ପୁରୀ: ପୁରୀରେ ସୋମବାର ଦିନ ମାସବ୍ୟାପୀ ‘ମହା କାର୍ତ୍ତିକ ବ୍ରତ’ ଆରମ୍ଭ ହୋଇଛି। ଏହି ଅବସରରେ ବ୍ରତ ପାଳନ କରିବା ପାଇଁ ପ୍ରାୟ ୨,୫୦୦ ହବିଷ୍ୟାଳୀ ତିନୋଟି ନିର୍ଦ୍ଦିଷ୍ଟ କେନ୍ଦ୍ରରେ ଏକତ୍ରିତ ହୋଇଛନ୍ତି।
ଧର୍ମର ମାସ କାର୍ତ୍ତିକ ମାସ ଅବସରରେ ଏହି ହବିଷ୍ୟାଳୀମାନେ ସକାଳୁ ସକାଳୁ ପବିତ୍ର ମନ୍ଦିର ପୁଷ୍କରିଣୀରେ ସ୍ନାନ କରିବା ସହ ‘ସଂକଳ୍ପ’ ଗ୍ରହଣ କରି ନିଜର ବ୍ରତ ପାଳନ ଆରମ୍ଭ କରିଛନ୍ତି। ସୂଚନା ଅନୁଯାୟୀ, ହବିଷ୍ୟାଳୀମାନେ କାର୍ତ୍ତିକ ମାସ ସାରା ନିଜର ଆଧ୍ୟାତ୍ମିକ ସାଧନା ଓ ନିୟମ ପାଳନ ଜାରି ରଖିବେ।
ଦୈନନ୍ଦିନ ନୀତିକାନ୍ତିର ଅଂଶ ସ୍ୱରୂପ ସେମାନେ ପବିତ୍ର ତୁଳସୀ ଚଉରା ମୂଳରେ ‘ରାଇ-ଦାମୋଦର’ଙ୍କୁ ପୂଜା କରିବେ ଏବଂ ବିଭିନ୍ନ ଭକ୍ତିମୂଳକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ।
ଅପରପକ୍ଷରେ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ୩ଟି ଯାକ ହବିଷ୍ୟାଳୀ କେନ୍ଦ୍ରରେ ଏହି ବ୍ରତ ପାଳନ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି। ଏହି ମାସ ସାରା ଉକ୍ତ କେନ୍ଦ୍ର ଗୁଡ଼ିକରେ ପ୍ରତିଦିନ ଭଜନ, କୀର୍ତ୍ତନ ଏବଂ ଅନ୍ୟାନ୍ୟ ଧାର୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି।
ପବିତ୍ର କାର୍ତ୍ତିକ ମାସରେ ‘ହବିଷ୍ୟାଳୀ’ ପରମ୍ପରାର ବିଶେଷ ମହତ୍ତ୍ୱ ରହିଛି। ଏହି ସମୟରେ ବ୍ରତଧାରୀମାନେ ନିର୍ଦ୍ଦିଷ୍ଟ ଖାଦ୍ୟ ନିୟମ ପାଳନ କରିବା ସହ ପୂଜାପାଠ ଏବଂ ଅନ୍ୟାନ୍ୟ ଭକ୍ତିମୂଳକ କାର୍ଯ୍ୟରେ ନିଜକୁ ନିୟୋଜିତ କରିଥାନ୍ତି।

