Latest Odisha News

BREAKING NEWS

ହରିଆଣାରେ ଦଙ୍ଗା, ଦିଲ୍ଲୀରେ ହାଇ ଆଲର୍ଟ

ନୂଆଦିଲ୍ଲୀ: ହରିଆଣାର ନୁହଠାରେ ବିଶ୍ୱ ହିନ୍ଦୁ ପରିଷଦର ଏକ ଧାର୍ମିକ ଶୋଭାଯାତ୍ରାରେ ସୋମବାର ଘଟିଥିବା ସାମ୍ପ୍ରଦାୟିକ ହିଂସା ପରେ ମଙ୍ଗଳବାର ବିଳମ୍ବରେ ହରିଆଣା ପୋଲିସ ୧୧୬ ଜଣଙ୍କୁ ଗିରଫ କରିଛି ଏବଂ ପ୍ରାୟ ୪୧ଟି ଏଫଆଇଆର ରୁଜୁ କରିଛି। ହରିଆଣାର ନୁହରୁ ଆରମ୍ଭ ହୋଇଥିବା ଏହି ସାମ୍ପ୍ରଦାୟିକ ହିଂସାରେ ଦୁଇ ଜଣ ହୋମଗାର୍ଡ, ତିନି ଜଣ ସାଧାରଣ ନାଗରିକ ଓ ଜଣେ ଇମାମଙ୍କ ସମେତ ଅନ୍ୟୂନ ଛଅ ଜଣ ପ୍ରାଣ ହରାଇଛନ୍ତି।

ସେପଟେ ମଙ୍ଗଳବାର ରାତିରେ ଗୁରୁଗ୍ରାମରେ ହୋଇଥିବା ନୂଆ ହିଂସା ଦିଲ୍ଲୀକୁ ଆଲର୍ଟ କରିଦେଇଛି। ଗୁରୁଗ୍ରାମର ସୋହନା ସବ୍-ଡିଭିଜନରେ ଥିବା ସମସ୍ତ ସରକାରୀ ଓ ଘରୋଇ ଶିକ୍ଷାନୁଷ୍ଠାନକୁ ସାମ୍ପ୍ରଦାୟିକ ଅଶାନ୍ତିକୁ ଦୃଷ୍ଟିରେ ରଖି ବୁଧବାର ଦିନ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଦିଲ୍ଲୀର ନିର୍ମାଣ ବିହାର ମେଟ୍ରୋ ଷ୍ଟେସନ ନିକଟରେ ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବାକୁ ଯୋଜନା କରାଯାଉଥିବାରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

ମେଓ୍ୱାତ ଅଞ୍ଚଳରେ ହୋଇଥିବା ହିଂସାକୁ ବିରୋଧ କରି ଆଜି ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଭିଏଚପି ଓ ବଜରଙ୍ଗ ଦଳ ପକ୍ଷରୁ ବୁଧବାର ଅପରାହ୍ନ ୪ଟାରେ ଭିସମ ଦାସ ମନ୍ଦିରରେ ମହାପଞ୍ଚାୟତ ଡାକରା ଦିଆଯାଇଛି। ଏହି ଦକ୍ଷିଣପନ୍ଥୀ ସଙ୍ଗଠନ ପକ୍ଷରୁ ବୁଧବାର ନୋଏଡାରେ ମଧ୍ୟ ‘ବଡ଼ ଧରଣର ପ୍ରଦର୍ଶନ’ କରାଯିବ ବୋଲି ସୂଚନା ରହିଛି। ଭିଏଚପିର ପ୍ରଚାର ମୁଖ୍ୟ ରାହୁଲ ଦୁବେ କହିଛନ୍ତି ଯେ ସେକ୍ଟର ୨୧ଏ ସ୍ଥିତ ନୋଏଡା ଷ୍ଟାଡିୟମରୁ ସେକ୍ଟର ୧୬ର ରଜନୀଗନ୍ଧା ଛକ ଯାଏ ଏହି ପ୍ରତିବାଦ ପଦଯାତ୍ରା ଆରମ୍ଭ ହେବ, ଯେଉଁଠାରେ ଏକ କୁଶପୁତ୍ତଳିକା ଦାହ କରାଯିବ।

ନୁହରେ ସଙ୍ଘର୍ଷର ଗୋଟିଏ ଦିନ ପରେ ମଙ୍ଗଳବାର ଗୁରୁଗ୍ରାମ ବାଦଶାହପୁରରେ ଏକ ରେଷ୍ଟୁରାଣ୍ଟରେ ନିଆଁ ଲଗାଇଦେବା ସହ ଆଖପାଖ ଦୋକାନରେ ଭଙ୍ଗାରୁଜା କରିଥିଲେ। ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଦୋକାନରେ ଭଙ୍ଗାରୁଜା କରିବା ସହ ସ୍ଥାନୀୟ ଅଞ୍ଚଳରେ ଥିବା ଏକ ମସଜିଦ୍ ସମ୍ମୁଖରେ ‘ଜୟ ଶ୍ରୀରାମ’ ସ୍ଲୋଗାନ ଦେଇଥିଲେ। ଏହି ହିଂସାକାଣ୍ଡ ପରେ ବାଦଶାହପୁର ବଜାରକୁ ବନ୍ଦ କରିଦିଆଯାଇଛି।

Leave A Reply

Your email address will not be published.