ନୂଆଦିଲ୍ଲୀ: ଆଇପିଏଲ ୨୦୨୬ ପାଇଁ ସମସ୍ତ ପ୍ରସ୍ତୁତି ଶେଷ । ଏବେ ସମସ୍ତ ଫ୍ରାଂଚାଇଜର ମୁକାବିଲା ପାଇଁ ପ୍ରସ୍ତୁତ । ଇତି ମଧ୍ୟରେ ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ଅକ୍ଷର ପଟେଲଙ୍କ ଏକ ବୟାନ ଏବେ ଚର୍ଚ୍ଚାର କାରଣ ସାଜିଛି । ସେ ଇମ୍ପାକ୍ଟ ପ୍ଲେୟାର ନିୟମକୁ ନାପସନ୍ଦ କରିଛନ୍ତି । ଆରମ୍ଭରୁ ଏହି ନିୟମକୁ ଅନେକ ଖେଳାଳି ଓ ସମୀକ୍ଷକ ପସନ୍ଦ କରି ନାହାନ୍ତି । ୨୦୨୩ରେ ଏହାକୁ ଲାଗୁ କରାଯାଇଥିଲା । ଆବଶ୍ୟକ ମୁତାବକ ଜଣେ ଖେଳାଳିଙ୍କ ମଧ୍ୟରେ ଅନ୍ୟ ଜଣଙ୍କୁ ଇମ୍ପାକ୍ଟ ପ୍ଲେୟାର ଭାବେ ସାମିଲ କରାଯାଇ ପାରିବ ।
ଅକ୍ଷର କହିଛନ୍ତି ମୋତେ ଯଦି ସତ କହିବାକୁ କୁହାଯାଏ ତେବେ ଏହି ନିୟମକୁ ମୁଁ ପସନ୍ଦ କରେନି । ପୂର୍ବରୁ ଟିମ ସନ୍ତୁଳନ ପାଇଁ ଅଲରାଉଣ୍ଡର ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା । ଏବେ ଏହାର ପ୍ରାଧାନ୍ୟ କମି ଯାଇଛି । ମୁଁ ଜଣେ ଅଲରାଉଣ୍ଡର ହୋଇଥିବାରୁ ଏହି ନିୟମକୁ ପସନ୍ଦ କରୁନି । ଅକ୍ଷରଙ୍କ ପୂର୍ବରୁ ବିରାଟ କୋହଲି ଓ ରୋହିତ ଶର୍ମା ମଧ୍ୟ ଇମ୍ପାକ୍ଟ ପ୍ଲେୟାର ନିୟମକୁ ନାପସନ୍ଦ କରିଥିଲେ । ଏହା ଖେଳର ସନ୍ତୁଳନ ବିଗାଡି ଦେଉଛି ବୋଲି କୋହଲି କହିଥିଲେ । ଏହି ନିୟମ ଯୋଗୁ ବ୍ୟାଟ୍ସମ୍ୟାନ ନିର୍ଭୟରେ ଖେଳୁଛି । ୮ ପର୍ଯ୍ୟନ୍ତ ଏହାର ବିକଳ୍ପ ରହିଛି । ୱାଶିଂଟନ ସୁନ୍ଦର ଓ ଶିବମ ଦୁବେଙ୍କ ପରି ଅଲରାଉଣ୍ଡର ବୋଲିଂ କରିବାକୁ କମ ସୁଯୋଗ ମିଳୁଛି । ଏହା ଭାରତୀୟ କ୍ରିକେଟ ପାଇଁ ଠିକ ନୁହେଁ ବୋଲି ରୋହିତ କହିଛନ୍ତି ।