Latest Odisha News

BREAKING NEWS

୪ ହଜାର ପଡ଼ାକୁ ମିଳିବ ଗାଁ ମାନ୍ୟତା, ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ପଡ଼ା ଗାଁ ପାଇବ ରାଜସ୍ବ ଗ୍ରାମର ମାନ୍ୟତା । ରାଜ୍ୟର ପ୍ରାୟ ୪ ହଜାର ପଡ଼ା ଗାଁକୁ ରାଜସ୍ବ ଗାଁର ମାନ୍ୟତା ଦିଆଯିବ । ମୂଳ ଗ୍ରାମରୁ ୫୦୦ ମିଟର ଦୂରରେ ଥିବା ଏବଂ ୨୫୦ରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ପଡା ଗାଁକୁ ମିଳିବ ରାଜସ୍ବ ଗାଁର ମାନ୍ୟତା । ଏ ସମ୍ପର୍କିତ ଗାଇଡଲାଇନକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ମୂଳ ଗାଁଠାରୁ ୫ ଶହ ମିଟରରୁ ଦୂରରେ ନଥିଲେ ବି ପଡ଼ା ଗାଁର ଜନସଂଖ୍ୟା ୩ ଶହରୁ ଅଧିକ ହୋଇଥିଲେ ଏହାକୁ ରାଜସ୍ବ ଗାଁର ମାନ୍ୟତା ଦିଆଯିବ । ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ରାଜସ୍ବ ସଚିବ ବିଷ୍ଣୁପଦ ସେଠୀ ।

ସେହିପରି ୨୫୦ରୁ କମ୍ ଲୋକସଂଖ୍ୟା ଥିବା ପଡ଼ା ଯଦି ପ୍ରାକୃତିକ ଭାବେ ମୂଳ ରାଜସ୍ବ ଗାଁରୁ ବିଚ୍ଛିନ୍ନ ହୋଇଥିବ ତା’ହେଲେ ସମ୍ପକ୍ତ ପଡ଼ାକୁ ମଧ୍ୟ ରାଜସ୍ବ ଗାଁର ମାନ୍ୟତା ମିଳିବ । ତେବେ ନୂଆ ରାଜସ୍ବ ଗାଁ ସୃଷ୍ଟି ବେଳେ ଗୋଚର ଓ ଗୋଷ୍ଠୀଗତ ଜମି ଉପରେ ରହିବ ଉଭୟ ଗାଁର ଅଧିକାର । ଜମି ବନ୍ଦୋବସ୍ତ ଓ ଚକବନ୍ଦୀ କାର୍ଯ୍ୟ ସମୟରେ ଜମି ସଂରକ୍ଷଣ ବାବଦରେ ପୂର୍ବରୁ ସମସ୍ୟା ସୃଷ୍ଟି ହେଉଥିବାରୁ ନୂଆ ରାଜସ୍ବ ଗାଁ ସୃଷ୍ଟି ହେବାରେ ବାଧା ଉପୁଜୁଥିଲା । ଏବେ ରାଜ୍ୟର ପ୍ରାୟ ୪ ହଜାର ପଡ଼ା ଗାଁକୁ ରାଜସ୍ବ ଗାଁର ମାନ୍ୟତା ଦେବାକ ନିଷ୍ପତ୍ତି ନିଆଯାଇଛି ।

Leave A Reply

Your email address will not be published.