ନୂଆଦିଲ୍ଲୀ: ଦିନକୁ ଦିନ ଚୀନ ସହ ବଢ଼ୁଛି ଭାତରର ତିକ୍ତତା । ଏହାରି ଭିତରେ ପ୍ରତିରକ୍ଷା କ୍ଷେତ୍ରକୁ ଅଧିକ ସଶକ୍ତ କରିବା ପାଇଁ ଯୋଜନା ଆରମ୍ଭ କରିଛନ୍ତି ଭାତର ସରକାର । ପ୍ରତିରକ୍ଷା ମନ୍ତ୍ରଣାଳୟ ରୁଷରୁ ୩୩ ଲଢୁଆ ବିମାନ କିଣିବାକୁ ଘୋଷଣା କରିଛି। ଏଥିପାଇଁ ମୋଟ୍ ୧୮ ହଜାର ୧୪୮ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ବିଶେଷ କରି ଚାଇନାର ଲଢ଼ୁଆ ବିମାନ ଗୁଡ଼ିକକୁ ଉଚିତ ଜବାବ ଦେବା ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟ ବାୟୁସେନା ପାଇଁ ଅଧିକ ପରିମାଣର ଯୁଦ୍ଧ ବିମାନ କିଣିବାକୁ ନିଷ୍ପତ୍ତି ନେଇଛି।
ଭାରତ ରୁଷ ଠାରୁ ୨୧ଟି ମିଗ୍-୨୯ ଓ ୧୨ଟି ସୁଖୋଇ ୩୦ ଏମକେଆଇ ଯୁଦ୍ଧ ବିମାନ କିଣିବା ଏନେଇ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଏହି ପ୍ରସ୍ତାବ ଉପରେ ମୋହର ବାଜିଛି । ବର୍ତ୍ତମାନ ବାୟୁସେନା ପାଖରେ ଥିବା ମିଗ୍-୨୯ ଯୁଦ୍ଧ ବିମାନକୁ ମଧ୍ୟ ଅପଗ୍ରେଡ କରିବାକୁ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି। ଏହି ପୂରା ପ୍ରୋଜେକ୍ଟ ପାଇଁ ୧୮,୧୪୮ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି।
ପ୍ରତିରକ୍ଷା ମନ୍ତ୍ରଣାଳୟ ଅତିରିକ୍ତ ୨୪୮ ଏୟାର ମିଜାଇଲ୍ କିଣାକୁ ମଧ୍ୟ ମଞ୍ଜୁରୀ ଦେଇଛି। ଏହା ଭାରତୀୟ ବାୟୁସେନା ଓ ନୌସେନାକୁ ଆହୁରି ସଶକ୍ତ କରିବ। ଏଥିସହ ଡିଆରଡିଓ ଦ୍ଵାରା ନିର୍ମିତ ଏକ ହଜାର କିଲୋମିଟର ବିଶିଷ୍ଟ କ୍ରୁଜ୍ ମିଜାଇଲ୍ର ଡିଜାଇନକୁ ମଧ୍ୟ ମନ୍ତ୍ରଣାଳୟ ମଞ୍ଜୁରୀ ଦେଇଛି। ମୋଟ ଉପରେ ୩୮,୯୦୦ କୋଟି ଟଙ୍କା ଅସ୍ତ୍ରଶସ୍ତ୍ର କିଣିବାକୁ ମନ୍ତ୍ରଣାଳୟ ଅନୁମୋଦନ ଦେଇଛି।
ଚୀନ ସହ ବିବାଦ ମଧ୍ୟରେ ଜୁଲାଇ ୨୭ରେ ପ୍ରଥମ ଦଫାରେ ୬ ରାଫେଲ ବିମାନ ଭାରତ ପହଞ୍ଚିବ। ଦୁନିଆର ସବୁଠୁ ଘାତକ ମିଜାଇଲ ଓ ସେମି ଷ୍ଟିଲ୍ଥ ଜ୍ଞାନ କୌଶଳରେ ନିର୍ମିତ ଏହି ବିମାନ ଭାରତୀୟ ବାୟୁସେନାରେ ସାମିଲ ହେଲେ ଦେଶର ସାମରିକ ଶକ୍ତି ଅନେକ ଗୁଣା ବଢିଯିବ।
Comments are closed.