ନୂଆଦିଲ୍ଲୀ: ସବୁଥିରେ ରେକର୍ଡ ଭାଙ୍ଗୁଛି ଜାତୀୟ ରାଜଧାନୀ ଦିଲ୍ଲୀ । ଖରା- ବର୍ଷା- ଶୀତ ସବୁଥିରେ ରାଜଧାନୀ ବାସୀଙ୍କୁ ଅତିଶୟ କରି ରଖିଛି । ଏବେ ଅଦିନିଆ ବର୍ଷାରେ ବି ବେହାଲ ଦିଲ୍ଲୀ । ୧୦୧ ବର୍ଷର ରେକର୍ଡକୁ ଭାଙ୍ଗିଛି ଡିସେମ୍ବର ବର୍ଷା ।
ତେବେ ଏବେ ଦିଲ୍ଲୀ ଏନସିଆରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଜାରି ରହିଛି । ଆଉ ଆଜି ସବୁ ରେକର୍ଡ ପାର୍ କରିଛି ବର୍ଷାର ପରିମାଣ । ଗତ ୧୦୧ ବର୍ଷ ଭିତରେ ଡିସେମ୍ବର ମାସରେ ଗୋଟିଏ ଦିନରେ ସର୍ବାଧିକ ବର୍ଷା ରେକର୍ଡ କରିଛି । ଶନିବାର ଅର୍ଥାତ୍ ଆଜି ସକାଳ ୮.୩୦ ପର୍ଯ୍ୟନ୍ତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ୪୧.୨ ମିମି ବର୍ଷା ରେକର୍ଡ କରାଯାଇଛି । ଯାହା ଚଳିତ ମାସରେ ଗୋଟିଏ ଦିନରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି । ତେବେ ପୂର୍ବରୁ ୧୯୨୩ ଡିସେମ୍ବର ୩ ତାରିଖରେ ୭୫.୭ ମିମି ବର୍ଷା ରେକର୍ଡ କରାଯାଇଥିଲା।
ଜାତୀୟ ରାଜଧାନୀ ଦିଲ୍ଲୀର ଆଖପାଖ ଅଞ୍ଚଳରେ ମଧ୍ୟ ଆଜି ସକାଳୁ ସକାଳୁ ପ୍ରବଳ ବର୍ଷା ଦେଖିବାକୁ ମିଳିଥିଲା । ଯାହା ତାପମାତ୍ରାକୁ ସିଧା ୧୩ ଡିଗ୍ରଯୀକୁ ଖସାଇଥିଲା । ତେବେ ଏତେ ବର୍ଷା ମଧ୍ୟରେ ମଧ୍ୟ ଦିଲ୍ଲୀରେ ବାୟୁ ଗୁଣବତ୍ତାରେ କିଛି ଉନ୍ନତି ପରିଲକ୍ଷିତ ହୋଇଛି, ଯାହା ମଧ୍ୟମ ଧରଣର ରହିଛି । ଯାହାର ବାୟୁ ଗୁଣବତ୍ତା ସୂଚକାଙ୍କ ତଥା ଏଆଇକ୍ୟୁ ୧୭୯ ରହିଛି ।
ତେବେ ଆଇଏମଡିର ସୂଚନା ଅନୁଯାୟୀ, ପଶ୍ଚିମା ଝଡ ପ୍ରଭାବରେ ଦିଲ୍ଲୀରେ ଆଉ ସପ୍ତାହ ଯାଏଁ ଏଭଳି ବର୍ଷା ଲାଗିରହିବ । ଅନେକ ସ୍ଥାନରେ ହାଲୁକା ବର୍ଷା ସହ ଝଡବର୍ଷା ଅନୁଭୂତ ହେବ । ଏଥିପାଇଁ ଆଗାମୀ ସପ୍ତାହେ ଯାଏଁ ୟେଲୋ ଓ୍ବାର୍ଣ୍ଣିଙ୍ଗ ଜାରି କରିଛି ଆଇଏମଡି ।
ଏଥିସହିତ ଡିସେମ୍ବର ୨୦୨୪ରେ ଦିଲ୍ଲୀରେ ୪୨.୮ ମିମି ବର୍ଷା ରେକର୍ଡ କରାଯାଇଛି, ଯାହା ଗତ ୨୭ ବର୍ଷରେ ସର୍ବାଧିକ । ତେବେ ଗତକାଲି ରିପୋର୍ଟ ଶୁକ୍ରବାର ସନ୍ଧ୍ୟା ୫ଟା ୩୦ ସୁଦ୍ଧା ପାଲମରେ ୩୧.୪ ମିମି, ଲୋଧିରୋଡରେ ୩୪.୨ ମିମି, ରିଜରେ ୩୩.୪ ମିମି, ଦଲ୍ଲୀ ୟୁନିଭରସିଟି ଏରିଆରେ ୩୯ ମିମି ଏବଂ ପୁସାରେ ୩୫ ମିମି ବର୍ଷା ରେକର୍ଡ କରାଯାଇଛି ।