ନୂଆଦିଲ୍ଲୀ: ୧୫ବର୍ଷ ଧରି ଦିଲ୍ଲୀରେ ଶାସନରେ ରହିଥିଲା କଂଗ୍ରେସ । ୨୦୧୩ରେ ଆପର ଅଭ୍ୟୁଦୟ କଂଗ୍ରେସ ଭାଗ୍ୟରେ ଲଗାଇଥିଲା ଗ୍ରହଣ। ମାତ୍ର ୮ଟି ସିଟ୍ ଜିତିବାରେ ସକ୍ଷମ ହୋଇଥିଲା ଦଳ । ଏହା ପରର ସ୍ଥିତି ଆହୁରି ସଂଗୀନ ହୋଇଥିଲା । ୨୦୧୫ ଓ ୨୦୨୦ରେ ଗୋଟିଏ ବି ସିଟରେ ବିଜୟୀ ହୋଇପାରିଲାନି କଂଗ୍ରେସ । ଜାତୀୟସ୍ତରରେ ଆପ୍ ଓ କଂଗ୍ରେସ ଇଣ୍ଡିଆ ମେଣ୍ଟର ସହଯୋଗୀ । ଏପରିକି ଗତ ଲୋକସଭା ନିର୍ବାଚନ ବି ଦୁଇ ଦଳ ଏକାଠି ଲଢିଥିଲେ । ହେଲେ ବିଧାନସଭା ନିର୍ବାଚନରେ ଅଲଗା ଅଲଗା ଲଢୁଛନ୍ତି ଆପ୍ ଓ କଂଗ୍ରେସ ।…
ଦିନେ ସହଯୋଗୀ ଏବେ ବିରୋଧୀ
ଦିନେ ପରସ୍ପରର ସହଯୋଗୀ ଥିଲେ ଆମ ଆଦମୀ ପାର୍ଟି ଓ କଂଗ୍ରେସ । ଦିଲ୍ଲୀ ବିଧାନସଭା ନିର୍ବାଚନରେ ଉଭୟ ଦଳ ପରସ୍ପର ବିରୋଧରେ ଲଢୁଛନ୍ତି । ଗତ ଦୁଇଟି ଟର୍ମରେ ଆପ ସରକାରର ବିଫଳତାକୁ ମୁଖ୍ୟ ଅସ୍ତ୍ର କରିଛି କଂଗ୍ରେସ । ଦଳର ନେତା ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ସିଧାସଳଖ ଆଟାକ୍ କରୁଛନ୍ତି । ଏପରିକି କିଛି ଦିନ ତଳେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଦିଲ୍ଲୀ ସିଲମପୁରରେ ନିଜ ପ୍ରଥମ ନିର୍ବାଚନୀ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅରବିନ୍ଦ କେଜ୍ରିଓ୍ବାଲଙ୍କ ସିଧାସଳଖ ଟାର୍ଗେଟ୍ କରିଥିଲେ । ସେପଟେ କଂଗ୍ରେସ ଓ ବିଜେପି ମଧ୍ୟରେ ଗୋପନ ବୁଝାମଣା ରହିଥିବା ଅଭିଯୋଗ କରିଛି ଆପ୍ ।
କ୍ଷମତାରେ ଥିଲେ, ଏବେ ଅସ୍ତିତ୍ବ ଲଢେଇ
ଶିଲା ଦୀକ୍ଷିତଙ୍କ ନେତୃତ୍ବରେ ଦିଲ୍ଲୀରେ ୧୫ବର୍ଷ ଧରି କ୍ଷମତାରେ ରହିଥିଲା କଂଗ୍ରେସ । ସେ ସମୟକୁ ଦିଲ୍ଲୀର ଅନେକ ଭୋଟର ଏବେବି ଭିତ୍ତିଭୂମି ବିକାଶ ଓ ସ୍ଥିରତାର ସମୟ ଭାବେ ମନେ ରଖିଥିବା କଂଗ୍ରେସ କହୁଛି । ତେବେ ଗତ ଦୁଇଟି ନିର୍ବାଚନରେ ଶୂନ ସ୍କୋର କରିଥିବା କଂଗ୍ରେସର ଏଥର ନିର୍ବାଚନରେ ହରାଇବାକୁ କିଛି ନାହିଁ, ବରଂ ଦଳ କିଛି ସିଟ୍ ଜିତିପାରେ । ଆପ୍ ବିରୋଧରେ ଶାସନ ବିରୋଧୀ ଲହରରୁ ଫାଇଦା ନେବାକୁ ରଣନୀତି କରୁଛି କଂଗ୍ରେସ । ସେହିପରି ଆପ୍ ଓ ବିଜେପିଠାରୁ ବିମୁଖ ହୋଇଥିବା ଭୋଟର କଂଗ୍ରେସକୁ ବିକଳ୍ପ ଭାବେ ଭାବିପାରନ୍ତି । ଏପରିକି ଆଗାମୀ ନିର୍ବାଚନରେ ସଂଖ୍ୟାଲଘୁ ଭୋଟର ବି ଆପ୍ ବଦଳରେ କଂଗ୍ରେସକୁ ବାଛିପାରନ୍ତି ।
ନେତୃତ୍ବ ସଂକଟ ଖସୁଛି ଭୋଟ୍ ପ୍ରତିଶତ
ଶିଲା ଦୀକ୍ଷିତଙ୍କ ସମୟ ପରି ଏବେ ଦିଲ୍ଲୀ କଂଗ୍ରେସ ପାଖରେ ସେଭଳି ଚେହେରା ନାହାନ୍ତି । ଖାଲି ସେତିକି ନୁହେଁ ଦିଲ୍ଲୀରେ କଂଗ୍ରେସର ଦୁର୍ବଳ ସଂଗଠନ ରହିଛି । ଦଳର ଅନେକ ନେତା ବିଜେପି ଓ ଆପକୁ ଯିବା ପରେ ଗତ କିଛି ବର୍ଷ ମଧ୍ୟରେ କଂଗ୍ରେସ ତୃଣମୂଳସ୍ତରରେ ଦୁର୍ବଳ ହୋଇଛି । ଦିଲ୍ଲୀରେ ଆପର ଅଭିବୃଦ୍ଧି ସହ କଂଗ୍ରେସ ଭୋଟ ସେୟାର ଖସିଛି । ୨୦୦୮ରେ ୪୩ଟି ସିଟ୍ ଜିତିଥିବା କଂଗ୍ରେସ ୨୦୧୩ରେ ମାତ୍ର ୮ଟି ସିଟ୍ ଜିତିପାରିଥିଲା । ୨୦୦୮ରେ ଦଳର ଭୋଟ୍ ସେୟାର ୪୦.୩୧ ପ୍ରତିଶତରୁ ଖସି ୨୦୧୩ରେ ୨୪.୫୫ରେ ପହଞ୍ଚିଥିଲା । ୨୦୧୫ରେ ଭୋଟ୍ ଆହୁରି ଖସି ୯.୭ପ୍ରତିଶତ ହୋଇଥିବା ବେଳେ ୨୦୨୦ରେ ଏହା ୪.୨୬ ପ୍ରତିଶତ ହୋଇଥିଲା । କଂଗ୍ରେସର ସଂଖ୍ୟାଲଘୁ ଓ ନିମ୍ନ ରୋଜଗାରକ୍ଷମ ଗୋଷ୍ଠୀ ଭୋଟବ୍ୟାଙ୍କ ଆପ ଖାତାକୁ ଯାଇଥିଲା ।
କଂଗ୍ରେସର ନାହିଁ ସ୍ପଷ୍ଟ ନାରେଟିଭ୍
ଆଗାମୀ ନିର୍ବାଚନ ପାଇଁ କଂଗ୍ରେସ ପାଖରେ ସ୍ପଷ୍ଟ ନାରେଟିଭ ନାହିଁ । ଆପର ଦିଲ୍ଲୀ ମଡେଲ୍ ଓ ମାଗଣା ବିଜୁଳି, ପାଣି ଭଳି ଜନକଲ୍ୟାଣକାରୀ ଯୋଜନା ଆଗରେ ଫିକା ପଡିଛି କଂଗ୍ରେସର ପୂର୍ବ ଉପଲବ୍ଧି । ଦିଲ୍ଲୀରେ କ୍ଷମତାକୁ ଆସିଲେ ମହିଳାଙ୍କୁ ମାସିକ ୨୫୦୦ ଟଙ୍କା ଓ ୨୫ଲକ୍ଷ ଟଙ୍କାର ସ୍ବାସ୍ଥ୍ୟ ବୀମା ନେଇ ପ୍ରତିଶ୍ରୁତି ଦେଇଛି କଂଗ୍ରେସ । ନିକଟରେ ହରିୟାଣା ଓ ମହାରାଷ୍ଟ୍ର ନିର୍ବାଚନରେ ପରାଜୟ କଂଗ୍ରେସକୁ ଝଟକା ଦେଇଛି । ୧୯୯୮ରୁ ୨୦୧୩ ପର୍ଯ୍ୟନ୍ତ ୧୫ବର୍ଷ ଧରି ଦିଲ୍ଲୀ ଗାଦିରେ ବସିଥିବା କଂଗ୍ରେସ ଏଥର ନିର୍ବାଚନରେ ନିଜ ଅସ୍ତିତ୍ବ ବଞ୍ଚାଇ ରଖିବାକୁ ସଂଘର୍ଷ କରୁଛି । ଦିଲ୍ଲୀ ମୁକାବିଲାରେ ଏଥର କଂଗ୍ରେସ ନିଜ ଦମ୍ ଦେଖାଇବାକୁ ଉଦ୍ୟମ କରୁଥିଲେ ବି ରଣନୀତି ଓ ପ୍ରଚାରରେ ପ୍ରତିଦ୍ବନ୍ଦ୍ବୀ ଆପ୍ ଓ ବିଜେପି ତୁଳନାରେ ପଛରେ ପଡିଛି ।