Latest Odisha News

BREAKING NEWS

ଆହୁରି ଶକ୍ତିଶାଳୀ ହେବ ବାୟୁସେନା: କିଣା ହେବ ୯୭ ତେଜସ ଓ ୧୫୬ ପ୍ରଚଣ୍ଡ, ଡିଏସିର ଅନୁମୋଦନ

ନୂଆଦିଲ୍ଲୀ: ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ (ଡିଏସି) ଆଜି ଏକ ବଡ଼ ନିଷ୍ପତ୍ତି ନେଇଛି । ଭାରତୀୟ ବାୟୁସେନା ପାଇଁ ୯୭ ଟି ଲଢୁଆ ବିମାନ ‘ତେଜସ’ ଓ ୧୫୬ ଟି ‘ପ୍ରଚଣ୍ଡ’ ଆଟାକ୍ ହେଲିକପ୍ଟର କିଣିବା ପ୍ରସ୍ତାବକୁ ଅନୁମୋଦନ କରିଛି । ଉଭୟର ମୂଲ୍ୟ ହେଉଛି ୧ ଲକ୍ଷ ୧୦ ହଜାର କୋଟି । ଉଭୟ ସ୍ୱଦେଶୀ ଲଢୁଆ ବିମାନ । ତେଜସ୍ ମାର୍କ ୧-ଏ ଲଢୁଆ ବିମାନ କୁ ଭାରତୀୟ ବାୟୁସେନା ପାଇଁ ଏବଂ ହେଲିକପ୍ଟର ଗୁଡିକୁ ବାୟୁସେନା ଏବଂ ସ୍ଥଳ ସେନା ପାଇଁ ଏହାକୁ କିଣାଯାଉଛି । ଏହାସହିତ ଅନ୍ୟାନ୍ୟ ଯୁଦ୍ଧ ସରଞ୍ଜାମକୁ ପରିଷଦ ପକ୍ଷରୁ ମଞ୍ଜୁରୀ ଦିଆଯାଇଛି ଯାହାର ମିଶାଇ ମୋଟ ଆନୁମାନିକ ମୂଲ୍ୟ ପ୍ରାୟ ୨ ଲକ୍ଷ କୋଟି ଟଙ୍କା ହେବ ।

‘ତେଜସ’ ଭାରତୀୟ ବାୟୁସେନାରେ ସାମିଲ ହୋଇଥିବା ଏକକ ଇଞ୍ଜିନ ବିଶିଷ୍ଟ ହାଲୁକା ଅତ୍ୟାଧୁନିକ ଲଢୁଆ ବିମାନ । ଉଭୟ ‘ତେଜସ’ ଓ ‘ପ୍ରଚଣ୍ଡ’କୁ ହିନ୍ଦୁସ୍ଥାନ ଏରୋନେଟିକ୍ସ ଲିମିଟେଡ (ଏଚଏଏଲ) ଦ୍ବାରା ନିର୍ମାଣ କରାଯିବ । ଗତ ବର୍ଷ ପ୍ରଚଣ୍ଡ ହେଲିକପ୍ଟରକୁ ପ୍ରଥମ ବ୍ୟାଚ୍ ବାୟୁସେନା ଏବଂ ସ୍ଥଳ ସେନାରେ ଭର୍ତ୍ତି କରାଯାଇଥିଲା । ଏଚଏଏଲ ଦ୍ବାରା ବିକଶିତ ୫.୮ ଟନ୍ ଓଜନ ବିଶିଷ୍ଟ ଏହି ଟ୍ୱିନ୍-ଇଞ୍ଜିନ ହେଲିକପ୍ଟର ପ୍ରାୟ ୨୧ ହଜାର ଫୁଟ୍ ଉଚ୍ଚରେ ଉଡାଣ ଭରିପାରିବ ଓ ଟାର୍ଗେଟକୁ ଲକ୍ଷ୍ୟଭେଦ କରିପାରିବ । ଏହା ମୁଖ୍ୟତଃ ଅରୁଣାଚଳପ୍ରଦେଶର ଉଚ୍ଚ ଅଞ୍ଚଳ ସମେତ ସିଆଚିନ୍, ଲଦାଖ ଏବଂ ଅନ୍ୟାନ୍ୟ ଉଚ୍ଚ ଅଞ୍ଚଳରେ ନିୟୋଜନ ପାଇଁ ଡିଜାଇନ୍ କରାଯାଇଛି ।

ସେହିପରି ଭାରତୀୟ ବାୟୁସେନାର ତେଜସ ବିମାନର ସଂଖ୍ୟା ବଢାଇବା ସହ କାର୍ଯ୍ୟକ୍ଷମ ଥିବା ସୁଖୋଇ-୩୦ ଏମକେଆଇକୁ ମଧ୍ୟ ଅପଗ୍ରେଡ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଭାରତୀୟ ବାୟୁସେନାରେ ବର୍ତ୍ତମାନ ୨୬୦ ରୁ ଅଧିକ ସୁଖୋଇ-୩୦ ବିମାନ ଅଛି ଏବଂ ଏଗୁଡିକ ଭାରତରେ ଅପଗ୍ରେଡ କରାଯିବ । ଏଥିରେ ଭାରତରେ ବିକଶିତ ହୋଇଥିବା ସ୍ବେଦଶୀ ରାଡାର, ଆଭିଏନିକ୍ସ ଏବଂ ସବ୍ ସିଷ୍ଟମ୍ କ୍ଷମତା ମାନ ବିକଶିତ ହେବ ।

Comments are closed.