Latest Odisha News

BREAKING NEWS

ଶ୍ରୀମନ୍ଦିର ପରିଚାଳନା ବୈଠକରେ ନିଷ୍ପତ୍ତି; ପ୍ରଥମ ହୁଣ୍ଡି ସ୍ଥାନାନ୍ତର ତାପରେ ଧାଡି ଦର୍ଶନ..

ପୁରୀ: ଶ୍ରୀମନ୍ଦିର ନୂଆ ପରିଚାଳନା କମିଟିର ପ୍ରଥମ ବୈଠକ ଶେଷ । ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା ହେବା ସହିତ କିଛି ବଡ଼ ନିଷ୍ପତ୍ତି ମଧ୍ୟ ନିଆଯାଇଛି । ସେଥିମଧ୍ୟରେ ଶ୍ରୀମନ୍ଦିରରେ ହୁଣ୍ଡି ସ୍ଥାନାନ୍ତର ପରେ ଖୁବଶୀଘ୍ର ଧାଡି ଦର୍ଶନ ଆରମ୍ଭ ହେବ ବୋଲି ନିଷ୍ପତ୍ତି ରହିଛି ।

ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ହୁଣ୍ଡି ସ୍ଥାନାନ୍ତର ହେବ । ସେପ୍ଟେମ୍ବର ୧୫ ସୁଦ୍ଧା ସବୁ ପ୍ରକ୍ରିୟା ସରିବ ବୋଲି ଆଇନ ଓ ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୂଚନା ପ୍ରଦାନ କରିଛନ୍ତି । ସେହିପରି ଧାଡି ଦର୍ଶନ କାରଣରୁ ଯେପରି ନୀତିକାନ୍ତି ପ୍ରଭାବିତ ନହୁଏ ତା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି । ସେନେଇ ପ୍ରଥମେ ପରୀକ୍ଷାମୂଳକ ଭାବେ ଧାଡି ଦର୍ଶନ କରାଯିବ ବୋଲି ବୁଧବାର ବସିଥିବା ଶ୍ରୀମନ୍ଦିର ପରିଚାଳନା ବୈଠକରେ ଏନେଇ ଆଲୋଚନା ହୋଇଛି ।

ନାଟମଣ୍ଡପରେ ଶୀତତାପ ନିୟନ୍ତ୍ରିତ ପାଇଁ ଏଏସଆଇ ତରଫରୁ ଅନୁମତି ମିଳିଛି । ଏହାସହ ଦିବ୍ୟାଙ୍ଗମାନଙ୍କ ପାଇଁ ଉତ୍ତର ଦୁଆରରେ ରାମ୍ପ ବ୍ୟବସ୍ଥା ପାଇଁ ଏକ କମିଟି ଗଠନ ହୋଇଛି ।

ସେହିପରି, ଚଳିତବର୍ଷ ରଥଯାତ୍ରା ସମୟରେ ହୋଇଥିବା ଦଳାଚକଟା ରିପୋର୍ଟ ନେଇ ଆଇନ୍ ମନ୍ତ୍ରୀଙ୍କ କହିଛନ୍ତି, ଆମେ କୌଣସି ରିପୋର୍ଟ ଚାପିବୁ ନାହିଁ । ଖୁବ୍ ଶୀଘ୍ର ଏହି ରିପୋର୍ଟ ପ୍ରକାଶ କରାଯିବ । ଉନ୍ନୟନ କମିସନର ଅନୁଗର୍ଗ ଏନେଇ ରିପୋର୍ଟ ଦାଖଲ କରିଛନ୍ତି । ମୁଖ୍ୟମନ୍ତ୍ରୀ ଖୁବଶୀଘ୍ର ପଦକ୍ଷେପ ନେବେ ।

ଏହାସହ ଇସ୍କନର ଅଦିନିଆ ରଥଯାତ୍ରା ପ୍ରସଙ୍ଗରେ ମଧ୍ୟ ବୈଠକରେ ଆଲୋଚନା ହୋଇଛି । ଦୀଘାରେ ଜଗନ୍ନାଥଧାମ ଲେଖାକୁ ନେଇ ପରିଚାଳନା କମିଟି କ୍ଷୋଭ ପ୍ରକାଶ କରିଛନ୍ତି । ଆସନ୍ତା ୬ ତାରିଖରେ ରଥଯାତ୍ରା ଓ ସ୍ନାନଯାତ୍ରା ନେଇ ଗଜପତି ମହାରାଜାଙ୍କ ଦ୍ୱାରା ପ୍ରେସ ବିଜ୍ଞପ୍ତି ଜାରି କରାଯିବ । କେହି ବି ଜଗନ୍ନାଥଧାମ ଶବ୍ଦର ଅପବ୍ୟବହାର କରିପାରିବେ ନାହିଁ । ସେହିପରି ସଂସଦ ଭବନରେ ରଥଚକ ସ୍ଥାନ ପାଇଁ ପରିଚାଳନା କମିଟି ଅନୁମୋଦନ କରିଛି ।

Comments are closed.