Latest Odisha News

BREAKING NEWS

ଦିଲ୍ଲୀ ହିଟ୍ ଆଣ୍ଡ ରନ୍ ମାମଲାରେ ସିବିଆଇ ତଦନ୍ତ ଦାବି କଲେ ଡିସିଡବ୍ଲ୍ୟୁ ମୁଖ୍ୟ ସ୍ୱାତୀ ମାଲିୱାଲ

ନୂଆଦିଲ୍ଲୀ : ଦିଲ୍ଲୀ ହିଟ୍‌ ଆଣ୍ଡ ରନ୍‌ ମାମଲାରେ ଦିନ ଯେତିକି ଗଡ଼ୁଛି ସେତିକି ସନ୍ଦେହ ମଧ୍ୟ ବଢ଼ୁଛି । ଯୁବତୀଙ୍କ ବୀଭତ୍ସ ହତ୍ୟାକାଣ୍ଡକୁ ନେଇ ସାରା ସହରରେ ଚର୍ଚ୍ଚା ଜୋର ଧରିଥିବା ବେଳେ ଦିଲ୍ଲୀ ପୁଲିସର ତଦନ୍ତ ପ୍ରକିୟାକୁ ନେଇ ପ୍ରଶ୍ନ ଉଠାଇଥିଲେ ଅଞ୍ଜଳିଙ୍କ ପରିବାର  । ଦିଲ୍ଲୀ ପୋଲିସ ଏକ ସ୍ୱତନ୍ତ୍ର ଟିମ୍‌ ଗଠନ କରି ଏହି ବୀଭତ୍ସ ହତ୍ୟାକାଣ୍ଡର ୫ ଜଣ ଅଭିଯୁକ୍ତକୁ ଧରିବାରେ ସଫଳ ମଧ୍ୟ ହୋଇଥିଲା । କିନ୍ତୁ ଦିଲ୍ଲୀ ପୋଲିସର ତଦନ୍ତରେ ଦିଲ୍ଲୀ ମହିଳା କମିସନ ମୁଖ୍ୟ ସ୍ୱାତୀ ମାଲିୱାଲ ସନ୍ତୁଷ୍ଟ ନାହାଁନ୍ତି  । ତେଣୁ ସେ ଏହି ଘଟଣାର ସିବିଆଇ ତଦନ୍ତ ଦାବି କରିଛନ୍ତି ।

ସ୍ୱାତୀ କହିଛନ୍ତି ଯେ, ଅଞ୍ଜଳିଙ୍କ ମୃତ୍ୟୁ ପଛରେ ନିଧିଙ୍କ ସମ୍ପୃକ୍ତି ରହିଥିବା ଅଭିଯୋଗ ହୋଇଛି । କିନ୍ତୁ ବର୍ତ୍ତମାନ ସୁଦ୍ଧା ପୋଲିସ ନିଧିଙ୍କ ମୋବାଇଲ ଫୋନ ଜବତ କରିପାରି ନାହିଁ । ଦୁର୍ଘଟଣା ସମୟରେ ନିଧି ଅଞ୍ଜଳିଙ୍କ ସ୍କୁଟି ପଛରେ ବସିଥିଲେ । ହେଲେ ତାଙ୍କର କୌଣସି କ୍ଷତି ହୋଇ ନାହିଁ । ସେପଟେ ନିଧିଙ୍କ ବୟାନ ରେକର୍ଡ କରିଛି ପୋଲିସ ।

ଅଞ୍ଜଳିଙ୍କ ବନ୍ଧୁ ନିଧିଙ୍କ କହିବାନୁଯାୟୀ, ସେମାନେ ଶନିବାର ରାତିରେ ଜଣେ ବନ୍ଧୁକୁ ସାକ୍ଷାତ କରିବାକୁ ଏକ ହୋଟେଲକୁ ଯାଇଥିଲେ। ଫେରିବା ସମୟରେ ତାଙ୍କ ସ୍କୁଟିକୁ ଗୋଟିଏ କାର୍‌ ଧକ୍କା ଦେଇଥିଲା । ଦୁର୍ଘଟଣାରେ ଅଞ୍ଜଳିଙ୍କ ଗୋଡ଼ କାର୍‌ ଚକାରେ ଫସି ଯାଇଥିଲା । ଆାଉ କାର୍‌ଟି ଅଞ୍ଜଳିଙ୍କୁ ଘୋଷାରି ନେଇଯାଇଥିଲା । ଅଞ୍ଜଳିଙ୍କ ମୃତ୍ୟୁ ହେବା ଦେଖି ସେ ଭୟରେ ଘରକୁ ପଳାଇ ଆସିଥିଲା ।
ଅନ୍ୟପଟେ ଦିଲ୍ଲୀ ପୁଲିସ କହିଛି ଯେ ଏହି ଘଟଣାରେ ଆଉ ଦୁଇଜଣ ସମ୍ପୃକ୍ତ ଅଛନ୍ତି। ସେମାନେ ହେଲେ ଆଶୁତୋଷ ଓ ଅଙ୍କୁଶ । ଏହି ଦୁଇଜଣ ଏବେ ଫେରାର ଅଛନ୍ତି। ଏହି ଘଟଣାର ସମସ୍ତ ଦିଗ ଉପରେ ତଦନ୍ତ ନିମନ୍ତେ ଦିଲ୍ଲୀ ପୁଲିସର ୮ଟି ଟିମ୍ ଗଠନ କରାଯାଇଛି ବୋଲି ସ୍ୱତନ୍ତ୍ର କମିସନର କହିଛନ୍ତି । ଗିରଫ ହୋଇଥିବା ୫ଜଣଙ୍କୁ କୋର୍ଟ ଆଉ ୪ଦିନ ପାଇଁ ଜେଲକୁ ପଠାଇ ଦେଇଛନ୍ତି । ତେବେ ଏହି ଘଟଣା ପଛରେ କଣ ରହିଛି ପ୍ରକୃତ ସତ୍ୟ ତାହା ତଦନ୍ତ ପରେ ହିଁ ଜଣାପଡ଼ିବ ।

 

 

Leave A Reply

Your email address will not be published.