Latest Odisha News

Delhi Blasts: ଦିଲ୍ଲୀ ବିସ୍ଫୋରଣ: ବଢ଼ିଚାଲିଛି ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: ଦିଲ୍ଲୀରେ ଭୟଙ୍କର କାର୍ ବିସ୍ଫୋରଣ ସାରା ଦେଶକୁ ଦୋହଲାଇ ଦେଇଛି। ଦିଲ୍ଲୀ ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ୧୦କୁ ବୃଦ୍ଧି ପାଇଛି । ଘଟଣାରେ ୨୮ ଜଣ ଆହତ ହୋଇଛନ୍ତି । ଧାରା ୧୬, ୧୮, ୟୁଏପିଏ ଆକ୍ଟ ତଥା ଆତଙ୍କବାଦୀ ବିରୋଧୀ ମାମଲା ରୁଜୁ କଲା ଦିଲ୍ଲୀ ପୋଲିସ । କୋଟୱାଲି ପୋଲିସ ଷ୍ଟେସନରେ ରୁଜୁ ହେଲା ମାମଲା । ଏନଆଇଏକୁ ମାମଲାର ତଦନ୍ତ ଭାର ଦିଆଯାଇଛି । ଲାଲକିଲ୍ଲା ମେଟ୍ରୋ ଷ୍ଟେସନ୍‌ ଗେଟ୍‌ ନମ୍ୱର-୧ ନିକଟରେ ଏହି ବିସ୍ଫୋରଣ ଘଟିଛି ।

ସୂଚନା ଅନୁସାରେ, ସନ୍ଧ୍ୟା ୬ଟା ୫୨ ନିକଟରେ ହରିୟାଣା ନମ୍ୱର ପ୍ଲେଟ୍ ବିଶିଷ୍ଟ ଏକ ଧଳା ରଙ୍ଗର ଆଇ-ଟ୍ୱେଣ୍ଟି କାର୍ ଧୀରେ ଧୀରେ ଆସି ରେଡ୍ ଲାଇଟ୍ ନିକଟରେ ଅଟକିଥିଲା । ଏହାପରେ ସେଥିରେ ବଡ଼ ଧରଣର ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ, ଆଖପାଖରେ ଥିବା ବହୁ ଯାନବାହନ କ୍ଷତିଗ୍ରସ୍ତ ହୋଇଛି । ବହୁ ଦୂର ଯାଏଁ ଏହାର ଶବ୍ଦ ଶୁଣାଯିବା ସହ ମେଟ୍ରୋ ଷ୍ଟେସନ ମଧ୍ୟ ଥରି ଉଠିଥିଲା ।

ଏହାପରେ ସାମ୍ନାକୁ ଆସିଥିଲା ଘଟଣାସ୍ଥଳର ଛାତିଥରା ଚିତ୍ର । ଖଣ୍ଡବିଖଣ୍ଡିତ ମୃତଦେହ ଗୁଡ଼ିକ ଏଣେ ତେଣେ ବିଛାଡ଼ି ହୋଇପଡ଼ିଥିବା ଦେଖିବାକୁ ମିଳିଥିଲା । ବହୁ ମୃତକଙ୍କ ପରିଚୟ ମଧ୍ୟ ମିଳିପାରୁନାହିଁ । ଦିଲ୍ଲୀ ପୋଲିସର କ୍ରାଇମବ୍ରାଞ୍ଚ୍, ସ୍ପେଶାଲ୍ ସେଲ୍, ଏନ୍‌ଆଇଏ, ଏନ୍‌ଏସ୍‌ଜି ଏବଂ ଫରେନ୍‌ସିକ ଟିମ୍‌ ଘଟଣାର ତଦନ୍ତ କରୁଛନ୍ତି। ଆକ୍ରମଣ ପଛରେ ଆତଙ୍କବାଦୀଙ୍କ ହାତ ଥିବା ନେଇ ସନ୍ଦେହ ପ୍ରକାଶ କରିଛନ୍ତି ପ୍ରତିରକ୍ଷା ବିଶେଷଜ୍ଞ ଅନୀଲ ଗୌର ।

Comments are closed.