Latest Odisha News

BREAKING NEWS

ଇସ୍ରାଏଲ ହମାସ ଯୁଦ୍ଧ ନେଲା ନୂଆ ମୋଡ଼, ପୁଣି ଜୋରଦାର ହେଲା ଆକ୍ରମଣ

ନୂଆଦିଲ୍ଲୀ: ବିଳମ୍ବ ହେଲା ଇସ୍ରାଏଲ୍ ଓ ହାମାସ୍ ମଧ୍ୟରେ ଯୁଦ୍ଧବିରତି । ହାମାସ୍ ସଠିକ ବନ୍ଧକ ତାଲିକା ପ୍ରଦାନରେ ବିଳମ୍ବ କରିବାରୁ ଯୁଦ୍ଧବିରତି ମଧ୍ୟ ବିଳମ୍ବ ହୋଇଛି । ସେପଟେ ଗାଜାରେ ଜୋରଦାର ଆକ୍ରମଣ କରିଛି ଇସ୍ରାଏଲୀ ସେନା । ଯେଉଁଥିରେ ୮ ଜଣ ସାଧାରଣ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ୨୫ ଜଣ ଆହତ ହୋଇଛନ୍ତି । ତିନି ପର୍ଯ୍ୟାୟବିଶିଷ୍ଟ ଯୁଦ୍ଧବିରତିର ପ୍ରଥମ ପର୍ଯ୍ୟାୟ ରବିବାରଠାରୁ ଆରମ୍ଭ ହେବାର ଥିଲା । ପ୍ରଥମ ପର୍ଯ୍ୟାୟରେ ୪୨ ଦିନ ପାଇଁ ଯୁଦ୍ଧବିରତି ହେବାର ଅଛି । ଆଉ ପ୍ରଥମ ପର୍ଯ୍ୟାୟରେ ହାମାସ୍ ବନ୍ଧକ ରଖିଥିବା ୩୩ ଜଣ ଇସ୍ରାଏଲୀ ନାଗରିକଙ୍କୁ ମୁକ୍ତ କରିବ ଏବଂ ସେପଟେ ଇସ୍ରାଏଲ ଜେଲରେ ରଖିଥିବା ପାଲେଷ୍ଟାଇନ୍ ନାଗରିକଙ୍କୁ ଛାଡ଼ିବ ବୋଲି କଥା ହୋଇଛି । କିନ୍ତୁ ହାମାସ୍ ମାତ୍ର ୩ ଜଣ ବନ୍ଧକଙ୍କୁ ଛାଡ଼ିବାକୁ ତାଲିକା ଦେଇଛି ।

ଯୁଦ୍ଧବିରତି ଆରମ୍ଭର କିଛି ସମୟ ପୂର୍ବରୁ ସମସ୍ତ ବନ୍ଧକଙ୍କ ନାମ ତାଲିକା ହାମାସ୍ ଦେଉ ବୋଲି କହିଥିଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀ । ସେପଟେ ହାମାସର କହିବା କଥା, ଯୁଦ୍ଧବିରତିର ସମସ୍ତ ସର୍ତ୍ତରେ ସେ ରାଜି ଅଛି । କିନ୍ତୁ କିଛିଟା ବୈଷୟିକ ତ୍ରୁଟି ଯୋଗୁଁ ବନ୍ଧକଙ୍କ ସମ୍ପୂର୍ଣ୍ଣ ତାଲିକା ଦିଆଯାଇ ପାରିନାହିଁ ବୋଲି ସଫେଇ ଦେଇଛି ହାମାସ୍ । ୨୦୨୩ ଜୁଲାଇ ୭ ତାରିଖରେ ଦକ୍ଷିଣ  ଇସ୍ରାଏଲରେ ୫ ହଜାରରୁ ଅଧିକ ରକେଟ୍ ମାଡ଼ କରିଥିଲା ହାମାସ୍ । ସେହି ସମୟରେ ପାଖାପାଖି ଅଢ଼େଇ ଶହ ଇସ୍ରାଏଲ ନାଗରିକଙ୍କୁ ଅପହରଣ କରି ନେଇଥିଲା ହାମାସ୍ । ବିଭିନ୍ନ ପର୍ଯ୍ୟାୟରେ କିଛି ଲୋକଙ୍କୁ ଛାଡ଼ିଥିବା ବେଳେ ଆଉ କିଛି ଲୋକଙ୍କର ମୃତ୍ୟୁ ହୋଇସାରିଛି ।

ଏବେ ହାମାସ୍ କବ୍‌ଜାରେ ୩୩ ଜଣ ଇସ୍ରାଏଲୀ ନାଗରିକ ଥିବା କୁହାଯାଉଛି । ଯେଉଁମାନଙ୍କୁ ତୁରନ୍ତ ଛାଡ଼ିବାକୁ ଦାବି କରିଛି ଇସ୍ରାଏଲ । ୧୫ ମାସ ହେବ ଇସ୍ରାଏଲ ଓ ହାମାସ ମଧ୍ୟରେ ଯୁଦ୍ଧ ଲାଗି  ରହିଛି । ଯେଉଁଥିରେ ପାଖାପାଖି ୫୦ ହଜାର ପାଲେଷ୍ଟାଇନ୍ ନାଗରିକଙ୍କର ମୃତ୍ୟୁ ହୋଇଛି । ଆମେରିକା, କାତାର ଏବଂ ଇଜିପ୍ଟର ମଧ୍ୟସ୍ଥତାରେ ଆରମ୍ଭ ହୋଇଛି ୩ ପର୍ଯ୍ୟାୟ ବିଶିଷ୍ଟ ଯୁଦ୍ଧବିରତି ପ୍ରକ୍ରିୟା ।

Comments are closed.