ଭୁବନେଶ୍ୱର : କରୋନା ସଂକ୍ରମଣ ପରୀପ୍ରେକ୍ଷୀରେ ସାରା ଦେଶରେ ମେ ୩ ତାରିଖ ଯାଏଁ ଲକଡାଉନ ଜାରି ରହିଛି । ଏହି ସମୟ ମଧ୍ୟରେ ସମସ୍ତ ପ୍ରକାର ଧାର୍ମିକ ସମାବେଶ ଓ ଜନସମାଗମ ହେଉଥିବା ପର୍ବପର୍ବାଣି ପାଳନ ଉପରେ କଟକଣା ଲାଗୁ କରାଯାଇଛି ।
ଶ୍ରୀଜଗନ୍ନାଥଙ୍କର ଘୋଷଯାତ୍ରା ପାଇଁ ଅକ୍ଷୟ ତୃତୀୟାରୁ ରଥ ନିର୍ମାଣ କାମ ଆରମ୍ଭ ହୋଇଥାଏ । ତେବେ ଚଳିତ ବର୍ଷ ଲକ୍ ଡାଉନ କଟକଣା ଯୋଗୁଁ ଏହା ସମ୍ଭବ ହୋଇପାରିବ ନାହିଁ ବୋଲି ଗଜପତି ମହାରାଜ ଦିବ୍ୟସିଂହଦେବ ସୂଚନା ଦେଇଛନ୍ତି । କିନ୍ତୁ ବିଧି ରକ୍ଷା ପାଇଁ କଣ କରାଯାଇପାରିବ ସେଥି ପାଇଁ ଆଜି ସନ୍ଧ୍ୟାରେ ଗଜପତି ମହାରାଜ ଓ ମନ୍ଦିର ପ୍ରଶାସନ ଓ ସେବାୟତ ପ୍ରତିନିଧିଙ୍କ ପକ୍ଷରୁ ପୁରୀ ଶଙ୍କରାଚାର୍ଯ୍ୟଙ୍କ ମତାମତ ନିଆଯାଉଛି ।
ଲକ୍ଡାଉନ କଟକଣା ଅନୁସାରେ ମନ୍ଦିର ଭିତରେ ନିତୀକାନ୍ତି ସମ୍ପନ୍ନ ହେଉଥିବା ବେଳେ ମନ୍ଦିର ବାହାରେ ହେଉଥିବା କୌଣସି ନୀତି ସମ୍ଭବ ନୁହେଁ ବୋଲି ଗଜପତି କହିଛନ୍ତି । ଏହି ଦୃଷ୍ଟିରୁ ବିଧି ରକ୍ଷା ପାଇଁ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ନେଇ ମଧ୍ୟ ପୁରୀ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀଙ୍କ ପରାମର୍ଶ ଅନୁଯାୟୀ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି ।
ଏ ସମ୍ପର୍କରେ ଆଲୋଚନା ଓ ନିଷ୍ପତ୍ତି ପାଇଁ ଆଜି ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ ହେବା ପରେ ବିଧି ରକ୍ଷା ପାଇଁ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶରେ କାର୍ଯ୍ୟ କରିବା ପାଇଁ ନିଷ୍ପତ୍ତି ହୋଇଥିଲା ।
Comments are closed.