ନୂଆଦିଲ୍ଲୀ: କେଜ୍ରିୱାଲଙ୍କ ଗାଡ଼ି ଉପରେ ବିଜେପି ପ୍ରାର୍ଥୀ ପରଭେଶ ବର୍ମାଙ୍କ ସମର୍ଥକ ଆକ୍ରମଣ କରିଥିବା ଫଟୋ ସହ ପ୍ରମାଣ ଦେଖାଇଲା ଆପ୍। ଆଉ ଏହି ଅଭିଯୋଗର କଡ଼ା ଜବାବ ଦେଇଛନ୍ତି ପରଭେଶ ବର୍ମା । ଶନିବାର ନୂଆଦିଲ୍ଲୀ ନିର୍ବାଚନ ମଣ୍ଡଳୀରେ ନିଜ ପାଇଁ ପ୍ରଚାର କରିବାକୁ ଯାଇଥିବା ବେଳେ ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କ ଉପରେ ଆକ୍ରମଣା ହୋଇଥିଲା । କିଛି ଦୁର୍ବୃତ୍ତ ତାଙ୍କ ଗାଡ଼ି ଉପରକୁ ଢେଲା-ପଥର ମାଡ଼ କରିଥିଲେ । ଏମିତିକି ଦୁର୍ବୃତ୍ତମାନେ ଠେଙ୍ଗାରେ ମଧ୍ୟ କେଜ୍ରିୱାଲଙ୍କ ଗାଡ଼ିକୁ ପିଟିଥିଲେ। ତେବେ ସେହି ଦୁର୍ବୃତ୍ତମାନେ କିଏ ? ଏହାକୁ ନେଇ ଦିଲ୍ଲୀରେ ରାଜନୀତି ଜୋର ହୋଇଛି।
ବିଜେପିର ନୂଆଦିଲ୍ଲୀ ନିର୍ବାଚନ ମଣ୍ଡଳୀ ପ୍ରାର୍ଥୀ ପରଭେଶ ବର୍ମାଙ୍କ ସମର୍ଥକ, କେଜ୍ରିୱାଲଙ୍କ ଉପରେ ଆକ୍ରମଣ କରିଥିବା ଫଟୋ ସହ ପ୍ରମାଣ ଦେଖାଇଛନ୍ତି ମୁଖ୍ୟମନ୍ତ୍ରୀ ଆତିଶୀ । ଅନ୍ୟପଟେ ପରଭେଶ ବର୍ମା କିନ୍ତୁ ପ୍ରସଙ୍ଗକୁ ଭିନ୍ନ ମୋଡ଼ ଦେଇଛନ୍ତି। ସେ ଏହି ପ୍ରସଙ୍ଗରେ କେଜ୍ରିୱାଲ ଓ ତାଙ୍କ ସମର୍ଥକଙ୍କ ଉପରେ ହିଂସା ଓ ଅସଦାଚରଣର ଅଭିଯୋଗ ଆଣିଛନ୍ତି। ପରଭେଶ କହିଛନ୍ତି, କେଜ୍ରିୱାଲଙ୍କ ସବୁ ଅଭିଯୋଗ ମିଥ୍ୟା। ଓଲଟା ସେ କହିଛନ୍ତି ଲାଲ ବାହାଦୁର ସଦନ ନିକଟରେ କେଜ୍ରିୱାଲଙ୍କ ପ୍ରଚାର କରୁଥିଲେ। ଏହି ସମୟରେ ତିନିଜଣ ବେରୋଜଗାର ଯୁବକ – ବିଶାଲ, ଅଭିଷେକ ଏବଂ ରୋହିତ ଚାକିରି ଭଳି ପ୍ରସଙ୍ଗରେ କେଜ୍ରିୱାଲଙ୍କୁ ପ୍ରଶ୍ନ ଉଠାଇବାକୁ ଚେଷ୍ଟା କରିଥିଲେ। ହେଲେ ପଞ୍ଜାବ ପୋଲିସ ସେମାନଙ୍କୁ ମାଡ ମାରିବା ସହ ଜଣେ ଯୁବକଙ୍କ ଫୋନ ଭାଙ୍ଗି ଦେଇଥିଲା।
ଏ ତ ଥିଲା କେଜ୍ରିୱାଲଙ୍କ ଗାଡ଼ି ଉପରେ ହୋଇଥିବା ଆକ୍ରମଣର ଆରୋପ-ପ୍ରତ୍ୟାରୋପ । ଏବେ ଆଉ ଏକ ଘଟଣା ସାମ୍ନାକୁ ଆସିଛି । ଶନିବାର ଆମ୍ ଆଦମୀ ପାର୍ଟି ତରଫରୁ ସାମ୍ବାଦିକ ସମ୍ମିଳନୀ କରିବାର ଥିଲା । ଯେଉଁଠି ଅବକାରୀ ଦୁ୍ରନୀତିରେ କେମିତି ଷଡ଼ଯନ୍ତ୍ର କରି କେଜ୍ରିୱାଲଙ୍କୁ ଗିରଫ କରାଯାଇଛି, ସେ ସଂକ୍ରାନ୍ତ ଡକ୍ୟୁମେଣ୍ଟାରୀ ରିଲିଜ୍ କରିଥାନ୍ତା ଆପ୍ । କିନ୍ତୁ ପୋଲିସ ତାହା ହେବାକୁ ଦେଇନି । ବିଜେପିର ଚାପରେ ନିର୍ବାଚନ କମିଶନ ଏଥିରେ ସଂପୃକ୍ତ ଥିବା କହିଛି ଆପ୍ ।
Comments are closed.