୋନ୍ ବ୍ୟବହାର କରିଛି।

Comments are closed.