Latest Odisha News

BREAKING NEWS

ଅକ୍ଟୋବର ୩ରେ ଗୋପାଳପୁର ଓ ପାରାଦୀପ ଦେଇ ଗତି କରିବ ଗଭୀର ଅବପାତ 

ଭୁବନେଶ୍ବର: ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗର ଆଡୁ ଏକ ଲଘୁଚାପ ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରି ଡିପ୍ରେସନରେ ପରିଣତ ହେଉଥିବା ନେଇ ଭାରତୀୟ ପାଣିପାଗ ବିଭାଗ ବୁଧବାର ସନ୍ଧ୍ୟାରେ ସୂଚନା ଦେଇଛି। ଏହା ଦିନ ୧୧.୩୦ସମୟରେ ବିଶାଖାପାଟଣା (ଆନ୍ଧ୍ରପ୍ରଦେଶ) ରୁ ପ୍ରାୟ ୪୦୦ କିଲୋମିଟର ପୂର୍ବ-ଦକ୍ଷିଣପୂର୍ବ ଅର୍ଥାତ୍ ଗୋପାଳପୁର (ଓଡ଼ିଶା) ରୁ ୪୨୦କିଲୋମିଟର ଦକ୍ଷିଣ-ଦକ୍ଷିଣପୂର୍ବ ଓ ପୁରୀ (ଓଡ଼ିଶା) ରୁ ୪୫୦ କିଲୋମିଟର ଦକ୍ଷିଣ ଏବଂ ପାରାଦୀପ (ଓଡ଼ିଶା) ରୁ ୫୦୦ କିଲୋମିଟର ଦକ୍ଷିଣରେ ଥିଲା। ପରେ ଏହା ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରି ଗଭୀର ଡିପ୍ରେସନରେ ପରିଣତ ହେବାର ସମ୍ଭାବନା ରହିଛି।

ଏଥିସହିତ ଏହା ଅକ୍ଟୋବର ୩ ତାରିଖ ସକାଳୁ ଗୋପାଳପୁର ଏବଂ ପାରାଦୀପ ମଧ୍ୟରେ ଓଡ଼ିଶା ଏବଂ ସଂଲଗ୍ନ ଆନ୍ଧ୍ର ପ୍ରଦେଶ ଉପକୂଳ ଅତିକ୍ରମ କରିପାରେ। ଏହାର ପ୍ରଭାବରେ, ଅକ୍ଟୋବର ୧ ତାରିଖରେ କୋରାପୁଟ, ମାଲକାନଗିରି, ପୁରୀ, ଗଞ୍ଜାମ, ଗଜପତି, ରାୟଗଡା, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର, ନୟାଗଡ, ଖୋର୍ଦ୍ଧା ଏବଂ କଟକର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଝଡ଼ବର୍ଷା ସହ ବଜ୍ରପାତ ଓ ୪୦-୫୦ କିଲୋମିଟର ବେଗରେ ପ୍ରତି ଘଣ୍ଟା ବେଗରେ ପବନ ବହିବା ନେଇ ଆଶଙ୍କା କରାଯାଉଛି। ତେବେ ଏହି ସମସ୍ତ ଜିଲ୍ଲା ଗୁଡ଼ିକୁ ୟେଲୋ ୱାର୍ଣିଂ ଜାରି କରାଯାଇଛି।

ଏଥିସହିତ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, ଢେଙ୍କାନାଳ, କେନ୍ଦୁଝର, ଅନୁଗୁଳ, ବୌଦ୍ଧ, ଦେବଗଡ଼, ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ନୂଆପଡ଼ା, ବଲାଙ୍ଗୀର ଏବଂ ସୋନପୁର ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସହ ୩୦-୪୦ କିମି ବେଗରେ ପବନ ଓ ଘଡଘଡି ସହ ବଜ୍ରପାତ ହେବାର ସୂଚନା ମିଳିଛି।

ତେବେ ଅକ୍ଟୋବର ୧ ତାରିଖରେ କେନ୍ଦ୍ରୀୟ ଏବଂ ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ଘଣ୍ଟାପ୍ରତି ୪୦-୫୦ ରୁ ୬୦ କିଲୋମିଟର ବେଗରେ ପବନ ବହିବ ଓ ଏହା ଧୀରେ ଧୀରେ ବୃଦ୍ଧି ପାଇ ଅକ୍ଟୋବର ୨ ମଧ୍ୟାହ୍ନରୁ ଅକ୍ଟୋବର ୩ ସକାଳ ପର୍ଯ୍ୟନ୍ତ ପଶ୍ଚିମକେନ୍ଦ୍ର ଏବଂ ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଘଣ୍ଟାପ୍ରତି ୫୫-୬୫ ରୁ ୭୫ କିଲୋମିଟର ବେଗରେ ବହିବା ନେଇ ସୂଚନା ମିଳିଛି। ଏହାର ପ୍ରଭାବରେ ଅକ୍ଟୋବର ୩ ତାରିଖରେ ଓଡ଼ିଶା ର କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହିତ ଝଡ଼ବର୍ଷା ଏବଂ ଘଣ୍ଟାପ୍ରତି ୪୦-୫୦ କିଲୋମିଟର ବେଗରେ ପବନ ବହିବା ନେଇ ପାଣିପାଗ ବିଭାଗ ତରଫରୁ କୁହାଯାଇଛି। ଏଥିସହିତ ୪-୫ ତାରିଖରେ ମଧ୍ୟ ଓଡ଼ିଶାର ଅଧିକାଂଶ ସ୍ଥାନରେ ବଜ୍ରପାତ ସହ ୩୦-୪୦ କିଲୋମିଟର ବେଗରେ ପବନ ବହି ବର୍ଷା ହେବାର ସମ୍ଭାବନା ଥିବା ନେଇ ଆକଳନ କରାଯାଇଛି।

 

Comments are closed.