Latest Odisha News

BREAKING NEWS

ବଳ ଗୋଟାଉଛି ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ, ଆଜି ବାତ୍ୟାରେ ପରିଣତ ହୋଇପାରେ…

ଭୁବନେଶ୍ୱର: ପୂର୍ବ-କେନ୍ଦ୍ରୀୟ ଏବଂ ଏହାକୁ ଲାଗି ରହିଥିବା ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଏକ ଗଭୀର ଅବପାତ ୨୬ ଅକ୍ଟୋବର ପ୍ରାରମ୍ଭରେ ଏକ ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି। ଏନେଇ ଭାରତୀୟ ପାଣିପାଗ ବିଭାଗ (IMD) ସୂଚନା ଦେଇଛି।

ଏହା ପରେ ୨୭ ଅକ୍ଟୋବର ସକାଳ ସୁଦ୍ଧା ଆହୁରି ଶକ୍ତିଶାଳୀ ହୋଇ ଏକ ‘ଅତିଭୀଷଣ ବାତ୍ୟା’ (severe cyclonic storm) ରେ ପରିଣତ ହୋଇପାରେ।

ଏହି ପାଣିପାଗ ପ୍ରଣାଳୀଟି ଉପକୂଳ ଆଡ଼କୁ ଘଣ୍ଟାପ୍ରତି ୮ କିମି ବେଗରେ ମାଡ଼ି ଆସୁଛି। ପୂର୍ବ-କେନ୍ଦ୍ରୀୟ ଓ ସଂଲଗ୍ନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଥିବା ଗଭୀର ଅବପାତ ବିଜୟପୁରମ୍ ଠାରୁ ୪୫୦ କିମି ଉତ୍ତର-ଉତ୍ତରପଶ୍ଚିମ ଦିଗରେ କେନ୍ଦ୍ରୀଭୂତ ରହିଛି। ସେହିପରି ଆନ୍ଧ୍ରପ୍ରଦେଶର ବିଶାଖାପାଟଣାଠାରୁ ୮୨୦ କିମି ପୂର୍ବ-ଦକ୍ଷିଣପୂର୍ବ, କାକିନଡ଼ାଠାରୁ ୯୧୦ କିମି ପୂର୍ବ-ଦକ୍ଷିଣପୂର୍ବ, ମଛଲିପଟଣମ୍ ଠାରୁ ୧୦୧୦ କିମି ପୂର୍ବ ଓ ବାପତଲାଠାରୁ ୧୦୮୦ କିମି ପୂର୍ବରେ ରହିଛି। ୨୮ ତାରିଖ ସକାଳ ବେଳକୁ ଆନ୍ଧ୍ରର ବାପଟଲା ଓ ବିଶାଖାପାଟଣା ମଝିରେ ଲ୍ୟାଣ୍ଡଫଲ୍ କରିପାରେ।

ଭାରତୀୟ ପାଣିପାଗ ବିଭାଗ ଆନ୍ଧ୍ରପ୍ରଦେଶ ଏବଂ ଏହାକୁ ଲାଗି ରହିଥିବା ଦକ୍ଷିଣ ଓଡ଼ିଶା ଉପକୂଳ ପାଇଁ ଏକ ‘ଅରେଞ୍ଜ ମେସେଜ୍’ ଦେଇ ବାତ୍ୟା ସତର୍କତା ଜାରି କରିଛି। ତେବେ ପୂର୍ବାନୁମାନ ଅନୁଯାୟୀ, ଅଧିକ ଶକ୍ତିଶାଳୀ ହେବା ପରେ ଏହି ପ୍ରଣାଳୀଟି ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ ଏବଂ ୨୮ ଅକ୍ଟୋବର ସକାଳ ସୁଦ୍ଧା ଆନ୍ଧ୍ରପ୍ରଦେଶ ଉପକୂଳ ନିକଟସ୍ଥ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ପହଞ୍ଚିବ।

 

Leave A Reply

Your email address will not be published.