Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ପହିଲି ଭୋଗ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମହାପ୍ରସାଦ ମାହାତ୍ମ୍ୟ ବର୍ଣ୍ଣନା ନିଶ୍ଚିତ ଭାବରେ ଶ୍ରୀଜଗନ୍ନାଥଙ୍କ ଧର୍ମଧାରା ଓ ଆଧ୍ୟାତ୍ମିକ ପ୍ରକାଶର ପରିପନ୍ଥୀ ; ଯାହାକି ବୈଦିକ, ପ୍ରାଗ ବୈଦିକ, ଆର୍ଯ୍ୟ ଅନାର୍ଯ୍ୟ ସଂସ୍କୃତି ଆଦିର ସମନ୍ୱିତ ଆଧ୍ୟାତ୍ମିକ ବିକାଶ ବୋଲି କଥିତ ହୋଇଥାଏ। ଏଭଳି ଏକ ସମ୍ୱନ୍ୱିତ ସଂସ୍କୃତିର ପ୍ରଶସ୍ତି ଓଡ଼ିଆ ସାହିତ୍ୟ ସହିତ ବିଭିନ୍ନ ଭାଷାର ସାହିତ୍ୟରେ ଦୃଷ୍ଟିଗୋଚର ହୋଇଥାଏ । ଏହି ଅନନ୍ୟ ସଂସ୍କୃତି ଶ୍ରୀଜଗନ୍ନାଥ ଓ ଶ୍ରୀମହାପ୍ରସାଦ ଉଭୟର ପରିଚୟ ସୃଷ୍ଟି କରେ। କଵି ଉପେନ୍ଦ୍ର ଭଞ୍ଜଙ୍କ “ସୁଭଦ୍ରା ପରିଣୟ ” କାବ୍ୟରେ ଅଛି :-

ସ୍ଵପତ କରୁ ବ୍ରlହ୍ମଣ, ତହିଁ ପାଇ ଅନ୍ନ
ଠାଏ ଜନ୍ମ ପାପ ଗଲା ଭାବି
ତୋଷ ମନ ଯେ ।
ସର୍ବଦାରେ ମୁକତି ପସରା ବସିଥାଇ
ସାରେ ପାପ ନର ବିରାଟ
କେ କିଣି ନେଇ ଯେ ।

ଏଠାରେ ପାପ ନାଶ ଓ ମୁକତି ପଥର ପରିଚାୟକ ଉଭୟ ପରଂବ୍ରହ୍ମ ଶ୍ରୀଜଗନ୍ନାଥ ଓ ଅନ୍ନବ୍ରହ୍ମ ଶ୍ରୀମହାପ୍ରସାଦ ଅଟନ୍ତି। ଏହା ବିଚିତ୍ର ଓ ରହସ୍ୟମୟ ଲାଗୁଥିଲେ ବି ପରମ ସତ୍ୟ ଅଟେ। ଏହି ଅନ୍ନବ୍ରହ୍ମ କଥା ବିଚାର କଲାବେଳେ ଆଉ ଏକ ପ୍ରଶ୍ନ ମନକୁ ଆସେ ତାହା ହେଉଛି ଆମେ ପ୍ରଥମେ ଆଲୋଚନା କଲେ ଏହି ମହାପ୍ରସାଦ ମା ଲଷ୍ମୀ ଙ୍କ ସ୍ୱହସ୍ତ ରନ୍ଧନ ଦ୍ୱାରା ହୋଇଥାଏ।ତେବେ ଧନୁ ସଂକ୍ରାନ୍ତିଠାରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ଯେତେବେଳେ କି ମା ଲଷ୍ମୀ ତାଙ୍କ ପୀତ୍ରାଲୟ ଗମନ କରିଥାନ୍ତି । ଶ୍ରୀମନ୍ଦିର ପରମ୍ପରା ଅନୁସାରେ ସେ ସମୟରେ ଅନ୍ନବ୍ୟଞ୍ଜନ ପ୍ରସ୍ତୁତି ଶ୍ରୀଜଗନ୍ନାଥଙ୍କ ମାତାଙ୍କ ଉପରେ ନ୍ୟସ୍ତ ହୋଇଥାଏ। ନିଜ ସନ୍ତାନମାନଙ୍କ ବିଶେଷ ଯତ୍ନ ନେବା ପାଇଁ ମା ସେତେବେଳେ ପହିଲି ଭୋଗର ବ୍ୟବସ୍ଥା କରିଥାନ୍ତି। ତାହା ମଧ୍ଯ ଶ୍ରୀ ମହାପ୍ରସାଦ ରୂପେ ଅତ୍ୟନ୍ତ ଆଗ୍ରହର ସହ ଆମେ ଗ୍ରହଣ କରୁ। ଆଜି ପର୍ଯ୍ୟନ୍ତ କେହି ଜଣେ ବି ପ୍ରଶ୍ନ କରିନି କି ବିଧି ଅନୁସାରେ ମା ଲଷ୍ମୀଙ୍କ ଦ୍ୱାରା ପ୍ରସ୍ତୁତ ନହୋଇ, ଏହି ପହିଲି ଭୋଗ ମାତାଙ୍କ ପ୍ରସ୍ତୁତ ହୋଇଥିବାରୁ ଶ୍ରୀ ମହାପ୍ରସାଦର ମାନ୍ୟତା ପାଇବ କି?

ଏହାର ଉତ୍ତର ହେଉଛି ଶ୍ରୀ ମହାପ୍ରସାଦ ମଧ୍ଯ ସମସ୍ତ ବିଧି ପରମ୍ପରାର ଉର୍ଦ୍ଧ୍ଵରେ ରହିଥିବା ଅନ୍ନବ୍ରହ୍ମ। ଏଠାରେ ବ୍ରହ୍ମତ୍ୱ ଆରୋପିତ ହେବା ପରେ ଏହା ସାଧାରଣ ଅନ୍ନ ବ୍ୟଞ୍ଜନଠାରୁ ସମ୍ପୂର୍ଣ୍ଣ ଭିନ୍ନ ଏକ ସ୍ଥିତିକୁ ପ୍ରାପ୍ତ ହୋଇଥାଏ। ତେଣୁ ମା ଲଷ୍ମୀଙ୍କ ଦ୍ୱାରା ପ୍ରସ୍ତୁତ ହେଉ ଅବା ମାତାଙ୍କ ହସ୍ତ ରାନ୍ଧଣା ହେଉ, ଉଭୟ ଏକ ବିଶେଷ ଅବସ୍ଥା ପ୍ରାପ୍ତ ହୁଅନ୍ତି। ଯାହା ମହାପ୍ରସାଦର ସୁଗନ୍ଧ ଓ ସ୍ୱାଦରୁ ପ୍ରତିପାଦିତ ହୋଇଥାଏ। ଏଭଳି ସୁସ୍ୱାଦୁ ଓ ସୁଗନ୍ଧ ଯୁକ୍ତ ପ୍ରସାଦର ସ୍ୱତନ୍ତ୍ର ରନ୍ଧନ ଶୈଳୀ ଆଗାମୀ ଅଧ୍ୟାୟରେ ଆଲୋଚନା କରିବା । ବର୍ତ୍ତମାନ କରିବା ଆରାଧନା ଓ ଭାଗବତ ପଠନ ।

ଏ ଜୀବ ଅହଂକାର ବହି
ଆତ୍ମା କୁ ବୋଲେ ତୁହି ମୁହିଁ ।
ଏ ନୋହେ ଜ୍ଞାନୀ ଙ୍କର ମତ
ଯାହାଙ୍କୁ ପ୍ରସନ୍ନ ଅନନ୍ତ ।

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Leave A Reply

Your email address will not be published.