Latest Odisha News

BREAKING NEWS

ଲୋକସଭାରେ ପାରିତ ହେଲା ଦିଲ୍ଲୀ ସେବା ବିଲ୍, କେଜ୍ରିଓ୍ବାଲ କହିଲେ ମୋଦୀଙ୍କୁ ବିଶ୍ୱାସ କରନ୍ତୁନି ଦେଶବାସୀ

ନୂଆଦିଲ୍ଲୀ: ଦିଲ୍ଲୀ ସେବା ବିଲ୍, ଯାହାକୁ ସରକାରୀ ଭାବେ ଦ ଗଭର୍ଣ୍ଣମେଣ୍ଟ ଅଫ୍ ନ୍ୟାଶନାଲ କ୍ୟାପିଟାଲ ଟେରିଟୋରୀ ଅଫ୍ ଦିଲ୍ଲୀ (ସଂଶୋଧନ) ବିଲ୍, ୨୦୨୩ ବୋଲି କୁହାଯାଉଛି, ଗୁରୁବାର ଲୋକସଭାରେ ପାରିତ ହୋଇଛି। ବିଲ୍ ପାରିତ ହେବା ସମୟରେ ବିରୋଧୀ ଦଳ ସାଂସଦ ବିରୋଧ ପ୍ରଦର୍ଶନ କରି କକ୍ଷତ୍ୟାଗ କରିଥିଲେ।

ଯଦି ଏହା ରାଜ୍ୟସଭାରେ ମଧ୍ୟ ପାରିତ ହୁଏ, ତେବେ ଦିଲ୍ଲୀ ସେବା ବିଲ୍ ଏକ ପ୍ରଚଳିତ ଅଧ୍ୟାଦେଶର ସ୍ଥାନ ନେବ, ଯାହା ସୁପ୍ରିମକୋର୍ଟଙ୍କ ଆଦେଶକୁ ଅଗ୍ରାହ୍ୟ କରି ଦିଲ୍ଲୀ ସରକାରଙ୍କୁ ଅଧିକାଂଶ ସେବା ଉପରେ ନିୟନ୍ତ୍ରଣ କରିବ। ଏହି ଅଧ୍ୟାଦେଶ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ଆପ୍ ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ଏକ ପ୍ରମୁଖ ବିବାଦର କାରଣ।

ଲୋକସଭାରେ ଏହି ବିଲ୍ ପାସ୍ ହେବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ କହିଛନ୍ତି ଯେ, ବିଜେପି ପୂର୍ବରୁ ପ୍ରତିଶ୍ରୁତି ଦେଇଥିଲା ଯେ, ଦିଲ୍ଲୀକୁ ପୂର୍ଣ୍ଣ ରାଜ୍ୟ ପାହ୍ୟା ଦିଆଯିବ। ବଦଳ ଓ ନିଯୁକ୍ତି ଉପରେ ରାଜ୍ୟର ନିୟନ୍ତ୍ରଣକୁ ଛଡ଼ାଇ ନେଉଥିବା ଏହି ବିଲ୍ ଉପରେ ନିରାଶା ପ୍ରକାଶ କରି କେଜ୍ରିଓ୍ୱାଲ କହିଛନ୍ତି ଯେ ଆଜି ଏହି ଲୋକମାନେ (ବିଜେପି) ଦିଲ୍ଲୀବାସୀଙ୍କ ପିଠିରେ ଛୁରାମାଡ କରିଛନ୍ତି।

ଦିଲ୍ଲୀକୁ ପୂର୍ଣ୍ଣ ରାଜ୍ୟ ପାହ୍ୟା ମାନ୍ୟତା ଦେବାକୁ ବିଜେପି ବାରମ୍ବାର ପ୍ରତିଶ୍ରୁତି ଦେଉଛି। ୨୦୧୪ରେ ମୋଦୀ ନିଜେ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ହେବା ପରେ ସେ ଦିଲ୍ଲୀକୁ ପୂର୍ଣ୍ଣ ରାଜ୍ୟ ପାହ୍ୟା ଦେବେ। କିନ୍ତୁ ଆଜି ଏହି ଲୋକମାନେ ଦିଲ୍ଲୀବାସୀଙ୍କ ପିଠିରେ ଛୁରା ମାଡ଼ କରିଛନ୍ତି। ଅରବିନ୍ଦ କେଜ୍ରିଓ୍ୱାଲ ଟ୍ବିଟ୍ କରି କହିଛନ୍ତି, ‘ଆଜିଠାରୁ ମୋଦିଜୀଙ୍କ କୌଣସି କଥାକୁ ବିଶ୍ୱାସ କରନ୍ତୁ ନାହିଁ’।

ଆମ୍ ଆଦମୀ ପାର୍ଟି ନେତା ସଞ୍ଜୟ ସିଂହ ଏହି ସୂଚନା ଦେଇଛନ୍ତି, ଯାହାକୁ ସଂସଦର ମୌସୁମୀ ଅଧିବେଶନର ଅବଶିଷ୍ଟ ସମୟ ପାଇଁ ନିଲମ୍ବିତ କରାଯାଇଛି, ଲୋକସଭାରେ ଦିଲ୍ଲୀ ସେବା ବିଲ୍ ପାସ୍ ହେବା ପରେ ଭାରତୀୟ ଗଣତନ୍ତ୍ରକୁ ଆଜି ସଂସଦରେ ହତ୍ୟା କରାଯାଇଛି। ପ୍ରାୟ ୪ ଘଣ୍ଟାର ବିତର୍କ ପରେ ଦିଲ୍ଲୀ ସେବା ବିଲ୍ ପାସ୍ ହୋଇଥିବା ବେଳେ ଏହାର ଉତ୍ତର ରଖିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ।

ଶାହ ସ୍ପଷ୍ଟ କରିଛନ୍ତି ଯେ କେନ୍ଦ୍ର ଶାସିତ ଅଞ୍ଚଳ ଏବଂ ଦିଲ୍ଲୀ ଉପରେ ଆଇନ୍ ପ୍ରଣୟନ କରିବାର କ୍ଷମତା କେନ୍ଦ୍ର ସରକାରଙ୍କର ରହିଛି, କେନ୍ଦ୍ର ଶାସିତ ଅଞ୍ଚଳ ହୋଇଥିବାରୁ କେନ୍ଦ୍ରକୁ ମଧ୍ୟ ନିୟମ ପ୍ରଣୟନ କରିବାର ପୂର୍ଣ୍ଣ ଅଧିକାର ରହିଛି। ଏହି ବିଲ୍ ସାମ୍ବିଧାନିକ ଭାବେ ବୈଧ ଏବଂ ଏହା ଦିଲ୍ଲୀବାସୀଙ୍କ ହିତ ପାଇଁ ଉଦ୍ଦିଷ୍ଟ ବୋଲି ସେ କହିଛନ୍ତି।

ସେ ଆପ୍ ନେତୃତ୍ୱାଧୀନ ଦିଲ୍ଲୀ ସରକାରକୁ ମଧ୍ୟ କଟାକ୍ଷ କରି କହିଛନ୍ତି ଯେ ଅତୀତରେ ବିଜେପି ଓ କଂଗ୍ରେସ ସରକାର ଦିଲ୍ଲୀ ଓ କେନ୍ଦ୍ରରେ ପରସ୍ପର ସହ ମିଶି ବିନା ମୁହାଁମୁହିଁରେ କାମ କରିଥିଲେ। ତେବେ ସେ କହିଛନ୍ତି ଯେ ସମସ୍ୟା କେବଳ ୨୦୧୫ ରେ ଦେଖାଦେଇଥିଲା ଯେତେବେଳେ ଦିଲ୍ଲୀରେ ଏକ ଦଳ କ୍ଷମତାକୁ ଆସିଲା ଯାହାର ଏକମାତ୍ର ଉଦ୍ଦେଶ୍ୟ କେନ୍ଦ୍ର ସହ ବିବାଦ କରିବା, କିନ୍ତୁ ଜନତାଙ୍କ ସେବା ନୁହେଁ। ଅମିତ ଶାହ ମଙ୍ଗଳବାର ସଂସଦରେ ଏହି ବିଲ୍ ଉପସ୍ଥାପନ କରିଥିଲେ।

ବିଲକୁ ଭୋଟ୍ ଦେବା ସମୟରେ ବିରୋଧୀଙ୍କୁ ସେମାନଙ୍କ ମେଣ୍ଟ ‘ଇଣ୍ଡିଆ’ ବଦଳରେ ଦିଲ୍ଲୀ କଥା ଚିନ୍ତା କରିବାକୁ ଅମିତ ଶାହା ନିବେଦନ କରିଛନ୍ତି। ସମସ୍ତ ଦଳକୁ ସେ ଅନୁରୋଧ କରି କହିଛନ୍ତି, କେବଳ ନିର୍ବାଚନ ଜିତିବା ପାଇଁ କିମ୍ବା କୌଣସି ଦଳର ସମର୍ଥନ ହାସଲ କରିବା ପାଇଁ ଆଇନକୁ ସମର୍ଥନ କିମ୍ବା ବିରୋଧ କରିବାର ରାଜନୀତି କରନ୍ତୁ ନାହିଁ।

Leave A Reply

Your email address will not be published.